ଛାତରୁ ଗଳୁଛି ପାଣି, ଗାଁ ଲୋକେ ଅସନ୍ତୋଷ
ଘଟଗାଁ, (ଯୁଗାବ୍ଦ ନ୍ୟୁଜ) ସରକାର ପ୍ରତ୍ୟେକ କାର୍ଯ୍ୟକୁ ଭଲ ଭାବରେ ଏବଂ ଠିକ୍ ସମୟରେ ସମ୍ପୁର୍ଣ୍ଣ କରିବା ପାଇଁ ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ କଡାକଡି ନିର୍ଦ୍ଦେଶ ଦେଇଥିବା ବେଳେ ଅଧିକାଂଶ ସ୍ଥାନରେ କିଛି କିଛି ସରକାରୀ ଅଫିସର ଏବଂ ଲୋଭି ଠିକାଦାର ମାନଙ୍କ ଯୋଗୁଁ ସରକାରଙ୍କ ସେସବୁ କଥା ମୁଲ୍ୟହିନ ହୋଇପଡୁଛି । ଯାହାର ସତ୍ୟାସତ୍ୟ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଧନୁର୍ଜୟପୁର ଗାଁ ଅଙ୍ଗନୱାଡି କେନ୍ଦ୍ରର ଦୃଶ୍ୟକୁ ଦେଖିଲେ ହିଁ ଜାଣିପାରିବେ । ଏହି ଗ୍ରାମରେ ଅଙ୍ଗନୱାଡି ଗୃହ ନଥିବାରୁ ଅଧିକାଂଶ ସମୟରେ ଖୋଲା ଆକାଶ ତଳେ ଜରାଜିର୍ଣ୍ଣ ଅବସ୍ଥାରେ ଭବିଷ୍ୟତ ଗଢିଥାନ୍ତି ଏହି ଲୋମଳମତି ଅଙ୍ଗନୱାଡି ଶିଶୁ ମାନେ । ଅଙ୍ଗନୱାଡି କେନ୍ଦ୍ରର ଗୃହ ନିର୍ମାଣ କାର୍ଯ୍ୟ ଆଜକୁ ଦୁଇ ବର୍ଷ ପୂର୍ବେ ଆମ୍ଭ ହୋଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ହୋଇପାରୁନାହିଁ । ସୁଚନାନୁସାରେ, ଆସିବାସି ବହୁଳ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଧନୁର୍ଜୟପୁର ଗାଁରେ ଆଜକୁ ପ୍ରାୟ ଛଅ ବର୍ଷ ପୂର୍ବେ ଅଙ୍ଗନୱାଡିର ବ୍ୟବସ୍ଥା ନଥିଲା । ଗାଁରେ ଅଙ୍ଗନୱାଡି ଗୃହ ନଥିଲେ ମଧ୍ୟ ଛଅ ବର୍ଷ ପୂର୍ବେ ଗାଁକୁ ଜଣେ ଅଙ୍ଗନୱାଡି ଦିଦି ଦେଇ କୁନି କୁନି ପିଲାଙ୍କୁ ଶିକ୍ଷାଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସରକାର । ଫଳରେ ଚାରି ବର୍ଷ ଧରି ଗାଁର ଜଣଙ୍କ ଘରେ ଅଙ୍ଗନୱାଡି ପିଲାଙ୍କ ପାଠପଢା ଚାଲିଥିଲା । ପରେ ପରେ ଗାଁ ଲୋକେ ଏନେଇ ତିବ୍ର ପ୍ରତିବାଦ କରି ଖଣ୍ଡିଏ ଅଙ୍ଗନୱାଡି ଗୃହ ପାଇଁ ଦାବି କରିଥିଲେ । ସେତେବେଳେ ଘଟଗାଁ ବିଡିଓ ଧନୁର୍ଜୟପୁର ଗାଁକୁ ଯାଇ ଲୋକଙ୍କ ପାଖରେ ଆଗାମୀ ଚାରି ମାସ ଭିତରେ ଅଙ୍ଗନୱାଡି ଗୃହ ନିର୍ମାଣ ହେବ ବୋଲି ପ୍ରତିସୃତି ଦେଇ ଗୃହ ନିର୍ମାଣର କାର୍ଯ୍ୟାଦେଶ ଦେବାସହ ଚାରିମାସ ପର୍ଯ୍ୟନ୍ତ ଧନୁର୍ଜୟପୁର ପ୍ରାଥମିକ ବିଦ୍ୟାଳୟରେ ଅଙ୍ଗନୱାଡି କେନ୍ଦ୍ର ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ଗାଁଲୋକେ ନୂତନ ଅଙ୍ଗନୱାଡି ଗୃହ ଆସିବାର ଖବର ପାଇ ଖୁସି ହୋଇ ବିଡିଓ ମହାଶୟଙ୍କ କଥା ମାନି ଚାରିମାସ ସ୍କୁଲ୍ରେ ଅଙ୍ଗନୱାଡି ଛୁଆଙ୍କୁ ପାଠ ପଢିବା ପାଇଁ ଛାଡିଥିଲେ । କିନ୍ତୁ ଗତ ଦୁଇ ବର୍ଷ ତଳେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ଆଜିପର୍ଯ୍ୟନ୍ତ ଅଦ୍ୟାବଧି ଭାବେ ଅଧପନ୍ତିଆ ହୋଇ ପଡିରହିଛି । ଅନ୍ୟପକ୍ଷରେ ବିଡିଓ ମହାଶୟ ନିକଟସ୍ଥ ପ୍ରାଇମେରି ସ୍କୁଲ୍ରେ କିଛି ମାସ ପାଇଁ ଅଙ୍ଗନୱାଡି କେନ୍ଦ୍ର ଚଳାଇବା ପାଇଁ ନିର୍ଦ୍ଦେଶ ଦେବା ପରଠୁ ପିଲାଙ୍କ ପାଠପଢା ଦିନକୁ ଦିନ ଅନ୍ଧାରକୁ ଚାଲିଯାଉଥିବା କଥା ଗାଁଲୋକେ ପ୍ରକାଶ କରିଛନ୍ତି । ପ୍ରକୃତରେ ଅଙ୍ଗନୱାଡି ପିଲାମାନଙ୍କର ପାଠପଢା ସମୟ ସକାଳ ୧୦ଟାରୁ ଦିନ ୧ଟା କିନ୍ତୁ ବିଡିଓଙ୍କ ନିର୍ଦ୍ଦେଶକ୍ରମେ ଅଙ୍ଗନୱାଡି ଦିଦି ସବୁ ଦିନ ସକାଳ ୭ଟାରେ ସ୍କୁଲ୍ରେ ପହଂଚିଥାନ୍ତି । କୁନି କୁନି ପିଲାମାନେ ମଧ୍ୟ ସକାଳ ୭ଟାରେ ପହଂଚିଥାନ୍ତି ଏବଂ ପାଠ ପଢିଥାନ୍ତି । କିନ୍ତୁ ଯେଉଁଦିନ ସକାଳୁ ବର୍ଷା ହୋଇଥାଏ କୁନି କୁନି ପିଲାମାନେ ଘରୁ ସ୍କୁଲ୍କୁ ଆସୁ ଆସୁ ୧୦ଟା ହୋଇଯାଇଥାଏ ଏବଂ ପ୍ରାଇମେରି ସ୍କୁଲ୍ ପିଲାମାନଙ୍କର ପାଠପଢା ସମୟ ମଧ୍ୟ ହୋଇଯାଇଥାଏ । ସେହି ଦିନ ଗୁଡିକରେ ଅଙ୍ଗନୱାଡି ପିଲାମାନେ ବାଧ୍ୟ ହୋଇ ବର୍ଷା ହେଉଥିଲେ ଖୋଲା ଆକାଶ ତଳେ ଛତା ଧରି ପାଠ ପଢିଥାନ୍ତି । ଅନ୍ୟପକ୍ଷରେ ଗୃହ ନିର୍ମାଣ କାର୍ଯ୍ୟ ଏତେ ନିମ୍ନମାନର ହୋଇଛି ଯେ ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଗଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ । ଗାଁଲୋକେ ଛାତରୁ ପାଣି ଗଳୁଥିବା ଦେଖି ଅଧପନ୍ତରିଆ ନିର୍ମାଣ ଗୃହକୁ କୁନି କୁନି ପିଲାମାନଙ୍କୁ ଆଦୌ ପ୍ରବେଶ କରିବାକୁ ଦେଉନାହାନ୍ତି । ଲୋକମାନଙ୍କର କହିବା କଥା ଆଜି ପାଣି ଗଳୁଛି କାଲି ପାଠପଢା ସମୟରେ ଛାତଟି ଭୁସୁଡି ପଡିବ ସେଥିପାଇଁ ଦାୟୀ କିଏ ରହିବ । ନୂଆ ଘର ହସ୍ତାନ୍ତର ହୋଇନିି ଛାତରୁ ପାଣି ଗଳୁଛି! ଏଥିରୁ ଜଣାପଡୁଛି ଘରର ସ୍ଥାୟୀତ୍ୱ କେତେ? ଯାହାକୁ ଦେଖି ଲୋକଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି କରୁଛି । ଅନ୍ୟପକ୍ଷରେ ଚାରିମାସ ଭିତରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ବିଡିଓ ମହାଶୟ ପ୍ରତିସୃତି ଦେଇଥିଲେ । ତେବେ ବିଡିଓ ମହାଶୟଙ୍କର ପ୍ରତିସୃତି ଗଲା କୁଆଡେ ? ବୋଲି ଗାଁଲୋକେ ପ୍ରଶ୍ନ ଉଠାଉଛନ୍ତି । କାମ ଆରମ୍ଭ ହୋଇ ଛାତ ପଡିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ଗୃହ କାର୍ଯ୍ୟର ସୂଚନାଫଳକ ଲଗାଯାଇନାହିଁ କାହିଁକି ? ଏଥିପ୍ରତି ବିଡିଓ ମହାଶୟ ଦୃଷ୍ଟି ଦେଉନାହାନ୍ତି କାହିଁକି? ଅନ୍ୟପକ୍ଷରେ ଶୁଣିବାକୁ ମିଳୁଛି ମୋଟାଅଙ୍କର ପିସି ନେଇ ଜେଇ ଏବଂ ଠିକାଦାର୍ ମଧ୍ୟରେ ସଲାସୁତରା ହୋଇ ଏଭଳି ନିମ୍ନମାନର କାମ କରାଯାଇଛି ବୋଲି ଗାଁ ଲୋକମାନେ ଅଭିଯୋଗ କରିଛନ୍ତି । ତେଣୁ ବର୍ତମାନ ସମ୍ପୁର୍ଣ୍ଣ ଛାତଟିକୁ ପୁନର୍ବାର ଗ୍ଲେଡିଂ କରାନଗଲେ ଗୃହକାର୍ଯ୍ୟ କରାଇଦିଆଯିବ ନାହିଁ ବୋଲି ବୋଲି ଗାଁଲୋକେ ଚେତାବନି ଦେଇଥିବା ବେଳେ ଘଟଗାଁ ବିଡିଓ ଶ୍ରୀଯୁକ୍ତ ତ୍ରିଲୋଚନ ମହାନ୍ତି ନିମ୍ନମାନର କାମ ହୋଇଥିଲେ କିମ୍ବା ଛାତରୁ ପାଣି ଗଳୁଥିଲେ ତାର ତଦନ୍ତ କରାଯାଇ ଆସନ୍ତା ଡିସେମ୍ବର ମାସ ସୁଧା ଗୃହ କାର୍ଯ୍ୟ ସମାପ୍ତ ହେବ ବୋଲି ପ୍ରକାଶ କରିଛନ୍ତି । ତେବେ ରାଜ୍ୟ ସରକାର ମୋସରକାର ଏବଂ ୫ଟି ଯୋଜନା ପ୍ରଣୟନ କରି ସମସ୍ତ କାମ ଠିକ୍ ସମୟରେ କରିବା ପାଇଁ ନିର୍ଦ୍ଦେଶ ଦେଇ ସଙ୍ଗେ ସଙ୍ଗେ କଡାକଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ଏଠାକାର ଠିକାଦାର ମହାଶୟ କାହା ବଳରେ ବଳବାନ କେଜାଣି ତାଙ୍କୁ ୫ଟି ଭଳି କଡା ଯୋଜନା କାଟୁ କରୁନାହିଁ । ଅନ୍ୟପକ୍ଷରେ ଦେଖିବାକୁ ବାକି ରହିଲା କେବେ ଏହି କୋମଳମତି ଶିଶୁ ମାନେ ନିରାପଦରେ ଶିକ୍ଷାଲାଭ କରିପାରିବେ ।