ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ ପୂର୍ଣ୍ଣ ଚନ୍ଦ୍ରଙ୍କ ନିବେଦନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପୋଡାପାଟଣା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ବେହେରା ଜଣେ ଦିନ ମଜୁରୀଆ ବ୍ୟକ୍ତି ଅଟନ୍ତି । ବୟସ ତାଙ୍କୁ ଏବେ ୫୦ ହେବ । ଘର ଡିହକୁ ଛାଡି ଦେଲେ ତାଙ୍କର କୌଣସି ଚାଷ ଜମି ନାହିଁ । ପତ୍ନୀ ଓ ଦୁଇ ଝିଅକୁ୍ ନେଇ ତାଙ୍କ ପରିବାର । ପରର ମୂଲ ଲାଗି ସେ ପେଟ ପୋଷିଆସୁଥିଲେ । ଗତ ୫ ବର୍ଷ ତଳେ ସେ ଟିବି ରୋଗରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପାଇଁ ବାଲେଶ୍ୱର ସରକାରୀ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଥିଲେ । ପରେ ଗତ ୧ ବର୍ଷ ହେବ ସେ ଆଜମା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଦୁଇ ଦୁଇଟା ରୋଗର ଚିକିତ୍ସା ପାଇଁ ପାଖରେ କାଣି କଉଡିଟିଏ ନାହିଁ । ରୋଗଗ୍ରସ୍ତ ଯୋଗୁ କୌଣସି କାର୍ଯ୍ୟ କରି ପାରୁନାହାନ୍ତି । ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟକର ହୋଇପଡିବାରୁ ବଡ ଝିଅକୁ ସଂପର୍କୀୟଙ୍କ ଘରେ ଛାଡି ଦେଇଛନ୍ତି । ସାନ ଝିଅ ଏବେ ୭ମ ଶ୍ରେଣୀରେ ପାଠ ପଢୁଛନ୍ତି । ସ୍ୱାମୀଙ୍କ ଚିକିତ୍ସା ସାଙ୍ଗକୁ ପରିବାର ଚଳାଇବା ଚିନ୍ତା ଏବେ ପତ୍ନୀକୁ ବହୁତ କଷ୍ଟ ଦେଉଛି । ପର ଦୁଆରେ ହାତପାତି ଯାହା ମିଳୁଛି ସେହିଥିରେ ପରିବାର ଚଳୁଛି । ସରକାରୀ ସହାୟତା ମିଳିଲେ ସ୍ୱାମୀ ଭଲ ହୋଇପାରନ୍ତେ ବୋଲି ପତ୍ନୀ କହିଛନ୍ତି । ଜିଲ୍ଲା ପ୍ରଶାସନ ସଂପୃକ୍ତ ଗରିବ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ପ୍ରତି ଦୃଷ୍ଟି ଦେଇ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।