ଚିନ୍ତାରେ ଧାନଚାଷୀ ବର୍ଷା ଅଭାବରୁ ଅଧାରେ ଅଟକିଛି ତଳିପକା ଓ ଧାନବୁଣା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଜୁନ ମାସ ଯାଇ ଜୁଲାଇ ମାସ ପ୍ରାୟ ଶେଷ ହେବାକୁ ବସିଲାଣି । ହେଲେ ମୌସୁମୀର ଦେଖା ନାହିଁ । ମୌସୁମୀର ଲୁଚକାଳି ଯୋଗୁଁ ହିଞ୍ଜିଳିକାଟୁ ଅଂଚଳରେ ଧାନଚାଷ କାର୍ଯ୍ୟ ବହୁ ପଛରେ ପଡ଼ିଯାଇଛି । ସ୍ଥାନୀୟ ଅଂଚଳରେ କିଛି ବର୍ଷ ହେଲା ପ୍ରତିକୂଳ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି । ଚଳିତ ବର୍ଷ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସକାଶେ ସବୁକିଛି ପଛରେ ପନି ଯାଇଥିବା ବେଳେ ବର୍ତମାନ ବାଧକ ସାଜିଛି ବର୍ଷା । ଚଳିତ ମାସରେ ବର୍ଷା ସମ୍ପୁର୍ଣ୍ଣ ହଜିଯାଇଛି । କିଛି ଜାଗାରେ ତଳି ପ୍ରସ୍ତୁତ ହୋଇ ରହିଥିବା ବେଳେ କିଛି ଜାଗାରେ ତଳି ପୋଡ଼ିଗଲାଣି । ବର୍ଷା ନଥିବା ଯୋଗୁଁ ଚାଷ ଜମିରେ ପାଣିର ଅଭାବ ରହିଛି । ଫଳରେ ଧାନରୂଆ ଓ ବେଉଷଣ ବି ହୋଇ ପାରୁନାହିଁ । ଆଉ କିଛି ଦିନ ବର୍ଷା ନହେଲେ ସବୁ ତଳି ପୋଡ଼ି ଯିବାର ଆଶଙ୍କା ଦେଖାଦେଇଛି । ଅନ୍ୟ କିଛି ଅଂଚଳରେ ଚାଷୀ ତଳିକୁ ଜଳସେଚିତ କରି ବଂଚାଇ ରଖିଥିବାର ଦେଖିବାକୁ ମିଳିଛି । ସହକାରୀ କୃଷି ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ଗତ ମେ ମାସରେ ହାରାହାରି ୫୧.୯ମିମି ବର୍ଷା ହୋଇଥିଲା । ଜୁନ ମାସରେ ୨୨୯.୪୯ ମିମି ବର୍ଷା ହୋଇଥିଲା । ଯାହାକି ସ୍ୱାଭାବିକ ବୃଷ୍ଟିପାତ ଠାରୁ ୩୦% ଅଧିକ ରହିଥିଲା । ଜୁଲାଇ ମାସରେ ମଙ୍ଗଳବାର ସୁଦ୍ଧା ୧୦୬ମିମି ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି । ଯାହାକି ସ୍ୱାଭାବିକ ବର୍ଷାଠାରୁ ୧୮% କମ୍ ରହିଛି । ଚଳିତ ବର୍ଷ ସ୍ଥାନୀୟ ଅଂଚଳରେ ୯୬୯୦ ହେକ୍ଟର ଜମିରେ ଧାନ ଚାଷ ସକାଶେ କୃଷି ୨ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୩୧୦ ହେକ୍ଟର ଚାଷ ଜମିରେ ଧାନ ବୁଣା ଯାଇଥିବା ବେଳେ ୯୩୮ ହେକ୍ଟର ଜମିରେ ତଳି ପକାଯାଇଛି ଏବଂ ୨୦୧ ହେକ୍ଟର ଜମିରେ ରୁଆ ହୋଇଥିବା ସ୍ଥାନୀୟ ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥଙ୍କ ସୁତ୍ରରୁ ପ୍ରକାଶ । ଚଳିତ ବର୍ଷ ମୌସୁମୀ ବର୍ଷା ପୂର୍ବରୁ ସ୍ଥାନୀୟ ଅଂଚଳରେ ଭଳ ବର୍ଷା ହୋଇଥିଲା । ଚାଷୀ ଖରାଟି ଚାଷ କରି ଜମିକୁ ପ୍ରସ୍ତୁତ କରି ରଖିଥିଲା । ହେଲେ ଚଳିତ ମାସରେ ବର୍ଷା ଅଭାବରୁ ଅଧିକାଂଶ ଚାଷ ଜମିରେ ଧାନ ତଳି ପୋଡ଼ି ଯିବାକୁ ବସିଛି । ଜୟମଙ୍ଗଳ କେନାଳରେ ଏଯାଏଁ ପାଣି ଛଡ଼ାଯାଇନଥିବା ନେଇ ବହୁ ଅଂଚଳର ଚାଷୀ ଅଭିଯୋଗ କରିଛନ୍ତି । ତଳି ପୋଡ଼ି ଯିବା ପୂର୍ବରୁ ଜଳସେଚନ ବିଭାଗ ପକ୍ଷରୁ ଦୃଷ୍ଟି ପ୍ରଦାନ କରି କେନାଳରେ ପାଣି ଛାଡ଼ିବା ସହ ଉଠାଜଳସେଚନ ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ସକାଶେ ଚାଷୀକୂଳ ମଧ୍ୟରେ ଦାବି ହୋଇଛି । ଏ ନେଇ ଉଠାଜଳସେଚନ ବିଭାଗୀୟ ସହକାରୀ ଯନ୍ତ୍ରୀ ପରମାନନ୍ଦ ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ମୁଖ୍ୟ କେନାଳରେ ପାଣି ଛଡ଼ାଯାଇଛି, ବୁଧବାର ଠାରୁ ଶାଖା କେନାଳ ଗୁଡ଼ିକରେ ପାଣି ଛଡ଼ାଯିବାର ସମ୍ଭାବନା ରହିଛି । କୃଷି କାର୍ଯ୍ୟକୁ ଗୁରୁତ୍ୱ ପ୍ରଦାନ କରାଯାଇ କେନାଳ ଗୁଡ଼ିକରେ ଯଥାଶୀଘ୍ର ପାଣି ଛଡ଼ାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ