ଗ୍ରାମ ପଞ୍ଚାୟତ ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘର ଚେତାବନୀ ଦାବି ପୂରଣ କର ନହେଲେ ଅସହଯୋଗ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପଞ୍ଚାୟତରେ କାର୍ଯ୍ୟରତ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ବିଭିନ୍ନ ପ୍ରମୁଖ ଦାବି ପୂରଣ ନହେଲେ ଆଗାମୀ ଦୀପାବଳୀରୁ ପଞ୍ଚାୟତସ୍ତରରୁ ଅସହଯୋଗ ସହିତ ଆନ୍ଦୋଳନ କରାଯିବ ବୋଲି ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘ ଚେତାବନୀ ଦେଇଛି । ରବିବାର ପୁରୁଣା ଭୁବନେଶ୍ୱରସ୍ଥିତ ଡ଼ାଲମିଆ ଧର୍ମଶାଳାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ସେନାପତି, ସାଧାରଣ ସମ୍ପାଦକ ସୁବ୍ରତ କୁମାର ରାଉଳ ସୂଚନା ଦେଇଛନ୍ତି ।
ରାଜ୍ୟର ୬୭୯୮ ଗ୍ରାମ ପଞ୍ଚାୟତରେ ୮୮୨୧ଜଣ ୪ର୍ଥ ଶ୍ରେଣୀ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଏବେ ଗ୍ରାମ ପଞ୍ଚାୟତମାନଙ୍କରେ କାର୍ଯ୍ୟଭାର ବୃଦ୍ଧିପାଇଛି । ସକାଳ ୧୦ ଘଟିକାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ କାର୍ଯ୍ୟାଳୟ ଖୋଲା ରହିବା ସହିତ ଲୋକମାନଙ୍କୁ ନିରବଚ୍ଛିନ୍ନ ଓ ନିରନ୍ତର ସେବା ଯୋଗାଇ ଦିଆଯାଉଛି । ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ କାର୍ଯ୍ୟ ତୁଳନାର ଆବଶ୍ୟକ ପାରିଶ୍ରମିକ ମିଳୁନାହିଁ । ଏହି କର୍ମଚାରୀମାନେ ସରପଞ୍ଚମାନଙ୍କ ଦ୍ୱାରା ଯେତିକି ନିର୍ଯ୍ୟାତିତ, ଅଭାବ, ଅନଟନରେ ସେତିକି ଜର୍ଜରିତ ହେଉଛନ୍ତି । କିନ୍ତୁ ପଞ୍ଚାୟତରେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ମାଧ୍ୟମରେ ଅଧିକାଂଶ କାର୍ଯ୍ୟ ହାସଲ କରୁଛନ୍ତି । ଏହି କର୍ମଚାରୀଙ୍କୁ ଏପର୍ଯ୍ୟନ୍ତ ଗୋଟିଏ ବି ସରକାରୀ ଅନୁଦାନ ମିଳୁନାହିଁ କି ପଞ୍ଚାୟତିରାଜ ବିଧି ବ୍ୟବସ୍ଥାରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ । କେବଳ ୨୦୧୪ ମସିହା ୧୨୫ ନିୟମ ଆଳ ଦେଖାଇ ସରକାର ଠକି ଚାଲିଛନ୍ତି ଓ ଗୋତିଶ୍ରମିକ ଭାବେ ବେଠି ଖଟାଇ ଖଟାଇ କର୍ମଚାରୀ ମାନେ ଦୁଃଖକଷ୍ଟରେ ମ୍ରିୟମାଣ ହୋଇପଡ଼ିଲେଣି । ପୂର୍ବରୁ ବ୍ଲକ, ଜିଲ୍ଲା ଠାରୁ ଆରମ୍ଭ କରି ରାଜ୍ୟ ସଂଘ ପକ୍ଷରୁ ବିଭିନ୍ନ ସମୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ ସେମାନଙ୍କ ଦାବି ପୂରଣ ହେଉନାହିଁ । ସେମାନଙ୍କୁ ସମାନ କାମକୁ ସମାନ ଦରମା ମିଳୁନାହିଁ । ଏହାକୁ ନେଇ କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ସଂଘର ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ସମାନ କାମକୁ ସମାନ ଦରମା ପ୍ରଦାନ, ସର୍ବନିମ୍ନ ମଜୁରୀରୁ କମ୍ ହେଉନଥିବ, ଏକ ଷ୍ଟାଣ୍ଡିଂ ଅର୍ଡ଼ର ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ପ୍ରଦାନ କରିବା, ୨୦୧୪ ମସିହା ୧୨୫ ନିୟମକୁ ସଂଶୋଧନ କରାଯାଇ ପଞ୍ଚାୟତିରାଜ ବିଧି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା, ଇ-ଗଭର୍ଣ୍ଣାନ୍ସ ଆପ୍ରେ ନାମ ପଞ୍ଜିକରଣ କରିବା, ଚାକିରୀ କ୍ଷେତ୍ରରେ ସୁରକ୍ଷା, ପଞ୍ଚାୟତିରାଜ ବିଭାଗରେ ସ୍ୱତନ୍ତ୍ର ବଜେଟ ବ୍ୟବସ୍ଥା କରିବା ଏବଂ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ପଦୋନ୍ନତି କରିବା । ଯଦି କାଳୀପୂଜା ପୂର୍ବରୁ ୪ର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ଦାବି ପୂରଣ ନହୁଏ ତେବେ ବାଧ୍ୟ ହୋଇ ସଂଘ ପକ୍ଷରୁ ଅସହଯୋଗ ସହିତ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।


