ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟର ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ
ଭୁବନେଶ୍ୱର : ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟର ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ ସ୍ଥାନୀୟ ଜୟଦେବ ଭବନଠାରେ ଟ୍ରଷ୍ଟର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ଟ୍ରଷ୍ଟର ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହିତ ଆଜିର ଯୁବ ଓ ଛାତ୍ରସମାଜ ଏଭଳି କାର୍ଯ୍ୟକୁ ଅନୁସରଣ କରିବା ଉଚିତ୍ ବୋଲି ମତପୋଷଣ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ସଭାପତି ସଂଗ୍ରାମ କେଶରୀ ପାଇକରାୟ, ସମାଜସେବୀ ଶୁଭଶ୍ରୀ ଦାଶ, ସମାଜସେବୀ ସୁଚିସ୍ମିତା ପୃଷ୍ଟି, ଶିକ୍ଷାବିତ୍ ବିଧୁଭୂଷଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟ ଯେଉଁଭଳି ଉନ୍ନତିମୂଳକ କାର୍ଯ୍ୟ କରିଆସୁଛି, ତାହାକୁ ଅନୁସରଣ କରି ଏହିଭଳି ନୂଆ ନୂଆ ଟ୍ରଷ୍ଟମାନ ଗଠନ କରାଯାଇ ଭଲକାମ କରିପାରିଲେ ସମାଜ ତଥା ରାଜ୍ୟର ଅନେକ ପରିବର୍ତ୍ତନ ହୋଇପାରିବ ଏବଂ ବହୁ ସ୍ୱେଚ୍ଛାସେବୀ କାର୍ଯ୍ୟ କରିବା ପାଇଁ ଉଦ୍ୟମ ଜାରି ରଖିବେ ବୋଲି ମତପୋଷଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୩୫ଜଣ ସ୍ୱେଚ୍ଛାସେବୀ, ସମାଜସେବୀ ଓ ଶିକ୍ଷାବିତ୍, ଅଭିନେତ୍ରୀମାନଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।