ଦୁର୍ଦ୍ଦଶାରେ ଜି.ପି.ଏଲ୍.ଏଫ୍ କର୍ମକର୍ତ୍ତା; ସରକାର ଦୃଷ୍ଟି ଦେବାକୁ ଦାବୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ତ୍ୱାରାନ୍ୱିତ କରିବା ସହିତ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସ୍ୱାବଲମ୍ବୀ କରିବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ଜୀବିକା ମିଶନ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି । ଏଥିପାଇଁ ଦିଲ୍ଲୀରୁ ପଲ୍ଲୀ ଯାଏ ଜୀବିକା ମିଶନ କାର୍ଯ୍ୟାଳୟରେ କର୍ମଚାରୀ ନିୟୋଜିତ ଅଛନ୍ତି । ଜୀବିକା ମିଶନର ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ତୃଣମୂଳ ସ୍ତରର କର୍ମଚାରୀ ଏମ୍.ବି.କେ, ସି.ଆର୍.ପି ପର୍ଯ୍ୟନ୍ତ ସମସ୍ତଙ୍କୁ ସରକାର ଦରମା ଓ ପାରିଶ୍ରମିକ ଦେଉଛନ୍ତି । ପ୍ରତି ପଞ୍ଚାୟତ ସ୍ତରରେ ଆଞ୍ଚଳିକ ମଞ୍ଚର ସମ୍ମିଶ୍ରଣରେ ମହିଳା ମହାସଂଘ ଗଠନ କରାଯାଇଛି । ଗ୍ରାମ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘର ମୁଖ୍ୟ କାର୍ଯ୍ୟ ନିର୍ବାହୀ ସଂପାଦିକା ଓ ସଭାନେତ୍ରୀ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ହୋଇଥାନ୍ତି । ସେମାନେ ମହାସଂଘର ସଞ୍ଚୟ ଖାତା ଗୁଡିକ ସଞ୍ଚାଳନ କରିଥାନ୍ତି । ଗ୍ରାମ ପଞ୍ଚାୟତ ମହିଳା ମାନଙ୍କୁ ତାଲିମ, ଜୀବିକା ନିର୍ବାହ କାର୍ଯ୍ୟ ଓ ଏମ୍.ବି.କେ, ସି.ଆର୍.ପି ମାନଙ୍କ ପାରିଶ୍ରମିକ ଅର୍ଥରାଶି ସବୁ ସରକାର ପ୍ରଦାନ କରିଥାନ୍ତି । ଜି.ପି.ଏଲ୍.ଏଫ ମୁଖ୍ୟ କର୍ମକର୍ତ୍ତା ବ୍ଲକ ଅଫିସ, ଜିଲ୍ଲା ଅଫିସ, ଗ୍ରାମ୍ୟ ପଞ୍ଚାୟତର ମହିଳା ମାନଙ୍କର ସମସ୍ତ କାର୍ଯ୍ୟ ସଂପାଦନ କରିଥାନ୍ତି । କିନ୍ତୁ ସେମାନଙ୍କ ପାଇଁ କୌଣସି ପାରିତୋଷିକ ନଥାଏ । ସମସ୍ତ ବର୍ଗର ଲୋକ ପ୍ରତିନିଧି ମାନେ ପାରିତୋଷିକ ପାଇଥାନ୍ତି । କିନ୍ତୁ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ହୋଇ ପ୍ରତି ଗ୍ରାମ ପଞ୍ଚାୟତରେ ଅନ୍ୟୁନ ସହସ୍ରାଧିକ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସମୟ ଦେଇ କାର୍ଯ୍ୟ ସଂପାଦନ କରୁଥିବା ଜି.ପି.ଏଲ୍.ଏଫ କର୍ମକର୍ତ୍ତା ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି । କେତେକ ଗ୍ରାମ ପଞ୍ଚାୟତର ଜି.ପି.ଏଲ୍,ଏଫ କର୍ମକର୍ତ୍ତା ଏଥିରୁ ଇସ୍ତଫା ଦେଇ ଓହରି ଯାଉଥିବା ଦେଖାଯାଉଛି । କେହି କେହି ଅନ୍ୟ ରାଜ୍ୟକୁ ଗୋତିଶ୍ରମିକ ଭାବେ ପଳାଇ ଯାଉଥିବା ଖବର ମିଳୁଛି । ସରକାର ଜି.ପିଏଲ୍.ଏଫ ସଂପାଦିକା ଓ ସଭାନେତ୍ରୀ ମାନଙ୍କୁ ପାରିତୋଷିକ ବ୍ୟବସ୍ଥା କରିବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି ।


