ଚିନ୍ତାରେ ଜେଟ୍ ଏୟାରୱେଜ୍ କର୍ମଚାରୀ

୪ମାସ ଧରି ଋଣ ସଙ୍କଟ ଲାଗିରହିବା ପରେ ଶେଷରେ ଗତ ବୁଧବାରଠାରୁ ଜେଟ୍‌ ଏୟାରୱେଜ୍‌ ଏହାର ସମସ୍ତ ବିମାନ ଉଡ଼ାଣ ବନ୍ଦ କରିଛି। ଫଳରେ ସଂସ୍ଥାର ୨୨ ହଜାର କର୍ମଚାରୀଙ୍କ ଚାକିରି ପ୍ରଭାବିତ ହୋଇଛି। ସେମାନେ ଏବେ ରାସ୍ତାକୁ ଚାଲିଆସିଛନ୍ତି। ସେମାନଙ୍କ ସବୁ ସ୍ବପ୍ନ ଉଜୁଡ଼ିଯାଇଛି। ଅନେକ ଦିନ ଧରି ଦୁର୍ଦ୍ଦଶାରେ ରହିଆସୁଥିବା ଏହି କର୍ମଚାରୀମାନେ ଏବେ ଆଗକୁ କିପରି ପରିବାର ଚଳାଇବେ ତାହାକୁ ନେଇ ଚିନ୍ତାରେ ପଡ଼ିଛି। କର୍ମଚାରୀମାନେ ବର୍ତ୍ତମାନ ଦିଲ୍ଲୀର ଜନ୍ତରମନ୍ତରଠାରେ ଏକତ୍ରିତ ହୋଇ ଜେଟ୍‌କୁ ବଞ୍ଚାଅ, ଆମ ପରିବାରକୁ ବଞ୍ଚାଅ ବୋଲି ନାରା ଦେଉଛନ୍ତି।  ଗତ କିଛି ମାସ ଧରି କର୍ମଚାରୀମାନଙ୍କୁ ଦରମା ମିଳି ନ ଥିଲେ ବି ସେମାନେ ନିଜର କର୍ତ୍ତବ୍ୟ କରିଆସୁଥିଲେ। କିନ୍ତୁ ଏବେ ଚାକିରି ପ୍ରଭାବିତ ହେବା ପରେ ସେମାନଙ୍କ ନିଦ ହଜିଯାଇଛି। ସରକାର ସହାୟତା କରିବାକୁ ସେମାନେ ଆକୁଳ ନିବେଦନ କରିଛନ୍ତି। ଜେଟ୍‌ର ଜଣେ କର୍ମଚାରୀ କହିଛନ୍ତି, ମୋତେ ୨ମାସ ହେଲା ଦରମା ମିଳି ନ ଥିଲା। ଏବେ ମୋର ଦୁଇ ସନ୍ତାନଙ୍କ ଲାଳନପାଳନ କିପରି କରିବେ ଏବଂ ପରିବାର କେମିତି ଚଳାଇବି ତାହା ଜାଣିପାରୁ ନାହିଁ। ଦରକାର ପଡ଼ିଲେ ଘରଦ୍ବାର ବିକ୍ରି କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ପୂଜାରୀ ନାମକ ଆଉ ଜଣେ କର୍ମଚାରୀ କହିଛନ୍ତି, ଚାକିରି ଚାଲିଯିବାରୁ ମୁଁ ରାତିରେ ଶୋଇପାରୁନି। ମୋ ସମସ୍ୟା ବିଷୟରେ ପିଲାମାନଙ୍କୁ ବି କହିପାରୁନି। ଜେଟ୍‌ର ଜଣେ ଇଞ୍ଜିନିୟର କହିଛନ୍ତି, ଚାକିରି ଚାଲିଯିବା ପରେ ମୁଁ ମୋ ପିଲାମାନଙ୍କୁ ଟ୍ୟୁଶନ ବନ୍ଦ କରିଦେଇଛି। ଘରେ ପିଲାମାନଙ୍କୁ ପଢ଼ାଉଛି। ଅନେକ କର୍ମଚାରୀଙ୍କ ପାଖରେ ଗୃହ ଋଣ ଏବଂ ପିଲାଙ୍କ ସ୍କୁଲ ଫି’ ଦେବାକୁ ମଧ୍ୟ ଟଙ୍କା ନାହିଁ।ଜେଟ୍‌ ଏୟାରୱେଜ୍‌କୁ ସହାୟତା କରିବାକୁ କର୍ମଚାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଜେଟ୍‌ ଏୟାରୱେଜ କର୍ମଚାରୀ ସଂଗଠନ ଅଧ୍ୟକ୍ଷ କିରଣ ପାୱସକର କହିଛନ୍ତି, କମ୍ପାନୀ ସହ ସିଧାସଳଖ ଯୋଡ଼ି ହୋଇଥିବା ୧୬ ହଜାର କର୍ମଚାରୀ ବେକାର ହୋଇଯାଇଛନ୍ତି। ଯଦି ଜେଟ୍‌ ଏୟାରୱେଜ୍‌ ଚାଲିବା ପାଇଁ ବ୍ୟାଙ୍କ ଟଙ୍କା ନ ଦିଏ କିମ୍ବା ଭବିଷ୍ୟତରେ ସଂସ୍ଥା ବନ୍ଦ ହୋଇଯାଏ ତା’ହେଲେ କର୍ମଚାରୀମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯିବ। ଅଧିକ ବୟସ ହୋଇଯାଇଥିବା କର୍ମଚାରୀଙ୍କୁ ଅନ୍ୟ କୌଣସି କମ୍ପାନୀ ଚାକିରି ଦେବେନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ