ଘୁଷୁରି ପ୍ରାଦୁର୍ଭାବ ହଟାଇବା ଏବଂ ରାସ୍ତା ନିର୍ମାଣ ପାଇଁ ଦାବି ଜଣାଇଲେ କାଶୀନଗର ରଇତ ସଂଘ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ରଇତ ସଂଘ ତରଫରୁ କାଶୀନଗର ଏନ୍ଏସି ନର୍ବାହୀ ଅଧିକାରୀ ଡ. ସତ୍ୟସଂପର୍ଣ୍ଣା ରାଉତଙ୍କୁ ଦୁଇଟି ଦାବି ପତ୍ର ପ୍ରଦାନ କରାଯାଇଥିବାର ଜଣାଯାଇଛି । ଗୋଟିଏ ଦାବିପତ୍ର ଚନ୍ଦ୍ରାୟାକାରା ଗୋର୍ଜିର ସବୁବେଳେ କାଦୁଅ ହୋଇ ରହୁଥିବା ପକ୍କା ରାସ୍ତା ନିର୍ମାଣ ସଂପର୍କୀୟ ହୋଇଥିବାବେଳେ ଅନ୍ୟ ଦାବୀ ପତ୍ରଟି ଚାଷୀମାନେ ଆତ୍ମଘାତୀ ପଦକ୍ଷେପ ନେବା ପୂର୍ବରୁ ଘୁଷୁରି ପ୍ରାଦୁର୍ଭାବ ପ୍ରଶାସନିକ ଉଦ୍ୟମରେ ହଟାଇବାକୁ ଦିଆଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ସ୍ଥାନୀୟ ପୋଲିସ ଷ୍ଟେସନ ନିକଟରେ ଚନ୍ଦ୍ରାୟାକାରା ଗୋର୍ଜି ନାମକ ସ୍ଥାନ ରହିଛି । ଯାହା ବହୁ ଚାଷୀ ଫସଲ ଉତ୍ପାଦନ ପରେ ତାହା ମୁଖ୍ୟ ରାସ୍ତାକୁ ଆଣିବା ପାଇଁ ଏକ ମାତ୍ର ବିକଳ୍ପ । କିନ୍ତୁ ବର୍ଷାରେ ଜଳ ନିଷ୍କାସନର ଅସୁବିଧା ଇତ୍ୟାଦି କାରଣରୁ ବର୍ଷ ସାରା ତାହା କାଦୁଅ ହୋଇ ରହୁଛି । ସେଠାରେ ପକ୍କା ରାସ୍ତା ନିର୍ମାଣ କରାଗଲେ ସୁବିଧାରେ ଟ୍ରାକ୍ଟର, ଶଗଡ ଇତ୍ୟାଦି ଯାଇ ପାରିବ ବୋଲି ଚାଷୀମାନେ କହିଛନ୍ତି ଓ ସେ ସମ୍ପର୍କୀୟ ଦାବୀ ରଖିଛନ୍ତି । ଅନ୍ୟ ଦାବୀ ପତ୍ର ଅନୁଯାୟୀ ଘୁଷୁରି ପଲ ପଶି ଏକର ଏକର ଧାନ ଫସଲ ନଷ୍ଟ କରି ଦେଉଛନ୍ତି । ପ୍ରଶାସନକୁ ବାରମ୍ବାର ଘୁଷୁରି ପ୍ରାଦୁର୍ଭାବ ହଟାଇବା ପାଇଁ ଅନୁରୋଧ ପରେ ବି କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଇ ନାହିଁ । ତେଣୁ ହତାଶିଆ ଚାଷୀମାନେ ଆତ୍ମଘାତୀ ପଦକ୍ଷେପ ନେବା ବା ଆଇନ୍ ଶୃଙ୍ଖଳା ପରିସ୍ଥିତ ସୃଷ୍ଟି କରିବାର ସମ୍ଭାବନା ସମ୍ପର୍କରେ ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଯାଇଛି । ଯେତେ ଶୀଘ୍ର ସମ୍ଭବ ପୋଲିସ, ପ୍ରଶାସନ ଓ ରଇତ ସଂଘକୁ ଡାକି ଏକ ବୈଠକ କରିବାକୁ ଦାବି ଉପସ୍ଥାପିତ ହୋଇଛି । ନିର୍ବାହୀ ଅଧିକାରୀ ଡ. ରାଉତ ଘୁଷୁରି ମାଲିକମାନଙ୍କୁ ଡକାଇ ଅଲୋଚନା କରିବେ ଓ ମଙ୍ଗଳବାର ଦିନ ବୈଠକ ଡାକିବାକୁ ପ୍ରତିଶ୍ରୃତି ଦେଇଛନ୍ତି ବୋଲି ରଇତ ସଂଘ ତରଫରୁ ଜଣାପଡିଛି । ଏହି ଦାବି ପତ୍ର ଗୁଡିକ ପ୍ରଦାନ ବେଳେ ଚାଷୀ ସଂଘର ସଭାପତି ପ୍ରଶାନ୍ତ ମିଶ୍ରଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଚାଷୀ ଉପସ୍ଥିତଥିଲେ ।


