ଚିତ୍ରଶିଳ୍ପୀ ସ୍ଥିତଧି ରଥଙ୍କୁ ଦୋଷମୁକ୍ତ କଲେ ଅଦାଲତ
ବୁଗୁଡ଼ା, (ଅନିଲ କୁମାର ମହାରଣା) :ଗଂଜାମ ଜିଲ୍ଲାର ଖ୍ୟାତନାମା ଚିତ୍ରକାର ସ୍ଥିତଧୀ ରଥ ନିଜର ସୃଜନାତ୍ମକ ଚିନ୍ତାଧାରା ପ୍ରୟୋଗରେ ସ୍ୱଚ୍ଛବାର୍ତ୍ତା ଦେବାକୁ ଯାଇ ୨୦୧୭ ମସିହା ଅକ୍ଟୋବର ୨ ତାରିଖ ଦିନ ମହାତ୍ମା ଗାନ୍ଧିଜୀଙ୍କ ଏକ କଳାକୃତି ପ୍ରସ୍ତୁତ କରିଥିଲେ। ଯାହା ସାଧାରଣ ଜନତାଙ୍କ ମଧ୍ୟରେ ବହୁ ପ୍ରଶଂସିତ ହୋଇଥିଲା। କିନ୍ତୁ ଜଣେ ବ୍ୟକ୍ତି ଏହାକୁ ରାଷ୍ଟ୍ରୀୟ ଅସମ୍ମାନ ଦର୍ଶାଇ ଥାନାରେ ଅଭିଯୋଗ କରିଥିଲେ। ତେଣୁ ରାଷ୍ଟ୍ରୀୟ ଗୌରବ ଅପମାନ ନିବାରଣ ଧାରା ୧୯୭୧ (୨) ଓ (୩) ବଳରେ ଶ୍ରୀ ରଥ ଅଭିଯୁକ୍ତ ହୋଇଥିଲେ । ବୁଗୁଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଏହାକୁ ବିଚାର କରି ଉପଯୁକ୍ତ ସାକ୍ଷ ପ୍ରମାଣ ଅଭାବରୁ ସ୍ଥିତଧି ରଥଙ୍କୁ ଏପ୍ରିଲ ୨୭ ତାରିଖ ଦିନ ଦୋଷମୁକ୍ତ ଘୋଷଣା କରିଥିଲେ। ଶ୍ରୀ ରଥ ଙ୍କ ପକ୍ଷରୁ ଓକିଲ ମହନ୍ତ ଭକ୍ତରାମ ଦାସ ଲଢ଼ିଥିବା ବେଳେ ଉପଯୁକ୍ତ ତଥ୍ୟ ପ୍ରଦାନ ଏକ ବଳିଷ୍ଠ ଯୁକ୍ତି ଦର୍ଶାଇ କେଶକୁ ଜୟଯୁକ୍ତ କରାଇଥିଲେ । ସରକାରୀ ଓକିଲ ଭାବରେ ରତନ କୁମାର ସିଂ ଓ ଶ୍ରୀ ରବୀନ୍ଦ୍ର କୁମାର ପଣ୍ଡା କାର୍ଯ୍ୟ ସମ୍ପାଦନ କରିଥିଲେ। ଶ୍ରୀ ରଥ ଗଂଜାମ ର ଲୋକ ସଂସ୍କୃତି କୁ ନିଜର ଚିତ୍ର ମାଧ୍ୟମରେ ଆଙ୍କି ଦେଶ ବିଦେଶରେ ପ୍ରସାରିତ କରୁଛନ୍ତି ଏବଂ ବୁଗୁଡ଼ାରେ ପ୍ରତିଷ୍ଠିତ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିର ଉପରେ ଗବେଷଣା କରି ନିଜର ସନ୍ଦର୍ଭ କୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ରେ ପି.ଏଚ.ଡ଼ି. ନିମନ୍ତେ ପ୍ରଦାନ କରିଛନ୍ତି । ଏହି ଖବର ପ୍ରସାର ହେବା ପରେ ଶ୍ରୀ ରଥ ଙ୍କ ପ୍ରଶଂସକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।