ଚଞ୍ଚକତା କରି ପ୍ରଧାନମନ୍ତ୍ରୀ ଆବାସ ଅର୍ଥ ହଡପ;ଜିଲାପାଳଙ୍କ ଠାରେ ଅଭିଯୋଗ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ହାଟଡିହୀ ଗ୍ରାମରେ ଜଣେ ଅଜଣା ବ୍ୟକ୍ତିଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ଉକ୍ତ ଅର୍ଥକୁ ହଡପ କରାଯାଇଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ଛୟାଳସିଂ ପଞ୍ଚାୟତ ହାଟଡିହୀ ରାଜସ୍ୱ ଗ୍ରାମରେ ଦୀର୍ଘ ୫୦ ବର୍ଷ ଧରି ଉପେନ୍ଦ୍ର ରାଉତ ପିତା- ଯୁଧିଷ୍ଠିର ସାହୁ ନାମକ କୌଣସି ବ୍ୟକ୍ତି ବସବାସ କରୁନଥିବା ବେଳେ ତାଙ୍କ ନାମରେ ଚଞ୍ଚକତା କରାଯାଇ ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ଏଥିସହ ତାଙ୍କ ନାମରେ ଖୋଲା ଯାଇଥିବା ଏକାଉଣ୍ଟକୁ ପ୍ରଥମ କିସ୍ତି ୨୦ ହଜାର ଓ ୨ୟ କିସ୍ତି ୩୦ ହଜାର ମିଶାଇ ମୋଟ ୫୦ ହଜାର ଟଙ୍କା ପେମେଣ୍ଟ କରାଯାଇଛି । ଏହି ତଥ୍ୟକୁ ଅଭିଯୋଗକାରୀ ମାନେ ଅନ୍ଲାଇନରୁ ଜାଣିବାକୁ ପାଇବା ପରେ ଏବେ ଏହାକୁ ନେଇ ସଧାରଣରେ ଚର୍ଚ୍ଚା ଜୋର ଧରିଛି । କୌଣସି ବ୍ୟକ୍ତି ଗତ ୨୦୧୩ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଭୋଟର ତାଲିକାରେ ଉପେନ୍ଦ୍ର ସାହୁ ପିତା-ଯୁଧିଷ୍ଠିର ସାହୁ ନାମ ଦରଜ କରିଥିବା ସ୍ଥଳେ ୨୦୧୧ ଜନଗଣନାରେ ତାଙ୍କ ନାମକୁ ସାମିଲ କରିଛନ୍ତି । ଉପେନ୍ଦ୍ର ରାଉତ କିମ୍ବା ଯୁଧିଷ୍ଠିର ସାହୁ ନାମକ କୌଣସି ବ୍ୟକ୍ତିଙ୍କ ଘର ହାଟଡିହୀ ଗ୍ରାମରେ ନଥିଲା କି ଏବେ ମଧ୍ୟ ନାହିଁ । ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନାମରେ ହାଟଡିହୀ ରାଜସ୍ୱ ଗ୍ରାମରେ କୌଣସି ସରକାରୀ ଜମିଜମାର କାଗଜପତ୍ର ନଥିବା ଜଣାଯାଇଛି । ଫଳରେ ଉପେନ୍ଦ୍ର ରାଉତ ଏହି ଗ୍ରାମର ସ୍ଥାୟୀ ବାସିନ୍ଦା ନୁହନ୍ତି ବୋଲି ଅଭିଯୋଗକାରୀ ମାନେ ଦାବୀ କରିଛନ୍ତି । ଏହି ଜନଗଣନାକୁ ଆଧାର କରି ଉପେନ୍ଦ୍ର ରାଉତଙ୍କ ନାମ ଛୟାଳସିଂ ଗ୍ରାମ ପଞ୍ଚାୟତ ପ୍ରତିକ୍ଷା ତାଲିକାରେ ଲିପିବଦ୍ଧ ହୋଇଅଛି । ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ ଉପେନ୍ଦ୍ର ରାଉତଙ୍କୁ ଚିହ୍ନି ନଥିବା କହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ, ପିତା ସାହୁ ହୋଇଥିବା ବେଳେ ପୁତ୍ର ରାଉତ କିପରି ହେଲେ । ଯଦି ଉପେନ୍ଦ୍ର ରାଉତଙ୍କ ଘର ହାଟଡିହୀ ହୋଇଥାଏ ତେବେ ସେ କେଉଁ ଖାତା ଓ କେଉଁ ପ୍ଲଟରେ ଘର କରିଛନ୍ତି । ଉପେନ୍ଦ୍ର ରାଉତଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନଥିପତ୍ରରେ କଣ ଦିଆଯାଇଛି । ଏସବୁର ତଦନ୍ତ ଆବଶ୍ୟକ ଅଛି । ତେବେ ଉକ୍ତ ଘଟଣାକୁ ଗୁରୁତ୍ୱ ଦେଇ ବିଧିବଦ୍ଧ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରଫୁଲ୍ଲ ରାଉତ, ଅନନ୍ତ ଚରଣ ଦାସ, ସୁଦାମ ଚରଣ ଖଣ୍ଡା ପ୍ରମୁଖ ପଞ୍ଚାୟତରାଜ ସଚିବ, ଜିଲ୍ଲାପାଳ, ଭିଜିଲାନ୍ସ ଭଦ୍ରକ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ବିଡିଓଙ୍କୁ ଲିଖିତ ଅଭିଯୋଗ କରାଯାଇଛି ।


