ଚମାଖଣ୍ଡି ମୌଜାରେ ସରକାରୀ ଜମି ଜବରଦଖଲ

ଛତ୍ରପୁର ଯୁଗାବ୍ଦ ନ୍ୟୁଜ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମର ଭୂମିହୀନ, ଗୃହହୀନ ଗରିବମାନେ ଗୋପାଳପୁର ଇସ୍ପାତ ପ୍ରକଳ୍ପ ନିମନ୍ତେ ଜମି ହରାଇଥିବା ବେଳେ ଏହି ଚାଷୀମାନେ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପର ଠାରୁ ମୁଲ ଲାଗି ପରିବାର ଚଳାଉଛନ୍ତି । ବହୁ ପରିବାର ଗୃହହୀନ ହୋଇ ଭଡ଼ା ଘରେ ରହି ଚଳି ଆସୁଛନ୍ତି । ତେଣୁ ତତ୍କାଳୀନ ଉପଜିଲ୍ଲାପାଳ ଓ ତହସିଲଦାର ପ୍ରମୁଖ ଗ୍ରାମର ଦଖଲକାରୀଙ୍କୁ ଡ଼ାକି ଦଖଲରୁ ଉଚ୍ଛେଦ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହି ଦଖଲ ଜମି ଉପରେ ବିଭିନ୍ନ ଗ୍ରାମରୁ ଆସି ଚମାଖଣ୍ଡି ଛକରେ ଭଡ଼ାରେ ରହୁଥିବା ଅଧିକାଂଶ ବାହାର ଗ୍ରାମର ଲୋକ ସ୍ଥାୟୀ ଘର ନିର୍ମାଣ କରି ରହୁଛନ୍ତି । ଏପରିକି ସେମାନଙ୍କୁ ସେହି ଜମି ଉପରେ ସରକାରଙ୍କ ଦ୍ୱାରା ବିଜୁ ପକ୍କା ଘର ଓ ଇନ୍ଦିରା ଆବାସ ଗୃହ ନିର୍ମାଣ କରି ଦିଆଯାଇଛି । ଯେଉଁ ମାନଙ୍କୁ ସେଠାରେ ବସବାସ କରିବା ପାଇଁ ସୁଯୋଗ ଦିଆଯାଇଛି ସେହି ଅଧିବାସୀ ମାନଙ୍କର ପଡ଼ୋଶୀ ଆଖପାଖ ଗ୍ରାମରେ ଗୃହ ଜମି ରହିଥିବା ବେଳେ ଅଧିକାଂଶ ଆର୍ଥିକ ସ୍ୱଚ୍ଛଳ ବର୍ଗର ବ୍ୟକ୍ତି ଅଟନ୍ତି । ଏକାଧିକ ବାସଯୋଗ୍ୟ ଜମି ଥିବା ବ୍ୟକ୍ତିଙ୍କୁ ସେଠାରେ ବସବାସ କରିବା ପାଇଁ ସୁଯୋଗ ଦିଆଯାଉଥିବା ବେଳେ ଚମାଖଣ୍ଡି ଗ୍ରାମର ଗୃହହୀନ ଓ ଜମିହୀନ ଲୋକଙ୍କ ପାଇଁ ଅନ୍ୟାୟ କରାଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଣୁ ଏହାର ସତ୍ୟାସତ ତଦନ୍ତ କରି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରି ଚମାଖଣ୍ଡି ଗ୍ରାମର ପ୍ରକୃତ ହିତାଧିକାରୀଙ୍କୁ ସେହି ସରକାରୀ ଜମିରେ ବାସସ୍ଥାନ ପାଇଁ ଜମି ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି । ଏନେଇ ଚମାଖଣ୍ଡି ଗ୍ରାମ କମିଟି ପକ୍ଷରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ବିକ୍ରମ ଦୋରାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହାସହ ଛତ୍ରପୁର ତହସିଲଦାରଙ୍କୁ ମଧ୍ୟ ଅବିକଳ ନକଲ ପ୍ରଦାନ କରାଯାଇଛି । ସେହିପରି ଚମାଖଣ୍ଡି ଗ୍ରାମର କମିଟି ପକ୍ଷରୁ ଚମାଖଣ୍ଡି ଥାନାରେ ଲିଖିତ ଅଭିଯୋଗ କରାଯାଇଛି ଯେ ସେଠାକର କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ମାନେ ସରକାରୀ ଜାଗାରେ ୩/୪ ଲେଖାଏଁ ବାସ ଯୋଗ୍ୟ ଜାଗା ନିଜ ଦଖଲରେ ରଖି ସେହି ଜାଗା ଗୁଡିକୁ ନୀରିହ ଗରିବ ମାନଙ୍କୁ ଚଢା ଦରରେ ବିକ୍ରି କରି ଟଙ୍କା ଆତ୍ମସାତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ