ଛାତ୍ର ସାଜୁଛନ୍ତି ଶ୍ରମିକ, ଦୋଷ ଘୋଡାଇବା ପାଇଁ ବିଡିଓ କରୁଛନ୍ତି ସମ୍ବର୍ଦ୍ଧିତ
ନାଉଗାଁ,(ଯୁଗାବ୍ଦ ନୁ୍ୟଜ୍): ଆଜିର ଛାତ୍ର ଆସନ୍ତାକାଲିର ଭବିଷ୍ୟତ । ଯେଉଁ ବୟସରେ ହାତରେ ବହି ବସ୍ତାନୀ ଓ କଲମ ଧରିବା ସମୟ, ସେହି ବୟସରେ ସେମାନେ ବିଚ୍ ରାସ୍ତାରେ ସାଜିଲେ ଶ୍ରମିକ । ହାତକୁ କଷ୍ଟ ହେଲେବି ସଜାଡିଲେ ରାସ୍ତା । କାରଣ ତାଙ୍କ ପାଇଁ ୟାତାୟତରେ ହେଉଥିଲା ଘୋର ଅସୁବିଧା । ସେ କେବଳ ରାସ୍ତା ମରାମତି କଲେ ନାହିଁ ବଂର ପ୍ରଶାସନକୁ ଚେତେଇ ଦେଲେ , ଯେଉଁ ସରକାର ପ୍ରତିବର୍ଷ ଯୋଜନା ପରେ ଯୋଜନା କରୁଛି, ମାଟି ରାସ୍ତାକୁ ପିଚୁ ଓ ପକ୍କା କରୁଛି,ସେ ସରକାର ଅରଖକୁଦ-ଦେବୀଦୋଳ ରାସ୍ତାର ମରାମତି ପାଇଁ ଏତେ କୁଣ୍ଠାବୋଧ କାହିଁକି ବୋଲି ଏକ ବିରାଟ ପ୍ରଶ୍ନବାଚୀ ଛିଡା କରିଛନ୍ତି । ଆଉ ସବୁଠାରୁ ବଡ କଥା ହେଉଛି ପ୍ରଶାସନର ଏହି ସ୍ଥାଣୁତାକୁ ଘୋଡାଇବାକୁ ଯାଇ ବ୍ଲକ ପ୍ରଶାସନର ବିଡିଓ ଛାତ୍ରମାନଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ସମ୍ବର୍ଦ୍ଧିତ କଲେ । ଏହି ଘଟଣାଟି ଘଟିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅରଖକୁଦ-ଦେବୀଦୋଳ ରାସ୍ତାରେ । ରୋହିଆ ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ଗ୍ରାମ୍ୟ ଉନ୍ନୟନ ଅଧିନରେ ଥିବା ଏହି ରାସ୍ତାର ମରାମତି କରିଛନ୍ତି । ଏହି ରାସ୍ତାରେ ଦୈନଦିନ ଦୁଘର୍ଟଣା ଘଟୁଥିବା ବେଳେ ଏଥିପ୍ରତି ବ୍ଲକ ପ୍ରଶାସନ ଉଚିତ ମନୋଭାବ ପୋଷଣ କରିନାହିଁ । ଦିନେ ବି ହେଲେ ନାଉଗାଁ ବ୍ଳକ ପ୍ରଶାସନ ଏହି ରାସ୍ତାର ଦୁରାବସ୍ତା ଉପରେ ସଂପୃକ୍ତ ବିଭାଗ କିମ୍ବା ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିନାହିଁ । ଯଦି କରିଥାନ୍ତେ ତେବେ ସେ ରାସ୍ତାର ମରାମତି ଆଜି ପର୍ଯ୍ୟନ୍ତ କାହିଁକି ହୋଇନଥାନ୍ତା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପଂଚାୟତ ସମିତି ବୈଠକକୁ ସଂପୃକ୍ତ ବିଭାଗର ଯନ୍ତ୍ରୀମାନେ ଆସନ୍ତି, ସେହି ସମୟରେ ତାଙ୍କୁ କାହିଁକି କୁହାଗଲା ନାହିଁ, କି ଅରଖକୁଦ-ଦେବୀଦୋଳ ରାସ୍ତାର ଅବସ୍ଥା ଏହିପରି ଏହାକୁ ତୁରନ୍ତ ମରାମତି କରାଯାଉ ବୋଲି । ଦିନେ ବି ହେଲେ ଏହି ରାସ୍ତା ବିଷୟରେ ଏକ ସେକେଣ୍ଡ ମୁଣ୍ଡ ଖେଳାଇ ନଥିବା ବ୍ଲକ ପ୍ରଶାସନର ମୁଖିଆ ଛାତ୍ରମାନେ ରାସ୍ତାକାମ କଲେ ବୋଲି ଶୁଣିବା ପରେ ହଡ ବଡେଇ ସେମାନଙ୍କୁ ବ୍ଲକ କାର୍ଯ୍ୟାଳୟକୁ ଡାକି ସମ୍ବର୍ଦ୍ଧିତ କରିବାର ଉଦେ୍ଧଶ୍ୟ ଏବେ ହାଟରେ ପଡି ଦାଣ୍ଡରେ ଗଡିଲାଣି । ରାଜ୍ୟରେ ‘ପରୀ’ କାର୍ଯ୍ୟକ୍ରମ ଚାଲୁଥିବା ଓ ଶିଶୁ ଶ୍ରମିକ ଆଇନକୁ କଡାକଡି ପାଳନ କରିବାକୁ ନିଦେ୍ର୍ଧଶ ଥିବା ବେଳେ ନିଜର ଭୁଲକୁ ଘୋଡାଇବାକୁ ଯାଇ ଓଲଟା ଛାତ୍ରମାନଙ୍କ ବିଦ୍ୟାଳୟକୁ ନ ଯାଇ ତାଙ୍କୁ ବ୍ଲକ କାର୍ଯ୍ୟାଳୟକୁ ଡାକି ନିଜ କାର୍ଯ୍ୟାଳୟ ଭିତରେ ଖଣ୍ଡେ ଖଣ୍ଡେ ଉପହାର ଧରେଇ ଫଟୋ ଉଠାଇବାର ତାପ୍ତର୍ଯ୍ୟ କ’ଣ ତାହାକୁ ନେଇ ଏବେ ନାଉଗାଁରେ ଚର୍ଚ୍ଚା ଆରମ୍ଭ ହେଉଛି । ଏ ସଂର୍ପକରେ ବିଡିଓ ରଶ୍ମୀରେଖା ମଲ୍ଲିକଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ସମ୍ଭବ ହୋଇ ପାରିନାହିଁ । ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।