ଘର ଓ ଜମି ବିଭାଜନକୁ କେନ୍ଦ୍ରକରି କଳହ
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅର୍ନ୍ତଗତ ନଡା ଗ୍ରାମରେ ଘର ଓ ଜମି ବିଭାଜନକୁ କେନ୍ଦ୍ରକରି ଗୋଟିଏ ପରିବାରର ଦୁଇ ଭାଇ ଓ ପିଲାମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ପୁଅ ଓ ପୁତୁରା ଗୁରୁତର ହୋଇଛନ୍ତି। ନଡା ଗ୍ରାମରେ ନିରଞ୍ଜନ ପରିଡା ଓ ତାଙ୍କ ଭାଇ ପ୍ରକାଶ ପରିଡାଙ୍କର ଘର ଏବଂ ସମ୍ପତ୍ତି ବିଷୟକୁ ନେଇ ଦୀର୍ଘଦିନହେଲା ବିବାଦ ଲାଗିରହିଛି। କିନ୍ତୁ ବାରମ୍ବାର ଥାନାରେ ଅଭିଯୋଗସତ୍ତ୍ୱେ ସେମାନଙ୍କର ସମାସ୍ୟାର ସମାଧାନ ହୋଇପାରୁନାହିଁ। ଏହି ସମାସ୍ୟା ସମାଧାନ ହୋଇପାରୁନଥିବାରୁ ପ୍ରକାଶ ପରିଡା, ତାଙ୍କ ସ୍ତ୍ରୀ ତ୍ରିବେଣି ପରିଡା ଓ ତାଙ୍କ ପିଲାମାନଙ୍କ ସହିତ ମିଶି ଗତ ୨୪ବର୍ଷହେଲା ନଡା ଗ୍ରାମ ଛାଡି , ଚୋପରା ଗ୍ରାମରେ ଆସି ବସବାସ କରୁଛନ୍ତି। ହେଲେ ଗତ ଫେବୃଆରୀ ମାସ ୨୧ ତାରିଖରେ ତ୍ରିବେଣି କିଛି ଟଙ୍କା କରଜ କରି ନିଜ ପୁଅର ବାହାଘର କରିଥିଲେ। ଏହି ଋଣପରିଶୋଧ କରିବାନିମନ୍ତେ ନଡାଗାଁରେ ଥିବା ତାଙ୍କ ପୁରୁଣା ଘରକୁ ବିକିବା ପାଇଁ ଚିନ୍ତାକରି ଗତକାଲି ରାତିରେ ନଡାଗାଁସ୍ଥିତ ଘରକୁ ଯାଇଥିଲେ କିନ୍ତୁ ସେଠାରେ ତ୍ରିବେଣୀ ଙ୍କ ଜା ତାଙ୍କୁ ଘରବିକ୍ରି କରିପାରିବେ ନାହିଁ କହିବା ସହିତ ବିଭିନ୍ନ ପ୍ରକାର ଗାଳିଗୁଲଜ କରି ,ନିଜ ସ୍ୱାମୀ ନିରଞ୍ଜନ ପରିଡା, ପୁଅ ମେଙ୍ଗି( ତ୍ରିଲୋଚନ ପରିଡା), ପୁତୁରା କାଳିଆକୁ ଡାକି, ସମସ୍ତ ଚାରି ଜଣ ମିଶି ତ୍ରିବେଣିଙ୍କ ଉପରକୁ ଆକ୍ରମଣ କରିଥିଲେ। କିଛି ସମୟ ପରେ ତ୍ରିବେଣୀଙ୍କ ପୁଅ ଶିଲୁ ଆସିବାରୁ ତାକୁ ମଧ୍ୟ ସେମାନେ ମିଶି ଆକ୍ରମଣ କରିଥିଲେ। ଏହି ସମୟରେ ନିରଞ୍ଜନଙ୍କ ଠାରୁ ଅନ୍ୟତ୍ର ଅଲଗା ରହୁଥିବା ନିରଞ୍ଜନ ପରିଡାଙ୍କ ମଝିଆପୁଅ ଦିଲିପ ପରିଡା ସେହି ରାସ୍ତାଦେଇ ଯାଉଥିବାବେଳେ ଏହି ଗଣ୍ଡଗୋଳକୁ ଅଟକାଇବାକୁ ଆସିଥିଲେ, ସେତେବେଳେ ଦିଲିପଙ୍କ ଉପରକୁ ମଧ୍ୟ ଆକ୍ରମଣ କରିବା ସହିତ ମେଙ୍ଗି ଦିଲିପଙ୍କ ମୁହଁକୁ ଛୁରାମାଡ କରିବା ସହିତ ଲହୁଲୁହାଣ କରିଦେଇଥିଲେ। ଏପରି ସମୟରେ ମେଙ୍ଗିର ଧମକରେ ଗାଁଲୋକେ ମଧ୍ୟ ଡରରେ ଏହି ଗଣ୍ଡଗୋଳକୁ ରୋକିବାକୁ ଆସିନଥିଲେ ।ଶେଷରେ ତ୍ରିବେଣିଙ୍କ ଆଉ ଜଣେ ଦେଢଶୁର ଆସି ଦିଲିପକୁ ଉଦ୍ଧାର କରି ଜଗନ୍ନାଥପ୍ରସାଦ ଚିକିତ୍ସାଳୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ। ଏହି ଘଟଣାକୁ ନେଇ ତ୍ରିବେଣି ଜଗନ୍ନାଥପ୍ରସାଦ ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ କରୁଛି।