ଚାଷ ଜମିରେ ପୋକ, ଚାଷୀ ମୁଣ୍ଡରେ ଚଡକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଚଳିତ ବର୍ଷ ଆବଶ୍ୟକୀୟ ପରିମାଣରେ ବର୍ଷା ଅଭାବ ସାଙ୍ଗକୁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳରେ ଜଳସେଚନର ଅବ୍ୟବସ୍ଥା ଯୋଗୁଁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ଗୋଟିଏ ପଟେ ପାଣିର ଅଭାବ ହେଉଥିବା ବେଳେ ଚାଷୀଟି କଷ୍ଟେମଷ୍ଟେ ପମ୍ପ ସାହାର୍ଯ୍ୟରେ ଚାଷଜମିକୁ ପାଣି ମଡାଇ ପସଲ ଅମଳ କରିବା ପାଇଁ ଉଦ୍ୟମ କରିଥିଲା । ହେଲେ ଅମଳ ସମୟ ବେଳକୁ ଧାନଶସ୍ୟରେ ପୋକ ଲାଗି ନଷ୍ଟ ହେବାକୁ ବସିଛି । ଚାଷଜମିରେ ପୋକ ଲାଗିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି । ଚଳିତ ବର୍ଷ ବିଳମ୍ବରେ ମୌସୁମୀ ଓଡିଶାରେ ପ୍ରବେଶ ଫଳରେ ଧାନତଳି ଓ ରୂଆ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା । ଏପରିକି ବର୍ଷା ଅଭାବରୁ କିଛି ଚାଷୀଙ୍କ ଧାନତଳି ପୋଡି ନଷ୍ଟ ହୋଇଯାଇଥିବା ବେଳେ ଦ୍ୱିତୀୟ ଥର ଲାଗି ଧାନତଳି ପକାଇଥିବା ନଜିର ରହିଛି । ବର୍ଷା ଅଭାବ ଯୋଗୁଁ ପାଣିପମ୍ପ ସହାୟତାରେ ଚାଷୀ ତାର ଚାଷ ଜମିକୁ ପାଣି ମଡାଇ ଫସଲକୁ ସୁରକ୍ଷିତ ରଖିଆସିଥିଲା । ହେଲେ ବର୍ତ୍ତମାନ ଧାନଗଛରେ ଫଳ ଆସିବା ସମୟ ବେଳକୁ ଧାନଗଛରେ ରୋଗ ପୋକ ଲାଗି ଫସଲ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । ହିଞ୍ଜିଳିକାଟୁ ବ୍ଳକର ନଦୀ ନିକଟବର୍ତ୍ତୀ ଖଣ୍ଡରା, ଚାନ୍ଦୁଲି, ସିକିରି, ରାଳବ, ଖରିଡା, ଆଲପୁର, ବୁରୁପୋଡା, ନନ୍ଦିକ ଭଳି ଗ୍ରାମର ଚାଷୀ ମାନେ ନଦୀ ଜଳ ଉପରେ ନିର୍ଭର କରି ଖରିଫ୍ ଧାନଚାଷ କରି ଆସୁଥିବା ବେଳେ ଅବଶିଷ୍ଟ ଅଞ୍ଚଳ ଗୁଡିକ କେନାଳ ପାଣି ଓ ବର୍ଷା ଜଳ ଉପରେ ନିର୍ଭର କରି ଧାନ ଚାଷ କରି ଆସୁଛନ୍ତି । ଚଳିତ ବର୍ଷ ବର୍ଷା ଅଭାବ ସାଙ୍ଗକୁ କେନାଳରେ ପର୍ଯ୍ୟାପ୍ତ ପରିମାଣରେ ପାଣି ନଥିବାରୁ ଜଳସେଚନରେ ଅବ୍ୟବସ୍ଥା ଦେଖାଦେଇଛି । ଚଳିତ ବର୍ଷ ହିଞ୍ଜିଳିକାଟୁ ବ୍ଳକର ୯୭୦୩ ହେକ୍ଟର ଚାଷଜମିରେ ଖରିଫ୍ ଧାନଚାଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ବର୍ଷା ଅଭାବରୁ ପ୍ରଥମ ପର୍ଯ୍ୟାୟରେ ଧାନତଳି ପକାଇଥିବା କିଛି ଚାଷଜମିରେ ଧାନତଳି ପୋଡି ନଷ୍ଟ ହୋଇ ଯାଇଥିଲା । କିଛି ଚାଷୀ ଦ୍ୱିତୀୟ ତର ଲାଗି ତଳି ପକାଇଥିଲେ । ସମୁଦାୟ ଚାଷଜମିର ୮୦% ଜମିରେ ଧାନଚାଷ କରାଯାଇଥିବା ବେଳେ ଅବଶିଷ୍ଟ ୨୦% ଜମି ପଡିଆ ପଡିଥିବା ଜଣାପଡିଛି । ଏପରିକି କିଛି ଚାଷଜମି ପାଣି ଅଭାବରୁ ଧାନ ଗର୍ଭ ଧାରଣରେ ବାଧା ଉପୁଜିଛି । ପାଣି ଅଭାବରୁ ଚାଷୀ ହତାସ ହୋଇ ପଡିଥିବା ବେଳେ ବର୍ତ୍ତମାନ ଧାନବିଲରେ ନଳି ପୋକ ବଂଶ ବିସ୍ତାର କରି ସାରିଲେଣି । ପ୍ରଥମ ପର୍ଯ୍ୟାୟରେ ଧାନତଳି ପକାଇ ପମ୍ପ ସାହାର୍ଯ୍ୟରେ ପାଣି ମଡାଇ ପସଲର ସୁରକ୍ଷା କରୁଥିବା ଚାଷୀର ଚାଷଜମିରେ ବର୍ତ୍ତମାନ ପୋକ ଲାଗି ଫସଲ ନଷ୍ଟ ହୋବକୁ ବସିଛି । ଯାହା ଫଳରେ ଫସଲ ଅମଳକୁ ସ୍ଥାନୀୟ ଅଞ୍ଚଳର ବହୁ ଚାଷୀ ଆଶଙ୍କା କରିଛନ୍ତି । ବ୍ୟାଙ୍କରୁ ଋଣ କରି ଫସଲ ଧାନଚାଷ କରିଥିବା ବେଳେ ଏଭଳି ପରିସ୍ଥିତିରେ ଋଣ କିପରି ସୁଝିବେ ସେ ନେଇ ଦ୍ୱନ୍ଦରେ ପଡିଛନ୍ତି । ରୋଗପୋକ ନଷ୍ଟ ଲାଗି ବଜାରରୁ ବିଭିନ୍ନ ପ୍ରକାରର କୀଟନାଶକ ଔଷଧ ପ୍ରୟୋଗ କରୁଥିଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳୁନଥିବା ନେଇ କିଛି ଚାଷୀ ଅଭିଯୋଗ କରିଛନ୍ତି । ଏ ନେଇ ସ୍ଥାନୀୟ ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁଙ୍କୁ ପଚାରିବାରୁ ସେ କୁହନ୍ତି ପାଣିପାଗର ପରିବର୍ତ୍ତନ ସହ ଶସ୍ୟ ପାଚିବା ସମୟରେ ରୋଗପୋକ ଲାଗିଥାନ୍ତି । ଜମିରେ ପୋକ ଲାଗିଲେ ଔଷଧ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ