ହିଞ୍ଜିଳିରେ ଘନ ଘନ ବିଦ୍ୟୁତ୍ କାଟ ବଢୁଛି ଜନ ଅସନ୍ତୋଷ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗତ ସପ୍ତାହରୁ ଅଧିକ ଦିନ ଧରି ହିଞ୍ଜିଳିକାଟୁ ବିଦ୍ୟୁତ୍ ସବ ଡ଼ିଭିଜନରେ ଅଘୋଷିତ ବିଦ୍ୟୁତ୍ କାଟ ହେଉଥିବା ଯୋଗୁଁ ଗ୍ରାହକଙ୍କ ମଧ୍ୟରେ ଜନ ଅସନ୍ତୋଷ ବଢିବାରେ ଲାଗିଛି । ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ କରାଯାଉଥିବା ଯୋଗୁଁ ଏହାରି ପ୍ରଭାବରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ସମେତ ଶିକ୍ଷାର୍ଥୀଙ୍କ ଅନଲାଇନ ପରୀକ୍ଷା ଓ ଅଧ୍ୟୟନରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି । ମହାମାରୀ କରେନା ଭୁତାଣୁ ସଂକ୍ରମଣ ଯୋଗୁଁ ଦୀର୍ଘ ୫ମାସରୁ ଉର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିଥିଲା । ଅନଲକ-୫ କାର୍ଯ୍ୟକାରୀ ହେବା ପରେ ବର୍ତମାନ ସମୟରେ ଧାନକଳ, ଷ୍ଟୋନକ୍ରସର, ୱେଲଡ଼ିଙ୍ଗ ସପ୍ ସମେତ ବିଭିନ୍ନ ବୈଦ୍ୟୁତିକ ସରଞ୍ଜାମ ମରାମତି କେନ୍ଦ୍ର ମାଲିକ ମାନେ ବ୍ୟବସାୟକୁ ଚଲାଇ ନେବା ପାଇଁ କିଛିଟା ସ୍ୱପ୍ନ ଦେଖୁଥିବା ବେଳେ ବର୍ତମ।ନ ଅଘୋଷିତ ବିଦ୍ୟୁତ୍ କାଟ ସତେ ଯେପରିକି ଦାଉ ସାଧୁଛି । ପ୍ରତି ଘଂଟାଏ ସମୟ ବ୍ୟବଧାନରେ ୧୦ରୁ ୧୫ ମିନଟ ଲେଖାଏଁ ଅଘୋଷିତ ବିଦ୍ୟୁତ୍ କାଟ କରାଯାଉଛି । କେଉଁ ସମୟରେ ବିଦ୍ୟୁତ ସରବରାହ ଚାଲୁ ରହୁଛି ଏବଂ କେଉଁ ସମୟରେ ବିଚ୍ଚିନ୍ନ କରାଯାଉଛି ସହରବାସୀ ଜାଣିବା ମୁସ୍କିଲ ହୋଇପଡ଼ିଛି । ରାଜ୍ୟ ସରକାର ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସକାଶେ ଘୋଷଣଶ କରିଥିବା ବେଳେ ରାଜ୍ୟ ବିଦ୍ୟୁତ୍ ବିଭାଗ ଉତ୍ପାଦନ ହ୍ରାସ, ଋତୁକାଳୀନ ମରାମତି, କେନ୍ଦ୍ର ସରକାରଙ୍କ ଆଇପିଡ଼ିଏସ ଯୋଜନାରେ ବିଦ୍ୟୁତ ଉନ୍ନତି କରଣର ଆଳ ଦେଖାଇ ବିଦ୍ୟୁତ୍ କାଟ କରାଯାଉଛି । ବହୁ ସମୟରେ ଦିନକୁ ପ୍ରତି ଘଂଟାଏରେ ୨ରୁ ୩ ମିନଟ ଲେଖାଏଁ ୫ରୁ ୭ ଥର ବିଦ୍ୟୁତ୍ କାଟ କରାଯାଉଛି । ବିଦ୍ୟୁତ୍ ବିଭାଗର ଏଭଳି ଲୁଚକାଳି ଖେଳ ସହରବାସୀଙ୍କ ପାଇଁ କାଳ ସାଜିଛି । ବିଭାଗ ପକ୍ଷରୁ ଅଘୋଷିତ ବିଦ୍ୟୁତ୍ କାଟକୁ ତୁରନ୍ତ ବନ୍ଦ କରିବା ପାଇଁ ସହରବାସୀ ଦାବି ଜଣାଇଛନ୍ତି । ଏ ନେଇ ହିଞ୍ଜିଳିକାଟୁ ସବ ଡ଼ିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଦାଶଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇ ପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ