ଜଗତଜନନୀ ମା’ଦୁର୍ଗାଙ୍କର ମାଟି ଅନୁକୂଳ ଅନୁଷ୍ଠିତ
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ବଜାରର ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ଗୁରୁବାର ମୂଳାଷ୍ଟମୀ ତିଥିରେ ମା’ଦୁର୍ଗାଙ୍କ ମାଟି ଅନୁକୂଳ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଓ କୋଭିଡ ନିୟମକୁ ଦୃଷ୍ଟିରେ ରଖି ଏହି ମାଟି ଉଠା କାର୍ଯ୍ୟ କରାଯାଇଥିଲା । କମିଟିର ସଭାପତି ଅଶୋକ ମହାନ୍ତି ଓ ସମ୍ପାଦକ ଜଗନ୍ନାଥ ଦାସଙ୍କ ତତ୍ୱବଧାନରେ ଗୋବରୀ ନଦୀ ପଠାରେ ମାଟି ଅନୁକୂଳ ପାଇଁ ପୂଜାର୍ଚ୍ଚନା କରାଯାଇଥିଲା । ବିଧି ବିଧାନ ଅନୁସାରେ ବ୍ରାହ୍ମଣ ପଣ୍ଡିତ ପୂଜାର୍ଚ୍ଚନା କରିଥିଲେ । ନାରାୟଣ ପଟ୍ଟନାୟକ ଏହି ପୂଜାରେ କର୍ତା ଭାବେ ଯୋଗ ଦେଇଥିଲେ । ସେହିପରି ଗଙ୍ଗଦାହାଟରେ ବିଧିବିଧାନ ଅନୁସାରେ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟରେ କର୍ତା ଭାବେ ବିଦ୍ୟାଧର ସାହାଣୀ ଯୋଗଦେଇଥିଲେ ।