ଗୁପ୍ତେଶ୍ୱର ମହାଦେବ ମନ୍ଦିର, ବିଗ୍ରହ ପ୍ରତିଷ୍ଠା ଉତ୍ସବ
ବନ୍ତ(ଯୁଗାଦ୍ଧ ନ୍ୟୁଜ୍) : ଭଣ୍ଡାରଗଢିଆ ଗ୍ରାମରେ ନୂତନ ଭାବେ ନିର୍ମିତ ହୋଇଥିବା ଗୁପ୍ତେଶ୍ୱର ମହାଦେବଙ୍କ ମନ୍ଦିର ଓ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଅଙ୍କୁରାରୋପଣ, ଅଧିବାସ, ଗୁରବାର କଳସ ଆଗମନ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା । ନିଳୋକସ୍ଥିତ ମହାଦେବ ପୁଷ୍କରିଣୀରୁ ୫୪ଟି କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାରମ୍ଭରେ ସୂର୍ଯ୍ୟପୂଜା, ପିତୃପୂଜା, ଗୋପୂଜା, ଧରିତ୍ରୀ ପୂଜା, ଗୁରୁ ପୂଜା ପରେ ଦଧିନଉତିରେ ଧାନ୍ୟରୋପଣ, ଚକ୍ରନ୍ୟାସ, ଧ୍ୱଜନ୍ୟାସ ଆଦି ପ୍ରତିଷ୍ଠାକର୍ମ ସମାପନ ହୋଇଥିଲା । ଶୁକ୍ରବାର ନଗର ପରିକ୍ରମା କରାଯାଇ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା । ଶନିବାର ପୂର୍ଣ୍ଣାହୂତି କର୍ମ ସମାପନ ହେବ । ଏଥିରେ ମୁଖ୍ୟ ଆଚାର୍ଯ୍ୟ ଭାବେ ପଦ୍ମନାଭ ପଣ୍ଡା, ପୁସ୍ତକାଚାର୍ଯ୍ୟ ଭାବେ ଶଶୀକାନ୍ତ ମିଶ୍ର, ଗୋପିରଞ୍ଜନ ପାଣିଗ୍ରାହୀ, ନାରାୟଣ ଦ୍ୱିବେଦୀ, ବସନ୍ତ ମିଶ୍ର, କାଶିନାଥ ନନ୍ଦ ଦାୟୀତ୍ୱ ତୁଲାଇଥିଲେ । ୩ ଦିନ ଧରି ଅନୁଷ୍ଠିତ ପୂଜା କାର୍ଯ୍ୟରେ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।