ଘଟଗାଁ ବ୍ଲକରେ ଜିଲ୍ଲାପାଳଙ୍କ ଉନ୍ନୟନ କାର୍ଯ୍ୟ ତଦାରଖ
ଘଟଗାଁ, (ନାରାୟଣ ପଲେଇ):ଆଜି ସକାଳେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଥାକରେ ମା ତାରିଣୀ ମନ୍ଦିର ଗସ୍ତ କରି ମନ୍ଦିର ଖୋଲିବା ସମ୍ବନ୍ଧୀୟ ବିଧିଵ୍ୟଵସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ। ପରେ ସେ ବ୍ଲକ ଅଫିସ ଗସ୍ତ କରି ଅନ୍ୟାନ୍ୟ ଯୋଜନାର ଅଗ୍ରଗତି ବିଷୟରେ ପଚାରି ବୁଝିଥିଲେ। ଏହି ସମୟରେ ସେ ଆକସ୍ମିକ ଗସ୍ତ ସ୍ୱରୁପ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ବିଭିନ୍ନ ୱାର୍ଡ ଓ ଚିକିତ୍ସାସେବା କୁ ଅନୁଧ୍ୟାନ କରିଥିବା ଦେଖାଯାଇଥିଲା। ପରେପରେ ସେ ଘଟଗାଁ ହାଟ ପଡିଆ ନିକଟରେ ନୂତନ ବସଷ୍ଟାଣ୍ଡ ପାଇଁ ପ୍ରଶାସନ ତରଫରୁ ଚିହ୍ନିତ ଜାଗା ବୁଲିଦେଖିବା ସହ ଖୁବ ଶୀଘ୍ର ଜାଗାକୁ ତାରବାଡ଼ ଘେରା ଯାଇ କାର୍ଯ୍ୟ ଆରମ୍ଭ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହା ସହ ଜିଲ୍ଲା ଖଣିଜ ପାଣ୍ଠି ଓ ଓମବାଡ଼ସି ସହାୟତାରେ ହାତକୁ ନିଆଯାଇଥିବା ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ପରିଦର୍ଶନ ଲକ୍ଷ୍ୟରେ ପିପିଳିଆ ଉଚ୍ଚ ବିଦ୍ୟାଳୟ ଗସ୍ତ କରି ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ବିଦ୍ୟାଳୟର ବିଜ୍ଞାନ ପରୀକ୍ଷାଗାର, ଲାଇବ୍ରେରୀ, ଅତିରିକ୍ତ ଶ୍ରେଣୀ କୋଠରୀ ଓ ତୋରଣ ଆଦି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଗସ୍ତ ସମୟରେ କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ, ତହସିଲଦାର ଜନକ ନାୟକ, ଏବିଡ଼ିଓ ଚିତ୍ତରଞ୍ଜନ ନାୟକ, ସହକାରୀ ଯନ୍ତ୍ରୀ କେଦାରନାଥ ସିଂ ଓ କନିଷ୍ଠ ଯନ୍ତ୍ରୀ ଭୋଳାନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ଥାଇ ଆନୁଷଙ୍ଗିକ ସହଯୋଗ କରିଥିଲେ।