ଗିରଫ ଭୟରେ ପତ୍ନୀହନ୍ତାର ଆତ୍ମହତ୍ୟା
ପୁରୀ(ଜୁଗାବ୍ଦ ନ୍ୟୁଜ୍): ପତ୍ନୀହତ୍ୟା ଅଭିଯୋଗରେ ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିବା ପାଇଁ ଜାଲ୍ ବିଛାଇଥିଲା । କିନ୍ତୁ ଗିରଫ ଭୟରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଫଳରେ ଖାଲି ହାତରେ ଫେରିଲା ପୁଲିସ । ଇଟାମାଟି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଖବରରୁ ଜଣାଯାଇଛି ନୟାଗଡ଼ ଜିଲ୍ଲାର ବୋଲଗଡ ଥାନା ଅନ୍ତର୍ଗତ ହଳଦିପଡା ଗ୍ରାମର ରମେଶ ବେହେରା ସପରିବାର ପୁରୀର କୁମ୍ଭାରପଡା ଥାନା ଅନ୍ତର୍ଗତ ଦତ୍ତତୋଟା ସାହିରେ ଭଡ଼ାରେ ରହୁଥିଲେ । କିଛି ଦିନ ତଳେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଗତ ୫ ଦିନ ତଳେ ରମେଶ ସ୍ତ୍ରୀକୁ ହତ୍ୟାକରି ଘରର ତାଲା ମାରି ଫେରାର ହୋଇଯାଇଥିଲା । କିନ୍ତୁ ଗତ ମଙ୍ଗଳବାର ସେହିଘରୁ ଦୁର୍ଗନ୍ଧ ବାହାରିବାରୁ ପଡ଼ୋଶୀ ସ୍ଥାନୀୟ ଥାନାକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଦ ଘର ତାଲା ଭାଙ୍ଗି ମରି ପଡ଼ିଥିବା ମହିଳାଙ୍କ ଶବ ଜବତ କରିଥିଲା । ପରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଘଟଣାସ୍ଥଳରେ ପୂଜାର ଭଉଣୀ ଓ ଭିଣୋଇ ଥାନାରେ ପହଞ୍ଚି ସ୍ୱାମୀ ରମେଶ ମାରିଥିବା ଅଭିଯୋଗ କରିଥିଲେ । ଏନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଜାଲ ବିଛାଇଥିଲା ବେଳେ ଗତକାଲି ରମେଶ ଇଟାମାଟି ଥାନା ଅଧିନ ରେଳଧାରଣାରେ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ଶେଷରେ ପୁଲିସକୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା ।