ଚଇତି ଯାତ୍ରାରେ ପ୍ରଶଂସା ସାଉଁଟିଲେ ଛତ୍ରପୁର ଯୁବ ସ୍ବେଚ୍ଛାସେବୀ ଦଳ
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ତାରାତାରିଣୀଙ୍କ ଚଇତି ଯାତ୍ରାର ଆଜି ଥିଲା ତୃତୀୟ ପାଳି; ଯେଉଁ ପାଳିରେ ପୂର୍ବ ପାଳି ଅପେକ୍ଷା ପ୍ରବଳ ଜନସମାଗମ ଦେଖାଯାଇଥିଲା। ଯାତ୍ରାରେ ହୋଇଥିବା ଭିଡକୁ ସମ୍ଭାଳିବାକୁ ଆଗେଇ ଆସିଥିଲେ ପୁରୁଣା ଭୁବନେଶ୍ୱରସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସେବାପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର ଓ ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର । ଏହି ପାଳିରେ ମାତ୍ରାଧିକ ଭିଡକୁ ନିୟନ୍ତ୍ରଣ କରିବାକୁ ସେମାନଙ୍କ ସହ ଯୋଗ ଦେଇଥିଲେ ଛତ୍ରପୁରର ଷାଠିଏଜଣ ଯୁବ ସ୍ବେଚ୍ଛାସେବୀ। ପୂର୍ବରୁ ଧାର୍ଯ୍ୟ ହୋଇଥିବା କାର୍ଯ୍ୟକ୍ରମ ଅନୁଯାୟୀ ଆଜି ଛତ୍ରପୁରର ଉତ୍ସାହୀ ଯୁବକମାନେ ସେବା କାର୍ଯ୍ୟ କରିବାକୁ ଭୋର ୪ଟା ସମୟରେ ପବିତ୍ର ମନ୍ଦିରରେ ପହଞ୍ଚିଥିଲେ। ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟରେ ଲୋକଙ୍କୁ ଧାଡିରେ ଛିଡା କରାଇ ଶୃଙ୍ଖଳିତ ଦର୍ଶନ କରାଇବା, ଚେତାଶୂନ୍ୟ ଲୋକଙ୍କୁ ଯଥାସମ୍ଭବ ପ୍ରାଥମିକ ଚିକିତ୍ସା ଯୋଗାଇବା, ଅସହାୟ ତଥା ଦିବ୍ୟାଙ୍ଗମାନଙ୍କୁ ମା’ଙ୍କ ଦର୍ଶନ କରାଇବା ଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟ ସମ୍ପାଦନ କରିଥିଲେ। କିନ୍ତୁ ସବୁଠୁ ବେଶୀ ପ୍ରଶଂସନୀୟ କାର୍ଯ୍ୟ ଥିଲା ମା’ଙ୍କ ପାଇଁ ଥିବା ପାଦ ଚଲା ସିଡ଼ି ରାସ୍ତାରେ ହଜିଯାଇଥିବା ତିନିବର୍ଷର ଝିଅକୁ ୨ଘଣ୍ଟା କାଳ ଖୋଜି ଶେଷରେ ତା ମାଆ କୋଳକୁ ଫେରାଇବା। ଯାହାକି ସମ୍ଭବ ହୋଇଥିଲା ଛତ୍ରପୁରର ସ୍ବେଚ୍ଛାସେବୀ ଏସ ରବି ଓ ଆଇ.ଆର.ଇରେ କାର୍ଯ୍ୟରତ ଅମିତ ପାତ୍ରଙ୍କ ସହଯୋଗରେ। ବହୁ ସମୟ ପରେ ପିଲାଟିକୁ ତା ମା’ ପାଖକୁ ଫେରାଇବାକୁ ନେଇ ପ୍ରଶାସନ ତଥା ପୋଲିସ ବିଭାଗ ପକ୍ଷରୁ ଏହି ଯୁବକମାନଙ୍କୁ ବିଶେଷ ପ୍ରଶଂସା କରାଯାଇଛି। ଆଜିର ଏହି ସେବା କାର୍ଯ୍ୟରେ ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ରେଡ୍ଡୀ, ବ୍ରଜ ମହାରଣା, ସୀମାଞ୍ଚଳ ସାହୁ, ଏନ ଗିରି ରାଓ, ପି ହେମନ୍ତ କୁମାର, ଚିନା ରେଡ୍ଡୀ, ମାଧବ ସାସମଲ, ଟୁଟୁ ନାୟକ ଆଦି ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ତଦାରଖ କରି ସୁଚାରୁ ରୂପେ ପରିଚାଳନା କରିଥିଲେ ।