ଚକ୍ଷୁବାଧିତଙ୍କୁ ଚାରିବର୍ଷ ହେବ ମିଳୁନାହିଁ ଭତ୍ତା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ଯାଏଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ହେଲେ ତୃଣମୂଳ ସ୍ତରର ଜନପ୍ରତିନିଧିଙ୍କ ଦାୟିତ୍ୱ ହୀନତା ଏବଂ ପ୍ରଶାସନିକ ବ୍ୟବସ୍ଥାର ସ୍ଥାଣୁତା ଯୋଗୁ ଜଣେ ଭିନ୍ନକ୍ଷମ ଉପଯୁକ୍ତ ସାହାର୍ଯ୍ୟ ସହଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ଦେଉଳପଦୀ ଗ୍ରାମରେ । ଗ୍ରାମର ସୁରେନ୍ଦ୍ର ଜେନାଙ୍କ ଝିଅ ଜୟନ୍ତୀ ଜେନା ଏବେ ୨୦ବର୍ଷରେ ପଦାର୍ପଣ କରିଛନ୍ତି । ଜନ୍ମରୁ ସେ ଦୁନିଆକୁ ଭଲ ଭାବରେ ଦେଖି ନଥିବାବେଳେ ବିଦ୍ୟାଳୟ ଦୁଆର ମଧ୍ୟ ମାଡି ନାହାଁନ୍ତି । ବୟସ ବଢିବା ସହିତ ଚକ୍ଷୁର ଦୃଷ୍ଟିଶକ୍ତି ଧିରେଧିରେ କମି ଯିବାରୁ ଜୟନ୍ତୀ ଏକ ପ୍ରକାର ଚିହ୍ନା ମୁହଁକୁ ବିନା କଣ୍ଠ ସ୍ୱରରେ ଜାଣି ପାରୁନାହାଁନ୍ତି । ସୁରେନ୍ଦ୍ର ଶ୍ରମିକ ଶ୍ରେଣୀର ବ୍ୟକ୍ତି ହୋଇଥିବାବେଳେ ଜୟନ୍ତଙ୍କୁ ମିଶାଇ ୫ଜଣ ପରିବାରକୁ ନେଇ ଚଳିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡିଛି । ଜୟନ୍ତୀଙ୍କ ବାପା ବି ଏବେ ପୌଢର ପ୍ରଥମ ପାହାଚରେ ପହଞ୍ଚିଗଲେଣୀ । ଘରର ଆର୍ଥିକ ସ୍ଥିତିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଉକ୍ତ ପରିବାର ପାଇ ସରକାରୀ ସାହାର୍ଯ୍ୟ କେତେ ଅନିର୍ବାଜ୍ୟ ଅଟେ । ସେ ଯାହା ବି ହେଉ ଝିଅର ଏଭଳି ଅବସ୍ଥାକୁ ଦେଖି ବାପା ସୁରେନ୍ଦ୍ର ପ୍ରାୟ ୧୫ବର୍ଷ ତଳୁ ଭତ୍ତା ଖଣ୍ଡେ ପାଇଁ ପଞ୍ଚାୟତ ଠାରୁ ବ୍ଲକ ଅଫିସ ଯାଏଁ ଦୌଡୁଛନ୍ତି । ଭତ୍ତା ତ ଦୂରର କଥା ଜୟନ୍ତୀଙ୍କ ପାଇଁ କେହି ଜଣେ ଆହାଃ କହି ନାହାଁନ୍ତି । ଏହାରି ଭିତରେ ସରକାରଙ୍କ ଭିନ୍ନକ୍ଷମ ପ୍ରମାଣପତ୍ର ବ୍ୟବସ୍ଥା ଆସିବାରୁ ଝିଅର ୧୬ବର୍ଷ ବେଳେ ୨୦୧୬ ମସିହାରେ ସୁରେନ୍ଦ୍ର ତାକୁନେଇ ଭଦ୍ରକ ମୁଖ୍ୟ ଡାକ୍ତରଖାନା ଯାଇଥିଲେ । ସେଠାରେ ଆଖି ପରୀକ୍ଷା ନିରୀକ୍ଷା କରିସାରିବା ପରେ ଜୟନ୍ତୀ ୭୦ଭାଗରୁ ଅଧିକ ଦୃଷ୍ଟିଶକ୍ତି ହରାଇଥିବା ଡାକ୍ତରମାନେ ସାର୍ଟିଫିକେଟରେ ଦର୍ଶାଇଛନ୍ତି । ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମେତ ଚକ୍ଷୁଡାକ୍ତର ୧.୧୨.୨୦୧୬ ମସିହାରେ ଜୟନ୍ତୀଙ୍କ ପାଇଁ ଚକ୍ଷୁବାଧିତ ପ୍ରମାଣପତ୍ର ଦେଇଛନ୍ତି । ଯାହାବଳରେ ସେ ସରକାରୀ ସାହାର୍ଯ୍ୟ ପାଇବ ବୋଲି ବ୍ୟବସ୍ଥା ରହିଛି । ପରିତାପର ବିଷୟ ଇତିମଧ୍ୟରେ ଚାରିବର୍ଷ ବିତିଯାଇଥିଲେ ମଧ୍ୟ ଚକ୍ଷୁବାଧିତ ଝିଅ କେବଳ ସାର୍ଟିଫିକେଟିକୁ ସାଇତି ରଖିଛନ୍ତି ହେଲେ ଭତ୍ତା କିମ୍ବା ଅନ୍ୟାନ୍ୟ ସାହାର୍ଯ୍ୟ ପାଇବାରୁ ସେ ବଞ୍ଚିତ ଥିବା ତାଙ୍କ ବାପା ସୁରେନ୍ଦ୍ର କହିଛନ୍ତି । ପୂର୍ବରୁ ତ ଯେତେ ଲୋକଙ୍କୁ ଗୁହାରୀ କରିଥିଲେ ସେକଥା ଛାଡ ହେଲେ ସାର୍ଟିଫିକେଟ ମିଳିବା ପରେ ପ୍ରଶାସନକୁ ଅବଗତ କରାଯାଇଥିଲେ ସୁଦ୍ଧା କେହି ମୋ କଥା ଶୁଣୁନାହାଁନ୍ତି । ଏଠି ପ୍ରଶ୍ନ ଉଠୁଛି ସରକାର ପ୍ରସ୍ତୁତ କରୁଥିବା ଜନହିତକାରୀ ଯୋଜନା ଯଦି ସଠିକ ଲୋକଙ୍କ ପାଖରେ ନପହଁଞ୍ଚେ ତାହେଲେ ପ୍ରଶାସନ ଓ ଜନପ୍ରତିନିଧି କଣ ଦାୟୀ ନୁହଁ କି ? ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ସାହୁଙ୍କୁ ଯୋଗାଯୋଗ କରାଯିବାରୁ ସେ କୁହନ୍ତି ଶତକଡା ୪୦ଭାଗରୁ ଅଧିକ ଭିନ୍ନକ୍ଷମ ଥିଲେ ସରକାରଙ୍କ ପକ୍ଷରୁ ଭତ୍ତା ଯୋଗାଯିବାର ବ୍ୟବସ୍ଥା ଅଛି । ଯଦି ମୀନତି ପୂର୍ବରୁ ଅନଲାଇନରେ ଭତ୍ତା ପାଇଁ ଅବେଦନ କରିଥିବେ ଯଥାଶୀଘ୍ର ତାଙ୍କୁ ଏହା ଯୋଗାଇଦିଆଯିବ ।