ଚତୁର୍ଥ ପର୍ଯ୍ୟାୟରେ ରୂପାନ୍ତର ହେଲା ବାଲେଶ୍ୱର ଜିଲ୍ଲାର ୭୬ ଉଚ୍ଚ ବିଦ୍ୟାଳୟ
ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ସରକାରଙ୍କ ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧିନସ୍ଥ ସମ୍ପ୍ରତି ଜାରି ରହିଥିବା ଚତୁର୍ଥ ପର୍ଯ୍ୟାୟରେ ବାଲେଶ୍ୱର ଜିଲ୍ଲାର ୭୬ ଗୋଟି ଉଚ୍ଚ ବିଦ୍ୟାଳୟକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିଛନ୍ତି I ସଦର ବ୍ଲକର ଶ୍ରୀରାମପୁର ଗ୍ରାମ ପଞ୍ଚାୟତସ୍ଥିତ ଗୁଣ୍ଡୁରୀପଦା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଏହି ଶିକ୍ଷାନୁଷ୍ଠାନଗୁଡିକୁ ଲୋକାର୍ପଣ କରିଛନ୍ତି I ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସଦର ବିଧାୟକ ଶ୍ରୀଯୁକ୍ତ ସ୍ୱରୂପ ଦାସ କହିଛନ୍ତି ଯେ ରୂପାନ୍ତରୀକରଣ ପ୍ରକ୍ରିୟା ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଯାହା ଆଗାମୀ ଦିନରେ ଓଡ଼ିଶାର ଯୁବପିଢ଼ିଙ୍କ ବିକାଶ ତଥା ପ୍ରଗତିରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ତତ୍ସହିତ ୫ଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି.କେ ପାଣ୍ଡିଆନଙ୍କ ସହିତ ଆଭାସୀ ମାଧ୍ୟମରେ ବାର୍ତ୍ତାଳାପ କରି ଗୁଣ୍ଡୁରୀପଦା ଉଚ୍ଚବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ପ୍ରିୟଙ୍କା ପ୍ରଧାନ ଭବିଷ୍ୟତରେ ଜଣେ ଆଇପିଏସ୍ ଅଧିକାରୀ ହେବାର ସ୍ୱପ୍ନ ବିଷୟରେ ଜଣାଇଥିଲେ I ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱସ୍ତରୀୟ ଇଣ୍ଟରାକ୍ଟିଭ୍ ଏବଂ ସ୍ମାର୍ଟ ଶ୍ରେଣୀଗୃହର ବିକାଶ କରାଯାଇଥିବାବେଳେ ବିଦ୍ୟମାନ ଭିତ୍ତିଭୂମିର ଗୁଣବତ୍ତା ବିକାଶ କରାଯାଇଛି | ପ୍ରତ୍ୟେକ ବିଦ୍ୟାଳୟରେ ଇ-ଲାଇବ୍ରେରୀ-ଓ-ପଠନ କକ୍ଷ ସମେତ ଆଧୁନିକ ବିଜ୍ଞାନ ଲାବୋରେଟୋରୀ ଗଠନ କରାଯାଇଛି | ନିରାପଦ ଏବଂ ବିଶୁଦ୍ଧ ପାନୀୟ ଜଳ, ସ୍ୱଚ୍ଛ ଶୌଚାଳୟ, ସର୍ବୋତ୍ତମ ଖେଳ ସୁବିଧା ସହିତ ଖେଳ ପଡିଆକୁ ନବୀକରଣ ମଧ୍ୟ ଏହି ପ୍ରକଳ୍ପ ଅଧୀନରେ କରାଯାଇଛି |ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ପାତ୍ର, ମାନ୍ୟବର ବିଧାୟକ ଭୋଗରାଇ ଶ୍ରୀଯୁକ୍ତ ଅନନ୍ତ ଦାସ, ମାନ୍ୟବର ବିଧାୟକ, ବାଲେଶ୍ୱର ସଦର ଶ୍ରୀଯୁକ୍ତ ସ୍ୱରୂପ ଦାସ, ଜିଲ୍ଲା ପରିଷଦର ମାନ୍ୟବର ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ I ଏଠାରେ ପ୍ରକାଶ ଥାଉ କି ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାର ୨୩, ୧୩୫ ଓ ୨୩୩ ଲେଖାଏଁ ଉଚ୍ଚ ବିଦ୍ୟାଳୟ ରୂପାନ୍ତରିତ ହୋଇସାରିଛି I