ଗୋଟିଏ ଦିନରେ ୬ଟି ଦୁର୍ଘଟଣା
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନାଲ ନିର୍ମାଣ ନାମରେ ଏଆରଏସଏସ ଠିକାସଂସ୍ଥା ପୁର୍ତ୍ତ ବିଭାଗ ଅଧିନରେ ଥିବା ପିଚୁ ରାସ୍ତାରେ ମାଟି ପକାଇ ତାକୁ ମାଟି ରାସ୍ତାରେ ପରିଣତ କରିଦେବା ସହ ନିୟମିତ ପାଣି ପକାଉଥିବାରୁ ରାସ୍ତାଟିରେ ଦୈନଦିନ ଦୁର୍ଘଟଣା ମାନ ଘଟୁଛି । ଆଜି ଗୋଟିଏ ଦିନରେ ଛଅ ଛଅଟି ଦୁର୍ଘଟଣା ଘଟିବା ସହ ଅନେକ ଲୋକ ଆହତ ହୋଇ ଥିବାବେଳେ ୪ଟି ବାଇକ ମଧ୍ୟ ଭାଙ୍ଗି ଯାଇଛି । ଏହାକୁନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକମାନେ ଘଣ୍ଟା ଘଣ୍ଟା ଧରି ଉକ୍ତ ଠିକାସଂସ୍ଥାର ଗାଡି ଗୁଡିକୁ ଅଟକ ରଖିଥିଲେ । ଅଭିଯୋଗରୁ ଜଣାଯାଇଛି ଯେ ଆନନ୍ଦପୁୁୁର ଠାରୁ ବିଦ୍ୟାଧରପୁର ପର୍ଯ୍ୟନ୍ତ ବୈତରଣୀ ନଦୀ ସଂଯୋଗୀକରଣ ଯୋଜନାରେ କେନାଲ ନିର୍ମାଣ କାର୍ଯ୍ୟ ଚାଳୁ ରହିଛି । ଏ.ଆର.ଏସ.ଏସ ନାମକ ଏକ ଠିକାସଂସ୍ଥା ଏହି କାମ କରୁଥିବାବେଳେ ଛେନାପଦି-ହଦଗଡ ରାସ୍ତାରେ ଦୈନିକ ଶହଶହ ଟ୍ରିପ ମାଟି ପରିବହନ କରୁଛି । ଏହି ମାଟି ପରିବହନ ବେଳେ ବଡବଡ ମାଟି ଖଣ୍ଡମାନ ରାସ୍ତାରେ ପଡି ଉକ୍ତ ପିଚୁରାସ୍ତାଟି ଏବେ ମାଟି ରାସ୍ତାରେ ପରିଣତ ହୋଇଗଲାଣି । ଏବେ ପର୍ଯ୍ୟଟନ ରୁତୁ ଥିବାବେଳେ ଏହି ରାସ୍ତାଦେଇ ହଜାର ହଜାର ପର୍ଯ୍ୟଟକ ଯିବା ଆସିବା କରୁଥିବାବେଳେ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ରାସ୍ତାରେ ପାଣି ପକାଇ ଦେଉଥିବାରୁ ତାହା ଖସଡା ହୋଇଯିବା ସହ ରାସ୍ତାର ଅବସ୍ଥା ଏପରି ହୋଇଯାଉଛି ଯେ ସ୍ଥାନୀୟ ଲୋକମାନେ ମଧ୍ୟ ଏହି ରାସ୍ତାଦେଇ ଯିବାକୁ ଭୟ କରୁଛନ୍ତି । ଦୈନଦିନ ମଧ୍ୟ ଅନେକ ଦୁର୍ଘଟଣା ଘଟୁଛି । ଆଜି ଏହି ରାସ୍ତାର ତରାଗଡିଆ ଛକରୁ ଠୁଣିଗାଁ ଛକ ମଧ୍ୟରେ ଛଅ ଛଅଟି ଦୁର୍ଘଟଣା ଘଟି ୩ଟି ବାଇକ ଭାଙ୍ଗିରୁଜି ଯାଇଥିବାବେଳେ ୪ଜଣ ଆହତ ହୋଇଥିବା ଜଣାଯାଇଛି । ଢ଼େଙ୍କା ଅଞ୍ଚଳର ଭାଷ୍କର ନାୟକ ନାମକ ଜଣେ ଯୁବକ ବାଇକ ଯୋଗେ ଦୁଇଜଣ ବୃଦ୍ଧବୃଦ୍ଧାଙ୍କୁ ଲିପ୍ଟ ଦେଇ ଆଣୁଥିବା ବେଳେ ଚକା ସ୍ଲିପ କରିବାକୁ ତଳେ ପଡିଯାଇଯାଇ ନିଜେ ଆହତ ହେବାସହ ବୃଦ୍ଧବୃଦ୍ଧା ଦୁଇଜଣ ଗୁରୁତର ଆହତ ହୋଇଥିଲେ । ତାଙ୍କ ବାଇକଟି ମଧ୍ୟ ଭାଙ୍ଗିରୁଜି ଯାଇଛି । ସେହିପରି ସଢ଼ା ଗ୍ରାମର ସୈମିତ୍ରୀ କୁମାର ଜେନା ଓ ମଉଦା ଗ୍ରାମର ରମେଶ ଘଡେଇ ଏକ ବୁଲେଟରେ ଆସୁôତବାବେଳେ ମଠଡାହି ନିକଟରେ ପଡିଯାଇ ଆହତ ହେବା ସହିତ ତାଙ୍କ ବୁଲେଟଟି ମଧ୍ୟ ଭାଙ୍ଗିରୁଜି ଯାଇଥିଲା । ସେହିପରି ଦମକଳ କେନ୍ଦ୍ର ସମ୍ମୁଖରେ ମଧ୍ୟ ଦୁଇଜଣ ପଡି ଆହତ ହୋଇଥିଲେ । ଏହାକୁନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଠିକାସଂସ୍ଥାର ମାଟି ବୋଝଇ ହାଇୱା ଗୁଡିକୁ ଅଟକ ରଖି ଏହାର ପ୍ରତିବାଦ କରିବା ସହିତ କ୍ଷତିପୁରଣ ଦାବି କରିଥିଲେ । ଯଦି ଠିକାସଂସ୍ଥା କେନାଲ କାମ କରୁଛି ତେବେ ବିଲବାଟେ ମାଟି ପରିବହନ କରୁବୋଲି ସେମାନେ ଦାବି କରିଥିଲେ ।


