ଚାଷଜମିରେ ଜମିରହିଛି ବର୍ଷାପାଣି: ନିମାପଡା କୃଷିଜିଲ୍ଳାରେ ୫୦ହଜାର ହେକ୍ଟରରୁ ଉର୍ଦ୍ଧ୍ୱ ଜମିରେ ଚାଷନଷ୍ଟ 

ନିମାପଡ଼ା, (ସନ୍ତୋଷ ଦାଶ) : ବର୍ଷା ଛାଡିଛି ହେଲେ ପୁରୀ ଜିଲ୍ଲା ନିମାପଡ଼ା କୃଷିଜିଲ୍ଲା ଅଧୀନରେ ଥିବା ନିମାପଡା,ଗୋପ,କାକଟପୁର, ଅସ୍ତରଙ୍ଗ ଅଂଚଳ ର ଦେବୀ,କାଦୁଆ ଓ ପ୍ରାଚୀନଦୀ ଅବବାହିକାରେ ଥିବା ପ୍ରାୟ ୪୫ହଜାର ହେକ୍ଟର ଧାନ ଜମି ଜଳମଗ୍ନ ହୋଇଥିବା ବେଳେ ପ୍ରାୟ ୫ହଜାର ହେକ୍ଟର ଅଣଧାନ ଚାଷଜମି ଜଳ ମଗ୍ନ ହୋଇଛି । କେଉଁଠି ଚାଷ ଜମି ଉପରେ ବେକେ ପାଣି ତ କେଉଁଠି ଆଣ୍ଠୁଏ ପାଣି । ଧାନ ଗଛ ସବୁ ପଚିଶଢ଼ୀ ଯାଇଥିବା ବେଳେ ଧାନ ବିଲରେ ଏବେ ଲୋକେ ମାଛ ମାରୁଛନ୍ତି । ଦୀର୍ଘ ୬/୭ ଦିନ ହେବ ଚାଷ ଜମି ରେ ପାଣି ଜମି ରହଥିବାରୁ ଚାଷୀ ମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ନିମାପଡା କୃଷିଜିଲ୍ଲାରେ ଚଳିତ ଖରିପ ଋତୁରେ ପ୍ରାୟ ୫୭ ହଜାର ହେକ୍ଟର ଜମିରେ ଚାଷୀ ଧାନଚାଷ କରିଥିବାବେଳେ ପ୍ରାୟ୧୦ ହଜାର ହେକ୍ଟର ଅଣଧାନ ଜମିରେ ଚାଷୀ ଅନ୍ୟାନ୍ୟ ଚାଷ କରିଥିଲେ । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସରକାରୀ ରେକର୍ଡ ଅନୁଯାୟୀ ନିମାପଡା,ଗୋପ,କାକଟପୁରୁ,ଅସ୍ତରଙ୍ଗ ବ୍ଲକର ତଳିଆ ଅଂଚଳରେ ପ୍ରାୟ ୪୫ ହଜାର ହେକ୍ଟର ଧାନ ଜମି ଓ ୫ ହଜାର ହେକ୍ଟର ଅଣଧାନ ଜମିରେ ବନ୍ୟା ପାଣି ମାଡିଯାଇଛି । ୧୫ ଦିନ ତଳେ ଅନାବୃଷ୍ଟି ଯୋଗୁଁ ଯେଉଁଠି ବିଲ ଫାଟି ଆଁ ମେଲା କରିଥିଲା ସେଇ ଧାନ ବିଲରେ ଏବେ ବେକେ ପାଣି । ଧାନ ଓ ଅଣଧାନ ବ୍ୟାପକ କ୍ଷତି ହୋଇଥିବା ନିମାପଡା କୃଷିଜିଲ୍ଲା ଅଧିକାରୀ ଶରତପରିଡ଼ା କହିଥିବା ବେଳେ ପାଣି ଛାଡିବା ପରେ କ୍ଷୟକ୍ଷତି ଆକଳନ ହୋଇପାରିବ ଓ ଏବେ କୃଷି ବିଭାଗ ,ଉଦ୍ୟାନ ବିଭାଗ ଓ ରାଜସ୍ବ ବିଭାଗର ମିଳିତ ସର୍ଭେ ଚାଲିଥିବା ସେ କହିଛନ୍ତି । ଅନ୍ୟ ପକ୍ଷରେ ଜିଲ୍ଲାପାଳ ମାନେ ୭ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରି ଦେଲେ ସରକାର କ୍ଷତିପୁରଣ ଘୋଷଣା କରିବେ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାଶ କହିଛନ୍ତି। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟାୟକୁ ସାମନା କରୁଥିବା ପୁରୀ ଜିଲ୍ଲା ଉପକୂଳବର୍ତ୍ତୀ ଅଂଚଳର ଚାଷୀଙ୍କ ପାଇଁ ଏହି କୁତ୍ରିମ ବନ୍ୟା ଯେମିତି ବେଡି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି । ଏହି କୁତ୍ରିମ ବିପର୍ଯ୍ୟୟ ସମୟରେ ସରକାର ଚାଷୀଙ୍କୁ ସହାୟତାର ହାତ ନବଢ଼ାଇଲେ ଚାଷୀକୁଳ ଭାଙ୍ଗିପଡିବ ଏଥିରେ ସନ୍ଦେହ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ