ଛଟ ପୂଜା ପାଇଁ ବାଲିଘାଟରେ ଭିଡ଼
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରରେ ବସବାସ କରୁଥିବା ଭୋଜପୁରୀ ଭାଷାଭାଷୀ ତଥା ବିହାରୀ ସମ୍ପ୍ରଦାୟର ମହିଳାଙ୍କ ପକ୍ଷରୁ ସହର ଉପକଣ୍ଠ ବୁଢ଼ାବଳଙ୍ଗ ନଦୀତୁଠ ବାଲିଘାଟଠାରେ ଶ୍ରଦ୍ଧା ଓ ଭକ୍ତିର ସହ ଆରମ୍ଭ ହୋଇଛି ଛଟପୂଜା । ଅସ୍ତଗାମୀ ସୂର୍ଯ୍ୟଙ୍କୁ ପୂର୍ଜାର୍ଚ୍ଚନା ତଥା ଅର୍ଘ୍ୟ ପ୍ରଦାନ ପାଇଁ ରବିବାର ଅପରାହ୍ନରୁ ବାଲିଘାଟ ହୋଇ ଉଠିଥିଲା ଚଳଚଞ୍ଚଳ । ଧୁପ, ଦୀପ ଓ ନୈବେଦ୍ୟ ସାଙ୍ଗକୁ ଶଙ୍ଖ ଧ୍ୱନିରେ କମ୍ପିଉଠିଥିଲା ନଦୀଘାଟ ସମେତ ଆଖପାଖ ଅଞ୍ଚଳ । ଛଟ୍ ମାତାଙ୍କୁ ଅତ୍ୟନ୍ତ ଭକ୍ତିର ସହ ମହିଳାମାନେ ପୂଜା କରିଥିବା ବେଳେ ପୁରୁଷମାନେ ସେମାନଙ୍କୁ ସହଯୋଗ କରିଥିଲେ । କାର୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରୁ ଆରମ୍ଭ ହେଉଥିବା ଏହି ପର୍ବ ଚାରି ଦିନ ଧରି ଚାଲିଥାଏ ବୋଲି ବ୍ରତଧାରୀମାନେ ସୂଚନା ଦେଇଛନ୍ତି । ଉତ୍ସବର ପର୍ବର ପ୍ରଥମ ଦିବସକୁ ନାହାୟ ଖାୟ କୁହାଯାଇଥାଏ । ଏହି ଦିନ ବ୍ରତୀମାନେ ଶୁଦ୍ଧ ଶାକାହାରୀ ଖାଦ୍ୟ ଗ୍ରହଣ କରିଥାନ୍ତି । ଏହି ଦିନ ସକାଳ ପବିତ୍ର ନଦୀ ଦଳରେ ସ୍ନାନ ପରେ ଛଟ୍ ବ୍ରତ ପାଳନର ଶୁଭାରମ୍ଭ ହୋଇଥାଏ । ତୃତୀୟ ଦିବସ ବା ଷଷ୍ଠୀ ତିଥି ଛଟ୍ ପୂଜାର ମୁଖ୍ୟ ଦିନ ବୋଲି ବିବେଚନା କରାଯାଏ । ସୂର୍ଯ୍ୟାସ୍ତ ପୂର୍ବରୁ ଏକ ବାଉଁଶ ଟୋକେଇରେ ଅର୍ଘ୍ୟ ପ୍ରଦାନ ନିମନ୍ତେ ସାମଗ୍ରୀ ସଜାଯାଇଥାଏ । ପରିବାର ଏବଂ ଆଖପାଖର ସମସ୍ତ ଲୋକ ଉପବାସ ସହିତ ଘାଟ ଆଡକୁ ଯାଇ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତି । ଚତୁର୍ଥ ଦିନରେ ସକାଳେ ଉଦୟ ସୂର୍ଯ୍ୟଙ୍କୁ ଅର୍ପଣ କରାଯାଏ । ଏହି ଦିନ ଭକ୍ତମାନେ ସୂର୍ଯ୍ୟୋଦୟ ପୂର୍ବରୁ ପାଣିରେ ଠିଆ ହୋଇ ଉଦୟ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତି । ଅର୍ଘ୍ୟ ଅର୍ପଣ ପରେ ଲୋକମାନେ ପ୍ରସାଦ ଖାଇ ଉପବାସ ଭାଙ୍ଗନ୍ତି । ତେବେ ଛଟପୂଜା ପାଇଁ ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଘାଟର ସଫେଇ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା । ବାଲିଘାଟ ବ୍ୟତୀତ ସହରର ନୂଆସାହିସ୍ଥିତ କୁକୁଡ଼ାପଦା, ଶାଳବଣି ସମେତ ବିଭିନ୍ନ ସ୍ଥାନରେ ମଧ୍ୟ ଅନୁରୂପ ଭାବେ ଛଟ ପୂଜା ହୋଇଛି ।


