ଚାରୋଟି ପରିଶ୍ରାଗାର ପାଇଁ ୪ ହଜାର ପରିବାର ଉପାସରେ
ଭୁବେନଶ୍ୱର / ପୁରୀ, (ଯୁଗାବ୍ଦ ନ୍ୟୁଜ):ପୁରୀରେ ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାରା ବିଶ୍ୱ ଦରବାରରେ ପରିଚିତ ହେବାକୁ ଯାଉଅଛି ଯାହା ଓଡ଼ିଶାବାସୀଙ୍କ ଏକ ଗର୍ବ ଓ ଗୌରବର ବିଷୟ । କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦୃଷ୍ଟିରେ ରଖି ତିଆରି ହୋଇଥିବା ଚାରୋଟି ପରିଶ୍ରାଗାର ପାଇଁ ପୁରୀ ମ୍ୟୁନିସିପାଲିଟି ମନ୍ଦିର ଚାରିପାଖରୁ ଫୁଲ, ଧୂପ, ଦୀପ, ଶଙ୍ଖ, ଶଙ୍ଖମାଳି ଓ ଭଗବାନଙ୍କ ମୂର୍ତ୍ତି ବିକ୍ରି କରୁଥିବା ପାଖାପାଖି ଏକହଜାରରୁ ଅଧିକ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇଛି । ସେହି ଉଚ୍ଛେଦକାରୀଙ୍କ ମଧ୍ୟରୁ ହାତଗଣତି କେତେଜଣ ବ୍ୟବସାୟୀଙ୍କୁ ଆର୍ଥିକ ରାଶି ପ୍ରଦାନ କରାଯାଇଥିବା ବେଳେ ଅଧିକାଂଶ ଉଠାଦୋକାନୀମାନଙ୍କୁ କୌଣସି ପ୍ରକାର ଆର୍ଥିକ ରାଶି ପ୍ରଦାନ କରାଯାଇ ନାହିଁ କିମ୍ବା ଥଇଥାନ କରାଯାଇ ନାହିଁ । ଶ୍ରୀମନ୍ଦିର ଠାରୁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇପାଶ୍ୱର୍ରେ ବସୁଥିବା ୨ ହଜାରରୁ ଅଧିକ ଉଠାଦୋକାନୀମାନଙ୍କୁ ମଧ୍ୟ ଉଚ୍ଛେଦ କରାଯାଇଅଛି । ସେଥିରୁ ମଧ୍ୟ କିଛି ବ୍ୟବସାୟୀଙ୍କୁ ୧୫ ହଜାର ଟଙ୍କା ସହାୟତା ରାଶି ମିିଳିଥିବା ବେଳେ ବହୁ ଉଠାଦୋକାନୀମାନେ ସହାୟତାରୁ ବଞ୍ôଚତ ହୋଇଛନ୍ତି । ଏହି ଉଚ୍ଛେଦ ସମ୍ବିଧାନର ଧାରା ୧୯(୧)(ଛ) ଓ ଜାତୀୟ ଉଠାଦୋକାନୀ ଆଇନକୁ ମଧ୍ୟ ଉଲଙ୍ଘନ କରୁଅଛି । ମାନ୍ୟବର ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୯(୧)(ଛ)କୁ ଗୁରୁତ୍ୱ ଦେଇଥିବା ବେଳେ ପୁରୀ ମ୍ୟୁନିସିପାଲିଟିର ଅଧିକାରୀମାନେ ଓ ପୁରୀ ଜିଲ୍ଲାପାଳ କାହିଁକି ଏହାକୁ ପାଳନ କରୁନାହାଁନ୍ତି ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଗକୁ ମଧ୍ୟ ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ଘର ପର୍ଯ୍ୟନ୍ତ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରାଯିବା ପାଇଁ ଯୋଜନା ରଖିଛି । ଉଚ୍ଛେଦ ହୋଇଥିବା ପାଖାପାଖି ୩ ହଜାର ଉଠାଦୋକାନୀ ମାନଙ୍କ ଉପରେ ନିର୍ଭର କରୁଥିବା ତାଙ୍କ ପରିବାରର ୧୨ ହଜାର ସଦସ୍ୟ ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି । ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସଂଗଠନ ତରଫରୁ ସ୍ୱାଗତ କରୁଛି, ମାତ୍ର ପୁରୀ ଜିଲ୍ଲାପାଳ ଓ ପୁରୀ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ଓ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ଉଚ୍ଛେଦ ହୋଇଥିବା ଉଠାଦୋକାନୀମାନଙ୍କୁ ଆଇନ ଅନୁଯାୟୀ ତୁରନ୍ତ ଥଇଥାନ କରନ୍ତୁ ବୋଲି ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତପ କୁମାର ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ୫-ଟି ଅଧ୍ୟକ୍ଷ ଏବଂ ପୁରୀ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଆଗକୁ ଯଦି ପୁରୀରେ ଉଠାଦୋକାନୀ ଉଚ୍ଛେଦ ବନ୍ଦ କରାନଯାଏ, ତେବେ ବାଧ୍ୟ ହୋଇ ମହାସଂଘ ରାଜରାସ୍ତାକୁ ଓହ୍ଲାଇବା ବୋଲି ଶ୍ରୀ ସାହୁ ରାଜ୍ୟସରକାରଙ୍କୁ ଚେତାବନୀ ଦେଇଛନ୍ତି ।