ଗ୍ରାହକ ଖୁସ୍ ପନିପରିବାର ଅଭାବୀ ବିକ୍ରି : ଚିନ୍ତାରେ ଚାଷୀ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଳକର ବହୁ ଗ୍ରାମାଞ୍ଚଳ ପନିପରିବା ଫସଲ ସକାଶେ ଖ୍ୟାତି ଅର୍ଜନ କରିଛି । ହିଞ୍ଜିଳିକାଟୁ ଅଞ୍ଚଳରୁ ବିଭିନ୍ନ ପ୍ରକାର ପନିପରିବା ଆମଦାନୀ ପରେ ଗଞ୍ଜାମ ଜିଲ୍ଲା ସମେତ ଫୁଲବାଣୀ, ଗଜପତି ଜିଲ୍ଲା ଓ ନିକଟସ୍ଥ ଅଞ୍ଚଳକୁ ରପ୍ତାନି କରାଯାଇଥାଏ । ହିଞ୍ଜିଳିକାଟୁ ବ୍ଳକ ବୁରୁପଡ଼ା, ଖଣ୍ଡରା, ଚାନ୍ଦୁଲି, ସିକିରି, ଆଲପୁର, ଖରିଡ଼ା, ରାଳବ, ଶାସନଆମ୍ବଗାଁ , ଗିରିଆ ନାରାୟଣପୁର ପ୍ରଭୃତି ପଞ୍ଚାୟତର ବହୁ ବନ୍ଧାକୋବି ଓ ଟମାଟ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ଚିନ୍ତାରେ ବସିଥିବା ଦେଖିବାକୁ ମିଳିଛି । ସଂପୃକ୍ତ ଅଞ୍ଚଳର ଚାଷୀ ମାନେ ଋଣ କରଜ କରି ଲଗାଇଥିବା କୋବି ଓ ଟମାଟ ଚାଷରେ ଏକର ପିଛା ୪୦ ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି କୋବି ଓ ଟମାଟ ଅମଳ କରିଥିବା ବେଳେ ବର୍ତ୍ତମାନ ବନ୍ଧାକୋବି ଓ ଟମାଟର ଚାହିଦା ବହୁ ନିମ୍ନସ୍ତରକୁ ଖସି ଆସିଛି । ବର୍ତ୍ତମାନ ସଂପୃକ୍ତ ଅଞ୍ଚଳର ଚାଷୀକୂଳ ଅମଳ କରିଥିବା ହଜାର ହଜାର ଟଙ୍କାର କୋବି ଓ ଟମାଟ ଫସଲ ଜମିରେ ପଡ଼ିରହିଛି । ଚାଷୀ ଏବେ ନିଜର ଅମଳ କରିଥିବା ବନ୍ଧାକୋବି ଓ ଟମାଟ କାଟି ଜମିରେ ରଖିଛି । କୋବି ବିକ୍ରୟ କଲେ (ହୋଲସେଲରେ) ଦର କିଲୋ ପିଛା ୩ ରୁ ୪ ଟଙ୍କାରେ ବିକ୍ରି କରୁଥିବା ବେଳେ କୋବି ଓ ଟମାଟ ଚାଷୀ ମାନେ କରଜ କରି ହଜାର ହଜାର ଟଙ୍କାର ବିହନ ଲଗାଇ ଫସଲ ଆଦାୟର ମୂଲ୍ୟ ପାଇନାହାନ୍ତି । ଯାହା ଫଳରେ ହଜାର ହଜାର ଚାଷୀ ଜମିରେ କୋବି ଓ ଟମାଟ ଅମଳ ପରେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବୁରୁପଡ଼ା ପଞ୍ଚାୟତର ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ଚାଷୀ କୋବି ଓ ଟମାଟ ଚାଷ କରିଥିବା ଜଣାପଡ଼ିଛି । ବୁରୁପଡ଼ା ପଞ୍ଚାୟତର ପ୍ରତାପ ମଲ୍ଲିକ, ବାୟା ସେଠି, ଅଭି ସାମଲ, ବୁଦ୍ଧିଆ ସ୍ୱାଇଁ, ହନୁ ସାମଲ ପ୍ରମୂଖ ଚାଷୀ ମାନେ ନିଜ ନିଜର ପ୍ରାୟ ୨ ଏକର ଜମିରେ ପ୍ରାୟ ୪୦ ହଜାର ଟଙ୍କା ବିନିଯୋଗ କରି କୋବି ଚାଷ କରିଥିବା ବେଳେ ବର୍ତମାନ ସୁଦ୍ଧା ୧୦ ହଜାର ଟଙ୍କା ମଧ୍ୟ ଉପାର୍ଜନ କରିନଥିବା କହିଛନ୍ତି । ବନ୍ଧାକୋବି ବିହନ ମଞ୍ଜି ୧୦ ଗ୍ରାମ ପିଛା ୪ ଶହ ଟଙ୍କା ଦେଇ କିଣିବା ପରେ ସାର ପିଡ଼ିଆ ପକାଇବାକୁ ପଡ଼ିଥାଏ । ପରବର୍ତ୍ତୀ ସମୟରେ ଅମଳ କରାଯାଇଥିବା କୋବି ଫସଲକୁ ରୋଗ ପୋକ ଦାଉରୁ ରକ୍ଷା କରିବା ଲାଗି କିଟନାଶକ ଔଷଧ ପ୍ରୟୋଗ କରାଯାଇଥାଏ । ପରିବାରର ୩ରୁ ୪ ଜଣ ସଦସ୍ୟ ପରିଶ୍ରମ କରି ଫସଲ ଉପୁଜାଇଥାନ୍ତି । ବର୍ତ୍ତମାନ ପରିସ୍ଥିତିରେ ଲାଭତ ଦୂରର କଥା ପରିଶ୍ରମର ମୂଲ ମଧ୍ୟ ମିଳୁନଥିବା ଯୋଗୁଁ ବାଧ୍ୟ ହୋଇ ଅମଳ କରିଥିବା କୋବି ଓ ଟମାଟକୁ ନକାଟି ଜମିରେ ଛାଡ଼ି ଦେଇଥାନ୍ତି ବୋଲି ବହୁ ଚାଷୀ କହିଛନ୍ତି । ଚାଷୀ ନିଜର ଅମଳ ବନ୍ଧାକୋବି ଓ ଟମାଟକୁ ବଜାରକୁ ନେଇ ହୋଲସେଲ ଦରରେ କିଲୋ ପିଛା ୩ ରୁ ୪ ଟଙ୍କାରେ ବିକ୍ରି କରୁଥିବା ବେଳେ ଖୁଚୁରା ବଜାରରେ ଗ୍ରାହକ କିଲୋ ପିଛା ୮/୧୦ ଟଙ୍କାରେ କିଣୁଛନ୍ତି । ବିଶେଷ ଭାବରେ ବର୍ତ୍ତମାନ ସ୍ଥିତିରେ ପନିପରିବା ଦର ଖୁବ୍ କମ୍ ଦାମରେ ମିଳୁ ଥିବାରୁ ଗ୍ରାହକ ମାନେ ଅତ୍ୟନ୍ତ ଖୁସି ରହିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଚାଷୀ ନିଜର ଉତ୍ପାଦିତ ଫସଲର ସଠିକ୍ ମୁଲ୍ୟ ପାଇପାରୁନଥିବାରୁ ପନିପରିବା ଚାଷୀ ମାନେ ଚିନ୍ତାରେ ରହିଛନ୍ତି । ଏଥି ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଅଞ୍ଚଳର ଚାଷୀକୂଳ ନିବେଦନ କରିଛନ୍ତି ।