ଗୁଜବ ତଥ୍ୟରେ ପୋଲିସର ମାତ୍ରାଧିକ କାର୍ଯ୍ୟକ୍ରମ ବିରୋଧରେ ୧୫ ଗୋଟି ପଞ୍ଚାୟତର ୪ ହଜାରରୁ ଉର୍ଦ୍ଧ ଆଦିବାସୀ ଏକତ୍ରିତ ମେଳି ବାନ୍ଧିଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବିଭିନ୍ନ ସମୟରେ ଅଧ ରାତିରେ ଆଦିବାସୀ ଅଧୁଷିତ ଅଞ୍ଚଳରେ – ପୋଲିସ୍ ଅବାଧରେ ପହଞ୍ଚି ବିନା କାରଣରେ ଗୁଜବ ଖବର ଓ ଭୁଲ ତଥ୍ୟ ପାଇ ସ୍ଥାନୀୟ ଅଧିବାସୀମାନଙ୍କୁ – ଭୟଭୀତ କରିବା ସହିତ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସମ୍ପୃକ୍ତ ଅଞ୍ଚଳର ଆଦିବାସୀମାନଙ୍କ ଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି. ଏସବୁକୁ ବନ୍ଦ କରିବା, ଗୁଜବ ସୃଷ୍ଟିକାରୀଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ପର୍ଯ୍ୟାପ୍ତ ପରିମାଣର ପ୍ରମାଣ ନ ଥାଇ ଘର ତାଲା ଭାଙ୍ଗିବା ଆଦି ତୁରନ୍ତ ବନ୍ଦ କରାଯିବା ପାଇଁ ଗଜପତି ଜିଲ୍ଲାର ମୋହନା ବ୍ଲକରେ 15 ଗୋଟି ପଞ୍ଚାୟତର ୪ ହଜାରରୁ ଉର୍ଦ୍ଧ ଆଦିବାସୀ ଏକତ୍ରିତ ହୋଇ ମେଳି ବାନ୍ଧିଥିବା ସୂଚନା ମିଳିଛି. ଆଦିବାସୀଙ୍କ ଏହି ମେଳିରେ ଏତଦବ୍ୟତୀତ ଆଦିବାସୀ ଅଧୁଷିତ ଅଞ୍ଚଳରେ ବିଦ୍ୟୁତ ସଂଯୋଗ, ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ, ଶିକ୍ଷା ଓ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ଆଦି ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଦାବି ନେଇ ମୋହନା ବ୍ଲକ ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଅନ କାଲେମା ଗ୍ରାମଠାରେ ପ୍ରାୟ ୪ ହଜାରରୁ ଉର୍ଦ୍ଧ ଆଦିବାସୀ ଅଧୁଷିତ ଅଞ୍ଚଳର ଲୋକମାନଙ୍କୁ ନେଇ ଏକ ବୈଠକ ଓ ମେଳି ଅନୁଷ୍ଠିତ ହୋଇଥିଲା। ଆଦିବାସୀ ସୁରକ୍ଷା ମଞ୍ଚ ସଭାପତି ସିମିୟ ଗମାଙ୍ଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଗଜପତି ଜିଲା ଆଦିବାସୀ ମହାସଂଘ ସଭାପତି ଆବ୍ରାହାମ୍ ଗମାଙ୍ଗ, ସମାଜବିଜ୍ଞାନୀ ତଥା ଯୁବ । ସଂଗଠକ ଓଫିଲ ଫିଲ ଗମାଙ୍ଗ, ଗୁଲୁବା ପଞ୍ଚାୟତର ପୂର୍ବତନ ସରପଞ୍ଚ ଲାଜାର ମାଝୀ, କିରାମା ପଞ୍ଚାୟତର ପୂର୍ବତନ ସରପଞ୍ଚ ଶୁକ ଗମାଙ୍ଗ, ସୁନ୍ଦରଡ଼ାଙ୍ଗ ପଞ୍ଚାୟତ ସରପଞ୍ଚ ପ୍ରେମା ମାଝୀ, ସୌରା ବିକାଶ ପରିଷଦ ଆବାହକ ସୁନିଲ ଗମାଙ୍ଗ, ପାଣିଗଣ୍ଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ସାୟ ଶବର, ଚୁଡ଼ଙ୍ଗପୁର ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ସଇଦ୍ର ମଳିକ ପ୍ରମୁଖ ଯୋଗଦେଇ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ନିଜ ଅଞ୍ଚଳର ହକ୍ ପାଇବାକୁ ନେଇ ବିଭିନ୍ନ ଦାବି ଓ ସମସ୍ୟା ଉପସ୍ଥାପନା କରିଥିଲେ। ଏହି ବୈଠକରେ ଗଜପତି ଜିଲ୍ଲାର ଆର,ଉଦୟଗିରି, ମୋହନା, ନୂଆଗଡ଼ ବ୍ଳକ ଓ ରାୟଗଡ଼ ଜିଲା ପଦ୍ମପୁରରୁ ପ୍ରାୟ ୧୫ରୁ ଉର୍ଦ୍ଧ ପଞ୍ଚାୟତର ଆଦିବାସୀ ଅଧୁଷିତ ଅଞ୍ଚଳର 4 ହଜାର ଲୋକେ ଯୋଗ ଦେଇଥିଲେ। ସମସ୍ୟାର ତୁରନ୍ତ ସମାଧାନ ନହେଲେ ଆଗାମୀ ଦିନରେ ଆଦିବାସୀ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଏହି ଆଦିବାସୀ ମେଳିରେ ନିର୍ଣ୍ଣୟ ହୋଇଥିବା ସୂଚନା ମିଳିଛି.