ଚାଷୀ ହେଲେବି ନିଆରା ନିଶା ବ୍ୟଙ୍ଗ କବିତାରେ ମନମୋହୁଛନ୍ତି ବଳରାମ

ହାଟଡିହି (ଆପ୍ର): ଜଣେ ଚାଷୀ ନିଜର ଚାଷ କାର୍ଯ୍ୟ କରୁଥିବା ସମୟରେ ରାଜ୍ୟରେ ଘଟୁଥିବା ବିଭିନ୍ନ ପ୍ରସଙ୍ଗକୁ ଭାବି ଏକ ବ୍ୟଙ୍ଗ କବିତା ଢ଼ଙ୍ଗରେ ପରିପ୍ରକାଶ କରି ସାଧାରଣ ଲୋକଙ୍କ ମନକୁ ଛୁଇଁ ପାରୁଥିବା ସହ ଯୁବ ସମାଜକୁ ସଚେତନତା ସୃଷ୍ଟି କରି ସ୍ଥାନୀୟ ଅଞ୍ଚଳରେ ଉଦାହରଣ ହୋଇ ପାରିଛନ୍ତି । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ମରୈଗାଁ ଗ୍ରାମର ବଳରାମ ଜେନା । ସେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ନିଜର ଥିବା ଅଳ୍ପ କିଛି ଜମିରେ ନିଜେ ଚାଷ କରି ବଞ୍ଚିବାକୁ ସଂଘର୍ଷ କରୁଥିବା ବେଳେ ସେହି ପରିଶ୍ରମ ମଧ୍ୟରେ ନିଜକୁ ଖୁସି ରଖିବା ଓ ସମାଜକୁ ଗଠନମୂଳକ ଚିନ୍ତାଧାରାରେ ସଚେତନତା ସୃଷ୍ଟି କରି ନିଜର ଇଚ୍ଛା ଶକ୍ତି ବଳରେ ନିଜର ଦରିଦ୍ରତାକୁ ଭୁଲିଯାଇ ନିଜସ୍ୱ ପରିଚୟ ସୃଷ୍ଟି କରିବାକୁ ପ୍ରୟାସ କରିଛନ୍ତି । ଚାଷ କାର୍ଯ୍ୟ କରୁଥିବା ସମୟରେ ଯେତିକି ସ୍ୱଳ୍ପ ସମୟ ପାଆନ୍ତି ସେ ସମୟକୁ ନଷ୍ଟ ନକରି ରାଜ୍ୟର ବିଭିନ୍ନ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ହେଉ କି ରାଜ୍ୟର ରାଜନୀତି ହେଉ, ଚାଷୀର ମୃତ୍ୟୁ ହେଉ କି ନାରୀ ଓ ଶିଶୁର ଦୁଷ୍କର୍ମ ହେଉ, ବନ୍ୟା ବାତ୍ୟା ହେଉ କି ଯେକୌଣସି ପ୍ରସଙ୍ଗକୁ ନିଜ ମନ ଭିତରକୁ ନେଇ ଏକ କବିତା ଢ଼ଙ୍ଗରେ ଲେଖିଦେଇ ତାକୁ ଏଭଳି ପାଠ କରନ୍ତି ତାକୁ ଶୁଣିବାକୁ ଲୋକମାନେ ଆଗ୍ରହର ସହ ଠୁଳ ହୋଇଯାନ୍ତି । ଶ୍ରମିକ କାର୍ଯ୍ୟ କରିସାରି କିଭଳି ରାଜ୍ୟରେ ଏତେ ଖବର ରଖି କବିତା ଆବୃତି କରୁଛି ଏବଂ ଲୋକମାନଙ୍କୁ ଆନନ୍ଦ ଦେଉଛି ତାକୁ ନେଇ ଚର୍ଚ୍ଚା ହେଉଛି । ବର୍ତମାନ ସାଂପ୍ରତିକ ପରିସ୍ଥିତିରେ ସରକାରଙ୍କର ଦୋଷ ଦୁର୍ବଳତା ଓ ଯୋଜନା ସଫଳ ବିଫଳ ରୂପାୟନକୁ ନେଇ ମଧ୍ୟ ବ୍ୟଙ୍ଗ କବିତା ଗାଇ ଏ ଅଞ୍ଚଳରେ ଚର୍ଚ୍ଚିତ ହେଉଛନ୍ତି । ଜଙ୍ଗଲରେ ମଲ୍ଲିର ବାସ୍ନା ଯେଭଳି ଜଙ୍ଗଲରେ ମହକି ନଷ୍ଟ ହୋଇଯାଏ ସେହିପରି ଗରିବ ଚାଷୀ ବଳରାମର ଅନ୍ତନିର୍ହିତ ଗୁଣକୁ କେହି ଚିହ୍ନି ପାରୁନଥିବାରୁ ତାର ପରିପ୍ରକାଶ ଗୁଣ ଠିକ ଭାବରେ ପ୍ରତିପାଦିତ ହୋଇ ପାରୁନଥିବା ନେଇ ବୁଦ୍ଧିଜୀବି ମହଲରେ କୁହାଯାଉଛି । ଜଣେ ଗରିବ ଘରର ଚାଷୀ ହେଲେବି ନିଜର ସ୍ମରଣ ଶକ୍ତି ଓ ନିଜର ଇଚ୍ଛା ଶକ୍ତି ବଳରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ଠିକ୍ ଢ଼ଙ୍ଗରେ ପ୍ରତିପାଦନ କରି ଯୁବ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ସମୟ ପାଇଲେ ଛକ ବଜାରରେ ବସି ତାହା ମନ ଭିତରେ ଥିବା ଭାବନାକୁ ପରିପ୍ରକାଶ କରିଥାଏ । ବଳରାମଙ୍କ ବ୍ୟଙ୍ଗ କବିତାକୁ ନେଇ ହାଟଡିହି ଓ ମରୈଗାଁ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ