ଜଙ୍ଗଲରେ ତେଜୁଛି ଜନ ଆନ୍ଦୋଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପ୍ରଧାନ ଶିକ୍ଷକଙ୍କ ବଦଳିକୁ ନେଇ ଜଙ୍ଗଲଘେର ମଧ୍ୟରେ ଥିବା ଆଦିବାସୀ ଗାଁ କନ୍ଦଳେଇରେ ତେଜୁଛି ଜନ ଆନ୍ଦୋଳନ । ଭୁବନେଶ୍ୱର ଉପକଣ୍ଠ ଛତାବର ପଞ୍ଚାୟତ ଅଧିନରେ ଥିବା ଚନ୍ଦକା-ଡମ୍‌ପଡ଼ା ହସ୍ତୀ ଅଭୟାରଣ୍ୟ ମଧ୍ୟରେ ରହିଛି ଏହି ଆଦିବାସୀ ଗାଁ । ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପବିତ୍ର ମୋହନ ନାୟକଙ୍କ ପଦୋନ୍ନତି ବଦଳି ଖବର ଶୁଣି ଗ୍ରାମବାସୀ ଓ ବିଦ୍ୟାଳୟର ଛାତ୍ର, ଛାତ୍ରୀ ଏକତ୍ରିତ ହୋଇ ବିଦ୍ୟାଳୟ ସମ୍ମୁଖରେ ପ୍ଲାକାର୍ଡ଼ ଧରି ପ୍ରତିବାଦ ଆରମ୍ଭ କରିଦେଇଛନ୍ତି । ପ୍ଲାକାର୍ଡ଼ରେ କୋହ୍ଲ ଭାଷାରେ ପବିତ୍ର ସାର୍ ଆଲେକେ ଦରକାର, ପବିତ୍ର ସାର୍ ଆଲିଆ ସ୍କୁଲ୍‌ରେ ତାଇନ୍‌କେ ଏବଂ ଓଡ଼ିଆରେ ଆମର ଦରକାର ପବିତ୍ର ସାର୍‌, ଆମର ଦାବି ପବିତ୍ର ସାର୍‌ଙ୍କ ବଦଳି ବନ୍ଦ ହେଉ ନାରା ଦେଇ ବିଦ୍ୟାଳୟ ସମ୍ମୁଖରେ ଗ୍ରାମବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୂଚନାଯୋଗ୍ୟ ୨୦୧୩ ମସିହାରେ ଗାଁର ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ସରକାର ପବିତ୍ର ମୋହନ ନାୟକଙ୍କୁ ଉକ୍ତ ଗାଁରେ ଥିବା ବିଦ୍ୟାଳୟରେ ନିଯୁକ୍ତି ଦେଇଥିଲେ । ଶିକ୍ଷାଦାନ ସହ ଗାଁର ବିକାଶ ଓ ଲୋକଙ୍କ ଭଲମନ୍ଦ ସଦାସର୍ବଦା ବୁଝନ୍ତି ପବିତ୍ର ସାର୍ । ରାତି ହେଉ କି ଦିନ ହେଉ, ଗାଁର କେହି ବ୍ୟକ୍ତି ଅସୁସ୍ଥ ହେଲେ ତୁରନ୍ତ ଆମ୍ବୁଲାନ୍ସ ଡ଼ାକି ହସ୍ପିଟାଲ ଯିବାର ବନ୍ଦୋବାସ୍ତ ଠାରୁ ଧରି ପିଲାମାନେ ଏଠାରୁ ପଞ୍ଚମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ କେମିତି ଓ କେଉଁଠି ପିଲାମାନଙ୍କର ସରକାରୀ ଆଦିବାସୀ ଆବାସିକ ବିଦ୍ୟାଳୟରେ ଆଡ଼ମିଶନ୍ ହେବ ସେ ଦାୟିତ୍ୱ ବି ନେଇଥାନ୍ତି ପବିତ୍ର ସାର୍ । ଗାଁର ସୁଖ, ଦୁଃଖ ସହ ସଦାସର୍ବଦା ଲୋକମାନଙ୍କ ସହ ସେ ଯୋଡ଼ି ହୋଇ ରହିଥାନ୍ତି । ଗ୍ରାମବାସୀଙ୍କ ମନ ଜିଣିନେଇଥିବାରୁ ସାର୍‌ଙ୍କ ବଦଳିକୁ ଗ୍ରାମବାସୀମାନେ ସହଜରେ ଗ୍ରହଣ କରିପାରି ନାହାଁନ୍ତି । ଏଣୁ ଏହାକୁ ଗ୍ରାମବାସୀମାନେ ତୀବ୍ର ବିରୋଧ ବି କରିଛନ୍ତି । ସରକାର ତୁରନ୍ତ ସାର୍‌ଙ୍କ ବଦଳିକୁ ରଦ୍ଦ କରନ୍ତୁ ନଚେତ ଆଗାମୀ ଦିନରେ ଆମେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଗ୍ରାମବାସୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ