ଚଳିତ ମାସ ୧୫ ତାରିଖରୁ କପା ସଂଗ୍ରହ

ଛତ୍ରପୁର,(ଦେବଦତ୍ତ ମହାରଣା) : ଦିଗପହଣ୍ଡି ଠାରେ ଥିବା ଆଞ୍ଚଳିକ ବଜାର କମିଟି (ଆର୍.ଏମ୍.ସି) ପରିସରରେ ଗିନିଙ୍ଗ୍ ଓ ପ୍ରେସିଙ୍ଗ ମିଲ୍ ଆସନ୍ତା ଜାନୁୟାରୀ ୨୬ ତାରିଖ ମଧ୍ୟରେ କାର୍ଯ୍ୟକ୍ଷମ ହେବ  । ଉକ୍ତ ମିଲ୍ ରେ କପାରୁ ମଞ୍ଜି ବାହାର କରି ତାହାକୁ ବଣ୍ଡଲ ଆକାରରେ ପ୍ରସ୍ତୁତ କରି କପଡା ପ୍ରସ୍ତୁତ କମ୍ପାନୀକୁ ପ୍ରେରଣ କରାଯିବ  । ଏଥି ସକାଶେ ମେସିନ୍ ସ୍ପାପନ କାର୍ଯ୍ୟ ଚାଲିଛି  । ଏହି ମିଲ୍ ରୁ ଜିଲ୍ଲାର କପାଚାଷୀ ଲାଭବାନ ହେବା ସହିତ ଜିଲ୍ଲାର କୁଶଳୀ କାରିଗର କର୍ମ ନିଯୁକ୍ତି ପାଇପାରିବେ  । ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ କପା ଉନ୍ନୟନ କମିଟି ବୈଠକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି  । ଗଞ୍ଜାମ ଜିଲ୍ଲାର ସାନ ଖେମୁଣ୍ଡି, ଦିଗପହଣ୍ଡି, ଚିକିଟି, ପାତ୍ରପୁର, ଶେରଗଡ, ସୋରଡା, ଧରାକୋଟ, ଜଗନ୍ନାଥ ପ୍ରସାଦ, ଭଞ୍ଜନଗର ଅଞ୍ଚଳରେ ବିଗତ ୨୦୧୯-୨୦ ଆର୍ଥିକ ବର୍ଷରେ ୮୫୮ ହେକ୍ଟର କପା ଉତ୍ପାଦନ ହୋଇଥିଲା  । ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ୫ ଟି ବ୍ଲକ୍ ରୁ ୧ହଜାର ହେକ୍ଟର ଚାଷ ଲକ୍ଷ୍ୟ ରଖାଯାଇଥିଲା କିନ୍ତୁ ୫୫୭ ହେକ୍ଟରରେ ୮୪୬୬ କ୍ବିଣ୍ଟାଲ ତନ୍ତୁ ଉତ୍ପାଦନ ହେବାର ଲକ୍ଷ୍ୟ ରଖାଯାଇଛି  । ଲକ୍ଷ୍ୟ ଧାର୍ଯ୍ୟ ଠାରୁ ଉତ୍ପାଦନ କମ୍ ହେଉଥିବା ଜାଣି ଜିଲ୍ଲାପାଳ କ୍ଷୋଭ ପ୍ରକାଶ କରି ଜଣାଇଥିଲେଯେ, ଚାଷୀଙ୍କୁ ପ୍ରୋତ୍ସାହନ ଦେବା ସକାଶେ ଉଚିତ୍ ଦରରେ କପା କିଣାଯାଉ  । ଚାଷୀ ଅଧିକ ଅଞ୍ଚଳରେ ଚାଷ ଯେପରି କରିବେ ସେ ଦିଗରେ ପ୍ରବର୍ତ୍ତାଇବାକୁ ପଡିବ  । ଆର୍. ଏମ୍.ସି. ସ୍ତରରେ ଚାଷୀଙ୍କୁ ସୁବିଧା ଦିଆଯାଉ  । କୌଣସି ବେସରକାରୀ ସଂସ୍ଥା ଯେପରି କମ୍ ଦାମ୍ ରେ କପା କିଣିବେ ନାହିଁ ନିର୍ଦ୍ଧାରୀତ ଦରରେ କିଣିବେ ସେଥିପ୍ରତି ଦୃଷ୍ଟି ଦିଆଯାଉ  । ଓଡିଶାର ଅନ୍ୟ ଜିଲ୍ଲାର ଟ୍ରେଡର୍ ମାନେ ଫେବୃୟାରୀ ପରିବର୍ତ୍ତେ ଜାନୁୟାରୀ ମାସରେ ଚାଷୀଙ୍କ ଠାରୁ କପା ସଂଗ୍ରହ କରନ୍ତୁ  । ଚାଷୀଙ୍କ ଠାରୁ କପା ଉଠାଇ ପରିବହନ କରି ଆର୍.ଏମ୍.ସି. କୁ ଆଣିବାର ବ୍ୟବସ୍ଥା କରାଯାଉ  । ଚାଷୀ ଯେପରି ତାଙ୍କ ନିଜ ସ୍ଥାନରେ କପା ବିକ୍ରି କରିପାରିବେ ସେ ଦିଗରେ ସୁନିଶ୍ଚିତ କରାଯାଉ  । ସମସ୍ତ ଚାଷୀଙ୍କ ପଞ୍ଜିକରଣ କରି ଅଧିକ ଲାଭବାନ୍ ହେବେ ସେ ଦିଗରେ ଅଧିକାରୀଗଣ ଚେଷ୍ଟା କରନ୍ତୁ  । ଚାଷୀ ମାନଙ୍କ ସହିତ ବୈଠକ କରି ସେମାନଙ୍କୁ କପାଚାଷ ସକାଶେ ପ୍ରୋତ୍ସାହନ ଦିଆଯାଉ  । ଚଳିତ ଆର୍ଥିକ ବର୍ଷରେ ମଧ୍ୟମ ତନ୍ତୁ ସକାଶେ କ୍ବିଣ୍ଟାଲ ପିଛା ୫୫୧୫ ଦର ଧାର୍ଯ୍ୟ କରାଯାଇଥିବା ବେଳେ ଲମ୍ବା ତନ୍ତୁ ସକାଶେ କ୍ବିଣ୍ଟାଲ ପିଛା ୫୮୨୫ ଟଙ୍କା ଦର ଧାର୍ଯ୍ୟ କରାଯାଇଛି  । ଦିଗପହଣ୍ଡି ଆର୍.ଏମ୍.ସି.ର   ଗିନିଙ୍ଗ୍ ଓ ପ୍ରେସିଙ୍ଗ ମିଲ୍ ପରି ହିଞ୍ଜିଳିକାଟୁରେ ମଧ୍ୟ ମିଲ୍ ପ୍ରତିଷ୍ଠା କରିବାକୁ ଜିଲ୍ଲାପାଳ କହିଥିଲେ  । କପା ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ନ କରି ଚଳିତ ମାସ ୧୫ ତାରିଖ ଠାରୁ ସଂଗ୍ରହ କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ  । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାସ୍କର ପାଢୀ, ଜିଲ୍ଲା କୃଷି ଅଧିକାରୀ ଏ. ସତ୍ୟ ନାରାୟଣ ରାଓ, ଅତିରିକ୍ତ ଜିଲ୍ଲାପାଳ ନାବାର୍ଡ ଏସ୍.ଏସ୍. ସାହୁ, ଭାରତ ସରକାରଙ୍କ କଟନ୍ କର୍ପୋରେସନ୍ ଅଥରିଟିର ବରିଷ୍ଠ ବାଣିଜ୍ୟିକ ଅଧିକାରୀ କେ. ସୁଧାକର, ଆର୍.ଏମ୍.ସି. ଦିଗପହଣ୍ଡିର ସମ୍ପାଦକ ଅରୁଣ କୁମାର ମିଶ୍ର, ଆର୍. ଏମ୍.ସି. ଭଞ୍ଜନଗର ସଂପାଦକ ଦୀନବନ୍ଧୁ ଗୌଡ ପ୍ରମୁଖ ଉପସ୍ଥିତ ଥିଲେ  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ