ଛତ୍ରପୁର ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ
ଛତ୍ରପୁର, (ଓ୍ବାଇଏନ୍ଏସ୍):ଭାରତ ଭଳି ସଂସ୍କୃତି ସମ୍ପର୍ଣ ଦେଶର ଗୋଟିଏ ଅଲଗା ପରିଚୟ ରହିଛି । ବିଭିନ୍ନ ଧର୍ମ ଓ ଭାଷାକୁ ନେଇ ଭାରତର ସଂସ୍କୃତି ,ସେହି ଧର୍ମ ମାନଙ୍କ ମଧ୍ୟରୁ ହିନ୍ଦୁ ଧର୍ମର ପରମ୍ପରା ଖୁବ ନିଆରା । ସେହି ପରମ୍ପରା ମଧ୍ୟରୁ ରକ୍ଷାବନ୍ଧନ ଗୋଟିଏ । ଏହା ହେଉଛି ଭାଇ ଓ ଭଉଣୀଙ୍କ ପବିତ୍ର ବନ୍ଧନ । ରକ୍ଷାବନ୍ଧନ ପରମ୍ପରା ଭାରତର ଗୋଟିଏ ପୁରାତନ ପରମ୍ପରା ଅଟେ । ଏହି ଦିନଟି ଶ୍ରାବଣ ପୁର୍ଣିମା ଦିନ ପାଳନ କରାଯାଏ । ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ରକ୍ଷା କରିବାର ପ୍ରତିଶୃତି ନେଇଥାଏ । ସେଠାରେ ଭାଇର ମଧ୍ୟ କର୍ତବ୍ୟ ରହିଥାଏ ଯେ ସବୁ ପରିସ୍ଥିତିର ମୁକାବିଲା କରି ନିଜ ଭଉଣୀକୁ ରକ୍ଷା କରିବା ପ୍ରତିଶୃତି ଦିଏ । ଏହି ପର୍ବଟି ଭାଇ ଭଉଣୀର ସମ୍ପର୍କକୁ ସୁଦୃଢ କରିବା ସହିତ ଏକ ନିଆରା ଅନୁଭୂତି ଜାଗ୍ରତ କରିଥାଏ । ହିନ୍ଦୁ ଧର୍ମ ସହିତ ସିଖ ଓ ଜୈନ ଧର୍ମରେ ରକ୍ଷା ବନ୍ଧନ ପାଳନ ହୁଏ । ଭାରତର ପଡୋଶୀ ଦେଶ ନେପାଳରେ ମଧ୍ୟ ଏହି ପର୍ବ ପାଳିତ ହୁଏ । ଆମ ଓଡ଼ିଶାର ଲୋକମାନେ ରକ୍ଷାବନ୍ଧନ ବଳଭଦ୍ରଙ୍କର ଜନ୍ମଦିନ ପାଳନ କରିଥାନ୍ତି । ଗାଈଗୋରୁଙ୍କୁ ପୂଜା କରାଯାଇ ରାକ୍ଷୀ ବନ୍ଧା ହୋଇଥାଏ ଓ ପିଠା ଖୁଆଇ ଥାନ୍ତି । ପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ସବୁ ସ୍ଥାନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି ।ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇ ଠାରୁ ସୁରକ୍ଷା ଆଶା କରିଛନ୍ତି । ଏଥି ପାଇଁ ସବୁ ପରିବାରରେ ପିଠା ଓ ମିଠା ସହ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ଶିଶୁ ଭଉଣୀମାନେ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧି ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି । ବର୍ତମାନ କରୋନା ଲାଗି ଦୂର ଦୂରାନ୍ତ ରେ ଥିବା ବହୁ ସଂଖ୍ୟକ ଭଉଣୀ ମାନେ ନିଜ ଭାଇ ଙ୍କ ପାଖରେ ରେ ପହଁଚି ପାରୁନାହାନ୍ତି । ତେଣୁ ଅନଲାଇନ ମାଧ୍ୟମରେ ଭିଡିଓ କଲିଂ ଦ୍ୱାରା ଭାଇ ଙ୍କୁ ଦେଖି ଆଜିର ଦିବସ ଅବସରେ ଶୁଭ କାମନା କରିଥିବା ଦେଖିବାକୁ ମିଳିଥିଲା । ପୁରାଣ ଯୁଗରୁ ରକ୍ଷାବନ୍ଧନର ମହତ୍ୱ ରହିଛି । ମହାଭାରତ ଯୁଗରେ ଦ୍ରୌପଦୀ ଓ ଶ୍ରୀ କୃଷ୍ଣଙ୍କୁ ନେଇ ଗୋଟିଏ ସୁନ୍ଦର କଥା ରହିଛି । ଶିଶୁପାଳକୁ ବଦ୍ଧ କରିବା ପାଇଁ ଭଗବାନ ଶ୍ରୀ କୃଷ୍ଣ ତାସାହିତ ଯୁଦ୍ଧ କରିଥିଲେ ସେହି ଯୁଦ୍ଧରେ ଶ୍ରୀ କୃଷ୍ଣଙ୍କ ଆଙ୍ଗୁଠିରେ ଟିକେ ଆଘାତ ଲାଗି ରକ୍ତ ବାହାରିଥିଲା ,ତୁରନ୍ତ ଦ୍ରୌପଦୀ ନିଜ ଶାଢ଼ୀକାନି ଚିରି କୃଷ୍ଣଙ୍କ ହାତରେ ବାନ୍ଧିଦେଲେ । ଯେଉଁଦିନ ଏହି ଘଟଣା ଘଟିଲା ସେହିଦିନ ଶ୍ର।ବଣ ପୁର୍ଣିମା ଥିଲା । କୃଷ୍ଣ ଦ୍ରୌପଦୀଙ୍କୁ କଥା ଦେଇଥିଲେ ଯେ ଏହି ଶାଢ଼ୀ କାନିର ପ୍ରତ୍ୟେକଟି ସୁତାର ମୂଲ୍ୟ ସମୟ ଆସିଲେ ପରିତୋଷ କରିଦେବେ । ଦ୍ରୋପଦୀଙ୍କ ବସ୍ତ୍ରହରଣ ସମୟରେ ଭଗବାନ ଏହାକୁ ପୁରା କରିଥିଲେ । ପୁରାଣ ଯୁଗରୁ ରହି ଆସିଥିବା ଏହି ପରମ୍ପରା ଓ ପ୍ରଥା ଆଜିମଧ୍ୟ ଭାରତ ବର୍ଷରେ ପାଳିତ ହେଉଛି । ଏହିସବୁ ପ୍ରଥାକୁ ନେଇ ଆମ ସଂସ୍କୃତି ,ଯାହାପାଇଁ ଆଜି ଆମେ ସାରା ବିଶ୍ବରେ ଗୋଟିଏ ସଂସ୍କୃତି ପ୍ରିୟ ଦେଶ ଭାବରେ ଗଣନା ହେଉଛୁ । ଏହି ସବୁ ପୌରାଣିକ ମତ ଓ କଥାକୁ ନେଇ ଆମର ପରମ୍ପରା ଜୀବିତ ରହିଛି ।