ଛତିଶଗଡରୁ ସାଇକେଲରେ ନାଉଗାଁ ବ୍ଲକ ପହଁଚିଲେ ଓଡିଆ ପ୍ରବାସୀ
ନାଉଗାଁ (ଓ୍ବାଇଏନ୍ଏସ୍) :ମହାମାରୀ କରୋନାକୁ ନେଇ ବିଶ୍ୱ ଚିନ୍ତିତ । ଏହି ରୋଗ ସଂକ୍ରମରଣରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ ଲକ ଡାଉନ ଜାରୀ ହୋଇଛି । କିନ୍ତୁ ଏହି ଲକ ଡାଉନ ଯୋଗୁ ସବୁ କଳ କାରଖାନା ବନ୍ଦ ରହିଛି । କଳକାରଖାନା ବନ୍ଦ ହେତୁ କାର୍ଯ୍ୟ କରୁଥିବା ଶ୍ରମିକମାନେ ନିଜ ପେଟ ପୋଶିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାଫଳରେ ନିଜେ ବଂଚିବା ପାଇଁ ଯେ କୌଣସି ଉପାୟରେ ନିଜ ଗାଁକୁ ଫେରୁଥିବା ଦେଖାଯାଇଛି । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ସୁଦୂର ଛତିଶଗଡ ରାଜ୍ୟରୁ ଜୈନିକ ଯୁବକ ଏକ ସାଇକେଲ ଯୋଗେ ଦିର୍ଘ ୪୮୦ କି.ମି ରାସ୍ତାକୁ ୯୦ ଘଂଟାରେ ଅତିକ୍ରମ କରି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକରେ ପହଁଚିଥିବା ଜଣାଯାଇଛି । ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଓଷକଣା ପଂଚାୟତର ଜୈନିକ ଯୁବକ ସୁଦୂର ଛତିଶଗଡ ରାଜ୍ୟର ରାଇଗଡ ଜିଲ୍ଲାସ୍ଥିତ ଗାୟତ୍ରୀ ରୋଲିଙ୍ଗ ମିଲରେ ଦିର୍ଘ ୯ବର୍ଷ ହେବ କାର୍ଯ୍ୟ କରି ଆସୁଥିଲେ । ଲକ ଡାଉନ ପାଇଁ ମିଲଟି ବନ୍ଦ ହୋଇଯାଇଥିଲା । ମିଲ ବନ୍ଦ ହେବା ହେତୁ ପାଖରେ ଥିବା ସଂଚିତ ଅର୍ଥ ଶେଷ ହେବାକୁ ଲାଗିଲା । ଏପରିକି ବାରମ୍ବାର ଲକ ଡାଉନ ବିଢିବା କାରଣରୁ ଅର୍ଥ ସରିବା ସହିତ ଏପଟେ ନିଜ ପେଟ ପାଇଁ ଖାଦ୍ୟର ଚିନ୍ତା ଓ ପରିବାର କଥା ବହୁତ ମନେ ପଡିଲା । ଫଳରେ ଉକ୍ତ ମିଲରେ କାର୍ଯ୍ୟ କରୁଥିବା ଯାଜପୁର, ସୁନ୍ଦରଗଡ, ଭଦ୍ରକ ସମେତ ଜଗତସିଂହପୁର ଜିଲ୍ଲାର ୧୬ଜଣ ସାଥିଙ୍କୁ ଏକତ୍ରିତ କରି ନିଜ ଗାଁକୁ ଫେରିବା ପାଇଁ ସାଇକେଲରେ ବାହାରିଥିଲେ । ଏଥିରେ ଜଗତସିଂହପୁର ଜିଲ୍ଲାର ୬ ଜଣ ସାଥି ରହିଥିଲେ । ସେଠାରୁ ସେମାନେ ଗୁରୁବାର ରାତି ୧୨ଟାରେ ବାହାରି ଦିର୍ଘ ୪୮୦ କି.ମି ରାସ୍ତାକୁ ଅତିକ୍ରମ କରି ସୋମବାର ଅପରାହ୍ନରେ ନାଉଗାଁ ବ୍ଲକରେ ପହଁଚିଥିଲେ । ଅନ୍ୟପଟରେ ଉକ୍ତ ଯୁବକ ନିଜ ଗାଁକୁ ସାଇକେଲ ଯୋଗେ ଫେରୁଥିବା ପରିବାର ପକ୍ଷରୁ ନାଉଗାଁ ବ୍ଲକ ପ୍ରଶାସନକୁ ସୂଚନା ଦିଆଯାଇଥିଲା । ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ଯୁବକକୁ ନିଆଯାଇ ଓଷକଣା ପଂଚାୟତର ଅସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିବା ଜଣାଯାଇଛି ।