ଗ୍ରାମାଂଚଳରେ ଲକଡ଼ାଉନ ନିୟମକୁ ଫୁ
ହିଞ୍ଜିଳିକାଟୁ, (ୱାଇଏନଏସ): ମହାମାରୀ କରୋନା ଭୁତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହାକୁ ରୋକିବା ଲାଗି ପ୍ରଶାସନ ପକ୍ଷରୁ ବହୁ କଟକଣା ଜାରି କରାଯାଇଛି । ପ୍ରତ୍ୟେକ ସପ୍ତାହର ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟା ଠାରୁ ମଧ୍ୟାନ୍ନ ୧୨ ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବଜାର ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଜାରୀ କରାଯାଇଛି ।ସପ୍ତାହର ଶେଷ ୨ ଦିନ ଶନିବାର ଓ ରବିବାର ସମ୍ପୁର୍ଣ୍ଣ ସଟଡ଼ାଉନ ଘୋଷଣା କରାଯାଇଛି । ଏପରି ସ୍ଥଳେ ହିଞ୍ଜିଳିକାଟୁ ପୌରାଂଚଳରେ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଡ଼ାକବାଜି ଯନ୍ତ୍ର ସାହାର୍ଯ୍ୟରେ ପୌରାଂଚଳବାସୀଙ୍କୁ ସଚେତନ କରାଯିବା ସହ ବିନା କାଣରେ ଘରୁ ବାହାରକୁ ବାହାରିଲେ ପୁଲିସ ଓ ପୌର ପ୍ରଶାସନ ପକ୍ଷରୁ ଜୋରିମାନା ଆଦାୟ କରାଯାଉଛି । ଜୋରିମାନା ଭୟ ସହ ସଚେତନତା ଯୋଗୁଁ ସହରବାସୀ କରୋନା ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଥିବା ବେଳେ ଗ୍ରାମାଂଂଚଳରେ ସଚେତନତାର ଅଭାବ ଓ କୌଣସି ପ୍ରଶାସନିକ ଅଧିକାରୀ ମାନେ ଗ୍ରାମାଂଚଳକୁ ଗୁରୁତ୍ୱ ଦେଉନଥିବାରୁ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉନଥିବା ଦେଖିବାକୁ ମିଳିଛି । ଫଳରେ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ଜନସାଧାରଣ ଏକତ୍ର ହୋଇ ଗ୍ରାମ ଫୋଖରୀରେ ସ୍ନାନ, ଶୌଚ କରିବା ସହ ସକାଳ ଓ ସନ୍ଧ୍ୟା ସମୟରେ ଯୁବଗୋଷ୍ଠୀ କ୍ରିକେଟ ଖେଳିବା ଓ ମଧ୍ୟାନ୍ନ ସମୟରେ ଏକତ୍ର ହୋଇ ମଉଜ ମଜଲିସ କରିବା ସହ ତାସ ଖେଳୁଥିବାର ଦେଖିବାକୁ ମିଳିଛି । ସଂକ୍ରମଣକୁ ରୋକିବା ପାଇଁ ସରକାର, ସରଂପଚ ମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି । ସଂକ୍ରମଣକୁ ରୋକିବା ପାଇଁ ସରଂପଚ ମାନଙ୍କ ପ୍ରମୁଖ ଭୂମିକା ରହିଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ସରଂପଚ ମାନଙ୍କୁ କହିଥିଲେ ମଧ୍ୟ ଏହା ବହୁ ପଂଚାୟତରେ କାର୍ଯ୍ୟକାରୀ ହୋଇପାରୁନଥିବା ଜଣାପଡ଼ିଛି । ପ୍ରକାଶ ଥାଉକି, ଗତ କିଛି ଦିନ ପୂର୍ବେ ସ୍ଥାନୀୟ ବ୍ଳକ ଖରିଡ଼ା ପଂଚାୟତରେ କ୍ରିକେଟ ଖେଳୁଥିବା ସମୟରେ ଜଣେ ସାଙ୍ଗର ବ୍ୟାଟ୍ ମାଡ଼ରେ ଜଣେ ନାବାଳକର ମୃତ୍ୟୁ ଘଟିଥିଲା । ଏପରିକି ବହୁ ପ୍ରବାସୀ ସଙ୍ଗରୋଧ କେନ୍ଦ୍ରରେ ଅବଧି ପୁର୍ଣ୍ଣ ପରେ ହୋମ୍ କ୍ୱାରାଂଟାଇନରେ ରହିବାର ନିୟମ ରହିଥିଲେ ମଧ୍ୟ ବହୁ ପ୍ରବାସୀ ଏହାକୁ ଭୃକ୍ଷେପ ନକରି ଗ୍ରାମରେ ଜୁଆ ଖେଳରେ ଲିପ୍ତ ରହୁଥିବାର ଦେଖିବାକୁ ମିଳିଛି । ଯାହା ଫଳରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ଏ ଦିଗରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଗୁରୁତ୍ୱ ପ୍ରଦାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।


