ଘର ବାରଣ୍ଡାରେ ଚାଲିଛି ଅଙ୍ଗନବାଡି
ହାଟଡିହି, (ବିକାଶ ବିଶ୍ୱାଳ):ରାଜ୍ୟ ସରକାର ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ତତ୍ପରତା ଦେଖାଉଥିବାବେଳେ ହାଟଡିହି ବ୍ଲକରେ ଏବେ ମଧ୍ୟ ୫୦ରୁ ଉର୍ଦ୍ଧ କେନ୍ଦ୍ରର ଘର ନଥିବାରୁ କେଉଁଠି ଘର ବାରଣ୍ଡାରେ ଚାଲିଛି ତ ଆଉ କେଉଁଠି ସ୍କୁଲ ବାରଣ୍ଡାରେ ଚାଲିଛି ଅଙ୍ଗନବାଡି । କିନ୍ତୁ କିଛି ସ୍ଥାନରେ ଅଙ୍ଗନବାଡି କେନ୍ଦ୍ର ନଥିବାବେଳେ ସେଠାରେ ଘର ନିର୍ମାଣ ହୋଇଛି । ଯାହାକି ସରକାରଙ୍କ ଏହି ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତର ଫୁଲଝର ଗ୍ରାମରେ ଅଙ୍ଗନବାଡି କେନ୍ଦ୍ରଟି ଅଙ୍ଗନବାଡି କର୍ମୀଙ୍କ ଘର ବାରଣ୍ଡାରେ ଚାଲୁଥିବା ଦେଖିବାକୁ ମିଳିଛି । ଏଠାରେ ୨୧ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ଘର ନଥିବାରୁ ଏମାନେ ଶିକ୍ଷୟତ୍ରୀଙ୍କ ଚାଳଘର ବାରଣ୍ଡାରେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳିଛି । ବର୍ଷା ହେଲେ ଶୋଇବା ଘରେ ଛୁଆଙ୍କୁ ବସି ପଢ଼ାଏ ନହେଲେ ଏହିପରି ବାରଣ୍ଡାରେ ବସି ପଢ଼ାଉଛି ବୋଲି ଅଙ୍ଗନବାଡି କର୍ମୀ ପଦ୍ମିନୀ ନାଇକ ପ୍ରକାଶ କରିଛନ୍ତି । ନିଜ ରୋଷେଇ ଘରେ ପିଲାମାନଙ୍କୁ ରୋଷେଇ କରି ଖାଇବାକୁ ଦେଉଥିବା ଦେଖିବାକୁ ମିଳିଛି । ତୁରନ୍ତ ପ୍ରଶାସନ ପକ୍ଷରୁ ଏହି ଅଙ୍ଗନବାଡି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।