ଚତୁର୍ଥ ଲୋକକଳା ମହୋତ୍ସବ ୨୦୨୩ ଉଦଘାଟିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସ୍ଥିତ ରାଜାରାମ ମଠ ପ୍ରାଙ୍ଗଣରେ କୋଣାର୍କ ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନାଟ୍ୟଦୀପ ଆନୁକୁଲ୍ୟରେ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ, ରାଜ୍ୟ ସଂସ୍କୃତି ବିଭାଗ ଓ ଓମଫେଡ ସହଯୋଗରେ ୫ଦିନିଆ ଲୋକ କଳା ମହୋତ୍ସବକୁ ରାଜ୍ୟ ସରକାରଙ୍କ ଗୃହ ଓ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ସାଂସ୍କୃତିକ ଅନୁଷ୍ଠାନ ନାଟ୍ୟଦୀପର ନିର୍ଦ୍ଦେଶକ କାଳନ୍ଦୀ ଚରଣ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ସମାରୋହରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ଯୋଗଦେଇଥିଲେ। ଲୋକକଳାର ପୁନରୁଦ୍ଧାର ଓ ପ୍ରଚାର ଓ ପ୍ରସାର କରି ଜନମାନସରେ ଏହାର ଲୋକପ୍ରିୟତା ବୃଦ୍ଧି କରିବା ଏକାନ୍ତ ଅପରିହାର୍ଯ୍ୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଉଦଘାଟନୀ ସମାରୋହର ପ୍ରଥମାର୍ଦ୍ଧରେ ଓଡ଼ିଶୀନୃତ୍ୟ ପରିବେଷଣ କରାଯାଇଥିଲା। ଏହାପରେ କଳାକାର ମାନଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ପରିବେଷିତ ହୋଇଥିଲା। ଶେଷରେ ପୁରୀ ଜିଲ୍ଲା ରଘୁନାଥପୁର ଅଞ୍ଚଳର କଳାକାର ମାନଙ୍କ ଦ୍ଵାରା ଗୋଟିପୁଅ ନୃତ୍ୟର ମଂଗଳାଚରଣରେ ଗୁରୁ ବନ୍ଦନା, ଆହେ ନୀଳଶୈଳ ଓ ଓଡିଆରେ ଆମେ ଓଡ଼ିଆ ପରିବେଷଣରେ ମହୋତ୍ସବ ସ୍ଥାନରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା। ଏହି ଉଦଘାଟନୀ ସମାରୋହରେ କୋଣାର୍କ ତଥା ଆଖପାଖ ଅଞ୍ଚଳର ଜନସାଧାରଣଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଏହି ଉଦଘାଟନୀ ସମାରୋହକୁ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରତାପ କୁମାର ରାଉତ ସଂଯୋଜନା କରିଥିଲେ। ଏହି ମହୋତ୍ସବକୁ ନାଟ୍ୟଦିପର ସହନିର୍ଦ୍ଦେଶକ ନିତ୍ୟାନନ୍ଦ ମହାରଣା, ନିର୍ମଳ କୁମାର ପ୍ରଧାନ ଓ କାଳନ୍ଦୀ ଚରଣ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।


