ଚଳିତ ଆର୍ଥିକ ବର୍ଷରେ ହେବନି କୌଣସି ନୂଆ ଯୋଜନା
ଭୁବନେଶ୍ୱର: ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସହଭାଗିତାରେ ଯେଉଁ ପ୍ରକଳ୍ପ ଚଳିତ ବର୍ଷ ହେବାକୁ ଥିଲା ସେ ନେଇ କେନ୍ଦ୍ର ସରକାରଙ୍କ ଅଂଶ ମିଳିବା ପରେ କାମ ଆରମ୍ଭ ହେବ । ଏପଟେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ଚଳିତ ଆର୍ଥିକ ବର୍ଷରେ କୌଣସି ନୂଆ ଯୋଜନା ହେବନି । ଏହା ବାଦ କରୋନା କଟକଣା ପାଇଁ ରାଜ୍ୟ ସରକାରଙ୍କ ରାଜସ୍ୱ ଆଦାୟ ବି ବାଧାପ୍ରାପ୍ତ ହୋଇଛି । ତେଣୁ ଚଳିତ ଆର୍ଥିକ ବର୍ଷରେ କି କି ପ୍ରକଳ୍ପ ହୋଇପାରିବ, ଏଥିପାଇଁ ରାଜ୍ୟ ସରକାର କେତେ ଅର୍ଥ ଦେଇପାରିବେ ସେ ନେଇ ଉନ୍ନୟନ କମିସନର ସମୀକ୍ଷା ବୈଠକ ଡାକିଛନ୍ତି । ଜୁନ ୧୭ ଓ ୧୮ରେ ବସିବାକୁ ଥିବା ଏହି ବୈଠକରେ ୧୪ଟି ଯାକ ବିଭାଗର ବିଭିନ୍ନ ଯୋଜନାର କାର୍ଯ୍ୟକ୍ରମ ବ୍ୟୟ ଅଟକଳ ଉପରେ ସମୀକ୍ଷା ହେବ । ଏଥିରେ ସବୁ ବିଭାଗ ସେମାନଙ୍କ ଯୋଜନା ଓ ଚଳିତ ବର୍ଷ ଖର୍ଚ୍ଚ କରିବାକୁ ଥିବା ଟଙ୍କାର ହିସାବ ଦେବେ । ଅର୍ଥ ବିଭାଗ ଉକ୍ତ ଯୋଜନା ପାଇଁ କେତେ ଟଙ୍କା ଦେଇପାରିବେ ତାହା ବି କହିବ । ତାହା ପରେ ନିଷ୍ପତ୍ତି ନିଆଯିବ ଯେ, ଚଳିତ ବର୍ଷ କେତୋଟି ପ୍ରକଳ୍ପ ହେବ, କେତେ ପ୍ରକଳ୍ପ ହେବନି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୧୭ ଓ ୧୮ ତାରିଖରେ ବସିବାକୁ ଥିବା ବୈଠକକୁ ପୂରା ତଥ୍ୟ ସହ ଆସିବାକୁ ଉନ୍ନୟନ କମିସନର ୧୪ ଟି ବିଭାଗ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ବିଭାଗୀୟ ସଚିବମାନେ ସେମାନଙ୍କ ବିଭାଗର ଚଳିତ ଆର୍ଥିକ ବର୍ଷରେ ହେବାକୁ ଥିବା ପ୍ରକଳ୍ପର ତାଲିକା, କେତେ ଅର୍ଥ ଖର୍ଚ୍ଚ ହେବ ସେ ସବୁକୁ ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦୁଇ ଦିନ ଧରି ବସିବାକୁ ଥିବା ଏହି ବୈଠକରେ ଜୁନ ୧୭ରେ ଜଳ ସମ୍ପଦ, ଗ୍ରାମ୍ୟ ଉନ୍ନୟନ ପୂର୍ତ୍ତ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ସମୀକ୍ଷା ହେବ । ଜୁନ ୧୮ ରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଏବଂ ପଶୁ ସମ୍ପଦ, ଅନୁସୂଚିତ ଜନଜାତି ଏବଂ ଜାତି, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି, କ୍ରୀଡ଼ା ଏବଂ ଯୁବସେବା, ପର୍ଯ୍ୟଟନ, ଜଙ୍ଗଲ ପରିବେଶ ବିଭାଗ, ଶକ୍ତି, ଉଚ୍ଚ ଶିକ୍ଷା ବିଭାଗର ଯୋଜନା ଗୁଡ଼ିକ ସମୀକ୍ଷା ହେବେ ।


