ଚାଲିଛି ଖଣିଜ ଚୋରି; ରୋକିବାରେ ବିଫଳ ଖଣିବିଭାଗ;ସୂଚନା ଦେଲେବି କାର୍ଯ୍ୟାନୁଷ୍ଠାନ ଶୂନ!
ବୁଦା ଭିତରେ ଗଚ୍ଛିତ ଅଛି ଲକ୍ଷାଧିକ ଟଙ୍କାର ଚୋରା ଖଣିଜ
ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ଥାନା ଓ ଖଣି ଯୁଗ୍ମ ନିର୍ଦେଶାଳୟ ଠାରୁ ପ୍ରାୟ ୫ଶହ ମିଟର ଦୂରରେ ଥିବା ଏକ ଖେଳପଡିଆ ନିକଟସ୍ଥ ଜଙ୍ଗଲ ଝାଡିରେ ଲକ୍ଷାଧିକ ଟଙ୍କାର ଚୋରା ମାଙ୍ଗାନିଜ୍ ଗଚ୍ଛିତ ହୋଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ କିଛି ଯୁବକଙ୍କ ଠାରୁ କିଛି ଖବରଦାତା ଖବରପାଇ ଘଟଣାସ୍ଥଳରେ ପହଁଚି ଦେଖିବାକୁ ପାଇଥିଲେ ଯେ, ପ୍ରାୟ ୧୦ ମେଟ୍ରିକ ଟନ୍ରୁ ଉର୍ଦ୍ଧ୍ୱ ଉନ୍ନତମାନର ମାଙ୍ଗାନିଜ୍ କିଛି ବସ୍ତାରେ ଭର୍ତି କରାଯାଇ ରଖାଯାଇଥିବାବେଳେ କିଛି ମାଙ୍ଗାନିଜ୍ କୁ ଡାଳ ପତ୍ର ଘୋଡାଇ ଲୁକ୍କାୟିତ ଭାବେ ରଖାଯାଇଥିବା ଦେଖିବାକୁ ମିଳିଥିଲା । ଚୋରାରେ ଗଚ୍ଛିତ ଥିବା ଏହି ମାଙ୍ଗାନିଜ୍ ର ଆନୁମାନିକ ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଖଣି ବିଶାରଦଙ୍କ ଠାରୁ ଖବରଦାତା ମାନେ ପଚାରି ବୁଝିଥିଲେ । ଖବରଦାତା ମାନେ ଚୋରାରେ ଗଚ୍ଛିତ ଥିବା ଏହି ମାଙ୍ଗାନିଜ କୁ ଠାବ କରିବାପରେ ଏ ସଂକ୍ରାନ୍ତରେ ଯୋଡା ଖଣି ଯୁଗ୍ମ ନିର୍ଦେଶକ ସଲିଲ କୁମାର ବେହେରାଙ୍କୁ ସୂଚନା ଦେଇଥିଲେ । ଯୁଗ୍ମ ନିର୍ଦେଶକ ବେହେରା କହିଥିଲେ ଯେ, ଖଣି ଟିମ୍ ସର୍ଚ୍ଚ କରୁଛନ୍ତି । ଚୋରା ଖଣିଜ ପାଇଲେ ସିଜ୍ କରିବେ ବୋଲି କହି ସୂଚନାଟିକୁ ଅଣଦେଖା କରିଥିଲେ । ପରେ ଏ ସଂକ୍ରାନ୍ତରେ ଭୂବନେଶ୍ୱର ଖଣି ନିର୍ଦେଶାଳୟର ବରିଷ୍ଠ ଯୁଗ୍ମ ଖଣି ନିର୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କୁ ସୂଚନା ଦେବାରୁ ଏ ଦିଗରେ ବିଭାଗ ଶୀଘ୍ର କାର୍ଯ୍ୟାନୁଷ୍ଠାନ କରିବ ଓ ଯୋଡା ଯୁଗ୍ମ ନିର୍ଦେଶକଙ୍କୁ ନିର୍ଦେଶ ଦିଆଯିବ ବୋଲିି ସେ କହିଥିଲେ । ତେଣେ ଚୋରା ପରିବହନ ପାଇଁ ପ୍ରସ୍ତୁତ ଥିବା ଉକ୍ତ ଚୋରା ଖଣିଜ ଶୁକ୍ରବାର ରାତିରେ ଚୋରା ଚାଲାଣ ହୋଇଯିବାର ସମ୍ଭାବନାକୁ ଏଡାଇ ଦିଆ ଯାଇନପାରେ । ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ଯେ, ରାଇକା, ଇଙ୍ଗାଣୀ ଝରଣ ପ୍ରଭୃତି ସ୍ଥାନରେ ବିପୁଳ ପରିମାଣର ଚୋରା ଖଣିଜ ଉତୋଳନ ହେଉଛି । ଖଣିବିଭାଗ ସୂଚନା ପାଇ ମଧ୍ୟ ଜାଣିଶୁଣି ନିରବଦ୍ରଷ୍ଟା ସାଜିଛି । ଖଣିବିଭାଗ ଥାଇ ମଧ୍ୟ ଚୋରା ଖଣିଜକୁ ବେଳେବେଳେ ବନବିଭାଗ ଓ ପୋଲିସ ବିଭାଗ ଜବତ କରୁଛି ।