ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ବୈଠକ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘ ତରଫରୁ ବିଭିନ୍ନ ଦାବି ନେଇ ଗ୍ରାମ ପଞ୍ଚାୟତ କର୍ମଚାରୀ, ପିଅନ, ରାତ୍ର ଜଗୁଆଳୀ ଓ ଝାଡ଼ୁଦାରମାନଙ୍କର ଏକ ରାଜ୍ୟସ୍ତରୀୟ ବୈଠକ ଭୁବନେଶ୍ୱରସ୍ଥିତ ଡ଼ାଲମିଆ ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାରେ ମୋଟ ୩୧୪ ବ୍ଲକ ଅଧୀନରେ ଥିବା ୬୭୯୮ ଗ୍ରାମ ପଞ୍ଚାୟତ କାର୍ଯ୍ୟ କରୁଥିବା ଚତୁର୍ଥଶ୍ରେଣୀ କର୍ମଚାରୀ ପିଅନ, ରାତ୍ର ଜଗୁଆଳୀ, ଝାଡ଼ୁଦାର ମୋଟ ୮,୮୨୧ଜଣ କର୍ମଚାରୀ ବହୁବର୍ଷ ଧରି ଗ୍ରାମ ପଞ୍ଚାୟତରେ ଅନ୍ୟ ବିଭାଗ ଭଳି ସମାନ ଭାବରେ ସକାଳ ୧୦ ଘଟିକାରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଏପରିକି ଦିବା ରାତ୍ର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଯାବତୀୟ କାର୍ଯ୍ୟ କରି ରାଜ୍ୟ ସରକାରଙ୍କର ସମସ୍ତ ଜନହିତକର ଯୋଜନାକୁ ସର୍ବସାଧାରଣରେ ପହଞ୍ଚାଉଥିଲେ ମଧ୍ୟ ଏହି କର୍ମଚାରୀମାନଙ୍କର ଆଜି ପର୍ଯ୍ୟନ୍ତ ଚାକିରୀର ସ୍ଥାୟୀ ମାନ୍ୟତା ମିଳିନାହିଁ । ଏପରିକି ସମାନ କାମକୁ ସମାନ ଦରମା, ସର୍ବନିମ୍ନ ମଜୁରୀ ଓ ପଞ୍ଚାୟତିରାଜ ବିଭାଗରେ କର୍ମଚାରୀମାନଙ୍କର ସବିଶେଷ ତଥ୍ୟ ମଧ୍ୟ ନାହିଁ ଓ ନିକଟରେ ଏହି କର୍ମଚାରୀମାନଙ୍କୁ ପରିଚୟ ପତ୍ର ପ୍ରଦାନ ନିମନ୍ତେ ଓଡ଼ିଶା ସରକାର ପଞ୍ଚାୟତିରାଜ ବିଭାଗକୁ ସମସ୍ତ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ନିକଟକୁ ଆଦେଶ ପ୍ରଦାନ କରିଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ । ଏଣୁ ରାଜ୍ୟ ସରକାରଙ୍କ ୫-ଟି ଯୋଜନା କାର୍ଯ୍ୟକ୍ରମ ସାଙ୍ଗକୁ ମୋ ସରକାର ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଗ୍ରାମ ପଞ୍ଚାୟତ କର୍ମଚାରୀମାନଙ୍କର ଦୟନୀୟ ଅବସ୍ଥାକୁ ବିଚାରକୁ ନିଆଯାଇ ନାହିଁ, ଏଥି ନମନ୍ତେ କର୍ମଚାରୀ ମହଲରେ ଘୋର ଅସନ୍ତୋଷ ଦେଖାଦେଇଛି । ଏଣୁ ଯଥାଶୀଘ୍ର ଦାବୀଗୁଡ଼ିକ ପୂରଣ ପାଇଁ ଓଡ଼ିଶାର ୧୪୭ ନିର୍ବାଚନ ମଣ୍ଡଲୀର ବିଧାୟକ, ବିଧାୟିକାମାନଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଯଦି ସଂଘର ବିଭିନ୍ନ ଦାବୀକୁ ରାଜ୍ୟ ସରକାର ପୂରଣ ନ କରନ୍ତି, ତେବେ ବାଧ୍ୟ ହୋଇ ତରଫରୁ ବିଧାନସଭା ଆଗରେ ସମସ୍ତ କର୍ମଚାରୀ, ପିଅନ, ରାତ୍ର ଜଗୁଆଳୀ ଓ ଝାଡ଼ୁଦାରମାନେ ଏକତ୍ରିତ ହୋଇ ଆତ୍ମହୁତି ଦେବାକୁ ପଛାଇବେ ନାହିଁ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି । ଆଜିର ଏହି ବୈଠକରେ ବିଭିନ୍ନ ଜିଲ୍ଲାର ଜିଲ୍ଲା ସଭାପତି, ସମ୍ପାଦକ, ବ୍ଲକ ସଭାପତି ଓ ସମ୍ପାଦକଙ୍କ ସମେତ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ । କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ସେନାପତି ଓ ରାଜ୍ୟ ସଂଗଠନର ସାଧାରଣ ସମ୍ପାଦକ ସୁବ୍ରତ କୁମାର ରାଉଳଙ୍କ ସହିତ ରାଜ୍ୟ କମିଟିର ବରିଷ୍ଠ କର୍ମକର୍ତ୍ତା ଅରୁପାନନ୍ଦ ଡ଼ାକୁଆ, ସନାତନ ପ୍ରଧାନ, ଭାସ୍କର ପ୍ରଧାନ, ପ୍ରଦିପ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ସଂଘର ଦାବିକୁ ଯଥା ଶୀଘ୍ର ପୂରଣ କରିବା ପାଇଁ ବୈଠକରେ ମତବ୍ୟକ୍ତ କରିଥିଲେ । ପରିଷେଶରେ ତାରିଣୀ ଚରଣ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।


