ଗୁଣ୍ଡିଚା ରଥ ଟଣା ବିଭ୍ରାଟ ବାହୁଡାରେ ପୁନରାବୃତ୍ତି ନ ହେଉ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ତୁଳସୀକ୍ଷେତ୍ରର କ୍ଷେତ୍ରାଧିପତୀ ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ଟଣାରେ ଶ୍ରୀଗୁଣ୍ଡିଚାରେ ଯେଉଁ ବିଭ୍ରାଟ ଘଟିଥିଲା ତାହା ବାହୁଡ଼ା ଯାତ୍ରାରେ ହେବନି ତ? ଏହି ପ୍ରଶ୍ନ ଏବେ ବିଭିନ୍ନ ମହଲରେ ଉଙ୍କି ମାରିଛି । କାରଣ କେହି କେହି କହିଲେ ରଥ ଟଣା ଠିକ ଭାବେ ନ ହେବାରୁ ରଥ ଫୁଟ୍ପାଥକୁ ମାଡିଗଲା । କେହି କହିଲେ ରଥ ଚାଳକଙ୍କ ଅଭିଜ୍ଞତା ଅଭାବର ଏହି ଘଟଣା ଘଟିଲା । ଆଉ କେହି କହିଲେ ରଥଦାଣ୍ଡ ନିର୍ମାଣରେ ଯନ୍ତ୍ରୀଙ୍କ ଅନଭିଜ୍ଞତା ଏବଂ ପ୍ରଶାସନର ଅପରିଣାମଦର୍ଶିତା ଯୋଗୁଁ ଯୋଗୁ ରଥ ଫୁଟ୍ପାଥକୁ ମାଡିଗଲା । ଯାହା ଫଳରେ ପାରାଦୀପରୁ ହାଇଡ୍ରୋଲିକ ଜଗ ଆସି ୧୨ ଘଣ୍ଟାରୁ ଅଧିକ ସମୟ ଧରି ପରିଶ୍ରମ ପରେ ରଥ ସଠିକ ଦିଗକୁ ଆସିଥିଲା । ଏହା କେବଳ କେନ୍ଦ୍ରାପଡାରେ ନୁହେଁ ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । କାରଣ ଶ୍ରୀକ୍ଷେତ୍ର ଭଳି ବଡ଼ଭାଇ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ମଧ୍ୟ ସମଗ୍ର ରାଜ୍ୟରେ ବେଶ ପ୍ରସିଦ୍ଧ । ତୁଳସୀ କ୍ଷେତ୍ରର ରଥଟଣା ଉପରେ ମଧ୍ୟ ସଭିଙ୍କ ନଜର ଥାଏ । ପରମ୍ପରା ଅନୁଯାୟୀ ଏଠାରେ ଶ୍ରୀଗୁଣ୍ଡିଚା ଦିନ ରଥ କିଛି ବାଟ ଯାଇଥାଏ । ଏହାର ପରଦିନ ରଥ ଟଣାଯାଇ ଗୁଣ୍ଡିଚା ମନ୍ଦିର ସନ୍ନିକଟରେ ଚକଡ଼ା ଲାଗିଥାଏ । କିନ୍ତୁ ପ୍ରଥମ ଦିନହିଁ ବିଭ୍ରାଟ ହେଲା । ପ୍ରଥମେ ପରମ୍ପରା ଭଙ୍ଗ ହେଲା । କାରଣ ପ୍ରଥମ ଦିନ ରଥକୁ ଅଳ୍ପ ବାଟ ନିଆଯାଇଥିବା ବେଳେ ଦ୍ୱିତୀୟ ଦିନ ଆଉ ମାତ୍ର କିଛି ବାଟ ନିଆଗଲା । ତୃତୀୟ ଦିନ ରଥକୁ ଟାଣି ଗୁଣ୍ଡିଚା ମନ୍ଦିର ଅଭିମୁଖେ ନେବା ଲାଗି ଉଦ୍ୟମ ହେଉଥିବା ବେଳେ ବିଭ୍ରାଟ ଦେଖାଦେଲା । ଯାହା ଫଳରେ ରଥ ବାମ ପାଶ୍ୱର୍କୁ ମାଡି ଯାଇଥିଲା । ଜିଲ୍ଲା ପ୍ରଶାସନର ଅପରିଣାମଦର୍ଶିତା ଯୋଗୁଁ ଏପରି ହୋଇଥିବା ସାଧାରଣରେ ଆଲୋଚନା ହେଉଛି । ଦିନ ୧୨ଟାରେ ରଥ ବାମ ପାଶ୍ୱର୍କୁ ମାଡି ଯାଇଥିବା ବେଳେ ତାହାକୁ ସଠିକ ଦିଗକୁ ଆଣିବା ପାଇଁ ସେହିଦିନ ରାତି ୨ଟା ହୋଇ ଯାଇଥିଲା । ରେଳ ବିଭାଗରୁ ହାଇଡ୍ରୋଲିକ ଜଗ ଆସିଲା, ରେଳ ବିଭାଗ ଯନ୍ତ୍ରୀ ଆସିଲେ, ଜେନେରେଟର ଆସିଲା । ଜିଲ୍ଲାପାଳ, ଏସ୍ପି, ପୂର୍ତ୍ତ ବିଭାଗ ଯନ୍ତ୍ରୀମାନେ ରହି କାର୍ଯ୍ୟ ତଦାରଖ କରିବା ପରେ ରଥ ସଠିକ ଦିଗକୁ ଆସିଥିଲା । ଏହାଦ୍ୱାରା ଫୁଟ୍ପାଥ ଭାଙ୍ଗିଲା । ବିଦ୍ୟୁତ ଖୁଣ୍ଟି ମଧ୍ୟ ଭାଙ୍ଗିଲା । ତେବେ ଗୁଣ୍ଡିଚାରେ ଯେଉଁ ବିଭ୍ରାଟ ଘଟିଲା ତାହାର ପୁନରାବୃତ୍ତି ଯେପରି ବାହୁଡ଼ା ଯାତ୍ରାରେ ନ ହୁଏ! ଯଦି ବିଭ୍ରାଟ ଘଟେ ତାହା ହେଲେ ତ୍ୱରିତ ପଦକ୍ଷେପ ନିଆଯାଇ ଏହାର ସମାଧାନ କିପରି ହୋଇପାରିବ ସେଥିପ୍ରତି ଦେବୋତ୍ତର ବିଭାଗ ଆଗୁଆ କି କି ପଦକ୍ଷେପ ନେଇଛି, ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଇଛନ୍ତି ସେ ନେଇ ସାଧାରଣରେ ସନ୍ଦେହ ବ୍ୟକ୍ତ କରାଯାଇଛି । ଯେଭଳି ବିଭ୍ରାଟ ଆଗକୁ ନ ଘଟୁ ବୋଲି ଭକ୍ତମାନେ ଦାବି କରିଛନ୍ତି । ଏ ସଂକ୍ରାନ୍ତରେ ଗବେଷକ ନିରଞ୍ଜନ ମେକାପ କହିଛନ୍ତି ପ୍ରଶାସନର ଦୂର ଦୃଷ୍ଟି ଅଭାବ ଯୋଗୁ ଏଭଳି ବିଭ୍ରାଟ ଘଟିଲା । ସେ କହିଛନ୍ତି ମୂଷା ବ୍ରହ୍ମଚାରୀ ରଥ ଚଳାଉଥିବା ବେଳେ କେବେ ହେଲେ ବିଭ୍ରାଟ ହୋଇ ନ ଥିଲା । ଏବେ ଏକାଧିକ ରଥ ଚାଳକ ରଥରେ ରହୁଥିବାରୁ ଏହି ବିଭ୍ରାଟ ହେଉଛି । ମୁଁ ଗତ ୬୦ ବର୍ଷ ହେବ ରଥଯାତ୍ରା ଦେଖୁଛି । ବାହୁଡ଼ା ବେଳେ ରଥ ଫୁଟ୍ପାଥକୁ ମାଡିଯିବାର ନଜିର ରହିଛି । କିନ୍ତୁ ଗୁଣ୍ଡିଚାରେ ରଥ ମାଡିଯିବାର ନଜିର ନ ଥିଲା । ତେଣୁ ପ୍ରଶାସନ କିପରି ବାହୁଡ଼ା ଯାତ୍ରାରେ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ରଥ ଟାଣି ସିଂହଦ୍ୱାରରେ ଲଗାଉଛି ତାକୁ ସମସ୍ତେ ଅପେକ୍ଷା କରିଛନ୍ତି । ଏ ସଂକ୍ରାନ୍ତରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ କହିଛନ୍ତି ଯେପରି କୈାଣସି ଅଘଟଣ ନ ଘଟେ ସେ ନେଇ ଆମେ ବୈଠକ କରିଛୁ । ଏଥିରେ ରଥ ଚାଳକ, ଯନ୍ତ୍ରୀ, ପ୍ରଶାସନିକ ଅଧିକାରୀ, ସେବାୟତମାନଙ୍କ ସହ ଆଲୋଚନା କରାଯାଇଛି । ଯଦି କିଛି ଅଘଟଣ ଘଟେ ତେବେ ଏକ ଘଣ୍ଟା ମଧ୍ୟରେ ରେଳ ବିଭାଗର ହାଇଡ୍ରୋଲିକ ଜଗ ଆସି ତାହାର ପ୍ର୍ରତିକାର ବ୍ୟବସା୍ଥ କରାଯିବ । ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଶୃଙ୍ଖଳିତ ଓ ସୁରକ୍ଷିତ ବାହୁଡ଼ା ଯାତ୍ରା କରିବା ପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ।