ଗୁଣିଗାରେଡି ସନ୍ଦେହ କରି ହତ୍ୟାକାଣ୍ଡ;୩ ଗିରଫ
ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜାମିତିରା ଗ୍ରାମରେ ଗତ ଗୁରୁବାର ଗୁଣିଗାରେଡି ସନ୍ଦେହ କରି ସେହି ଗ୍ରାମର ବୃଦ୍ଧ ମାନସିଂ ମୁଣ୍ଡାଙ୍କୁ ହତ୍ୟା କରାଯାଇଥିବା ଘଟଣାରେ ପୋଲିସ ମଙ୍ଗଳବାର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜାମିର୍ତା ଗ୍ରାମର ଶ୍ୟାମ ମୁଣ୍ଡା , ନାଉପାଣି ଗ୍ରାମର ସିକେନ୍ ମୁଣ୍ଡା ଓ ରମେଶ ମୁଣ୍ଡା । ସେମାନେ ଏହି ହତ୍ୟାକାଣ୍ଡରେ ବ୍ୟବହାର କରିଥିବା କୋଦାଳ ଓ ଟାଙ୍ଗିଆକୁ ପୋଲିସ ଜବତ କରିଛି । ପୋଲିସର ସୂଚନାନୁଯାୟୀ, ଅଭିଯୁକ୍ତ ସିକେନ୍ ମୁଣ୍ଡାର ବାପା ଦଶ ବାର ଦିନ ପୂର୍ବରୁ ଅସୁସ୍ଥ ହୋଇପଡିବାରୁ ମୃତ୍ୟୁବରଣ କରିଥିଲେ । ତେବେ ଜାମିତିରା ଗ୍ରାମର ବୃଦ୍ଧ ମାନସିଂ ମୁଣ୍ଡା ଗୁଣିଗାରେଡି କରିଥିବାରୁ ତାଙ୍କ ବାପାଙ୍କର ମୃତ୍ୟୁ ହେବା ସନ୍ଦେହ କରି ଅଭିଯୁକ୍ତ ସିକେନ୍ ମୁଣ୍ଡା ଓ ଅନ୍ୟ ଦୁଇ ଅଭିଯୁକ୍ତ ପୂର୍ବପ୍ରସ୍ତୁତି ଅନୁଯାୟୀ ଗତ ଗୁରୁବାର ବିଳମ୍ବିତ ରାତିରେ ବୃଦ୍ଧ ମାନସିଂ ମୁଣ୍ଡାଙ୍କୁ ଘରୁ ଡାକି ଆଣି ନିକଟସ୍ଥ ଜଙ୍ଗଲକୁ ନେଇ ଟାଙ୍ଗିଆ ଓ କୋଦାଳରେ ହାଣି ବିଭତ୍ସ ହତ୍ୟା କରି ପୋତିଦେଇଥିଲେ । ଏନେଇ ମୃତ ବୃଦ୍ଧ ମାନସିଂ ମୁଣ୍ଡାଙ୍କ ପୁଅ ଟୁଙ୍ଗୁ ମୁଣ୍ଡା ବାମେବାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏନେଇ ଏକ ହତ୍ୟା ମାମଲା ନଂ ୧୦୪/୨୦୨୦ ରୁଜୁ କରି ତଦନ୍ତ ଚଳାଇଥିଲା ।


