ଗ୍ୟାସ ଗାଡି ଦୁର୍ଘଟଣାରେ ମୃତ ଓ ଆହତ ଅଙ୍ଗନବାଡ଼ି କର୍ମଚାରୀଙ୍କ ପରିବାରକୁ ସାହାଯ୍ୟ ପାଇଁ ବିଏମ୍ଏସ୍ ସଂଗଠନ ତରଫରୁ ଦାବିପତ୍ର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଗତ ୨୮ ସେପ୍ଟେମ୍ବର ୨୦୨୦ ଦିନ ବିଶୋଇ ଥାନା ଅନ୍ତର୍ଗତ ସାର୍ନା ଛକରେ ଅଙ୍ଗନବାଡ଼ି କେନ୍ଦ୍ରର ବୈଠକ ସାରି ଘରକୁ ଫେରିବାକୁ ଅପେକ୍ଷାରତ ଅଙ୍ଗନବାଡ଼ି ଦିଦିଙ୍କୁ ଧକ୍କା ଦେଇଥିଲା ଇଣ୍ଡେନ ଗ୍ୟାସ ଗାଡି । ଦୁର୍ଘଟଣାରେ ଅଙ୍ଗନବାଡ଼ି ଦିଦି ସାବିତ୍ରୀ ମୁଣ୍ଡା ଏବଂ ତାଙ୍କ ସ୍ବାମୀ ସୁକୁରା ମୁଣ୍ଡାଙ୍କ ମୃତ୍ୟୁ ହୋଇଥିବା ବେଳେ ଅଙ୍ଗନବାଡ଼ି ଦିଦି ନିରୁପମା ହେମ୍ବ୍ରମ ଗୁରୁତର ଅବସ୍ଥାରେ ବାରିପଦାସ୍ଥ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜରେ ଜୀବନ ସହିତ ସଂଘର୍ଷ କରୁଛନ୍ତି । ଭାରତୀୟ ମଜୁଦୁର ସଂଘ ସହ ବନ୍ଧିତ ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ୍ ଓ୍ବାର୍କସ ମୟୁରଭଞ୍ଜ ଜିଲ୍ଲା ଶାଖା ବିଶୋଇ ବ୍ଳକର ସଦସ୍ୟ ବୃନ୍ଦ ଏହି ଦୁଇ ଅଙ୍ଗନବାଡି ଦିଦି । ମୃତ ସାବିତ୍ରୀଙ୍କ ର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି । ଘରକୁ ରୋଜଗାରିଆ ବ୍ୟକ୍ତି କେହି ନାହିଁ । ଚିନ୍ତାରେ ପରିବାର ଲୋକେ । ମଙ୍ଗଳବାର ଦିନ ବି.ଏମ.ଏସ୍ ସଂଗଠନ ତରଫରୁ ଜିଲ୍ଲା ସଭାପତି ନିଗମାନନ୍ଦ ପଟ୍ଟନାୟକଙ୍କ ନେତୃତ୍ୱରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଦ୍ଵାରା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ଶିଶୁ ବିକାଶ ଓ ମିଶନ ଶକ୍ତିକୁ ଏକ ଲିଖିତ ଦାବି ପ୍ରଦାନ କରାଯାଇଛି । ଦାବି ମଧ୍ୟରେ ମୃତକ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ପରିବାରର ଜଣଙ୍କୁ ଚାକିରି ଥଇଥାନ, ଏବଂ ଆହତ କର୍ମଚାରୀଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ସମସ୍ତ ମାଗଣା ଚିକିତ୍ସା ବ୍ୟବସ୍ଥା ସରକାର ଶିଘ୍ର କରନ୍ତୁ । ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଂପାଦକ ବୋଧିରଞ୍ଜନ ମହାନ୍ତ,ବି.ଏମ.ଏସ ରାଇରଙ୍ଗପୁର ବ୍ଲକ ସଭାପତି ଆଡଭୋକେଡ ବିଭୁଦେନ୍ଦ୍ର ଲେଙ୍କା, ଉପସଭାପତି ମନୋଜ ସେଠୀ,କୌଶିକ କାଶ୍ୟପ ମହାନ୍ତି,ତାରା ପ୍ରସାଦ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ ।ବିଏମ୍ଏସ୍ କାର୍ଯ୍ୟାଳୟ ପରିସରରେ ମୃତକ ପରିବାର ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ଓ ଗୁରୁତରଙ୍କୁ ଶିଘ୍ର ଆରୋଗ୍ୟ କାମନା କରାଯାଇଥିଲା ।


