ଜଟଣୀରେ ଗଣେଶ ପୂଜା
ଓଡ଼ିଶାର ଜଗନ୍ନାଥ ସଂସ୍କୃତିରେ ଗଣେଶ ପୂଜନ ବହୁ ପ୍ରାଚୀନତାକୁ ବୁଝାଏ । ସ୍ନାନ ପୂର୍ଣ୍ଣିମାଦିନ ନିଜେ ଜଗନ୍ନାଥ ଗଣପତି ବେଶରେ ସଜ୍ଜିତ ହୁଅନ୍ତି । ଶ୍ରୀ ମନ୍ଦିର ଠାରୁ ଆରମ୍ଭ କରି ଓଡ଼ିଶା ତଥା ଭାରତର ବିଭିନ୍ନ ହିନ୍ଦୁ ମନ୍ଦିରରେ ଗଣେଶ ପୂଜିତ ହୁଅନ୍ତି ଅଥବା ମନ୍ଦିର କାନ୍ଥରେ ଖୋଦିତ ହୋଇଥାନ୍ତି । ଭାରତ ବାହାରେ ଯେଉଁଠି ହିନ୍ଦୁ, ବୌଦ୍ଧ ଓ ଜୈନମାନେ ବସବାସ କରନ୍ତି ଯଥା ତିଦ୍ଦତ, ନେପାଳ, ଚୀନ, ଜାପାନ, ସିଂହଳ, ଜାଭା ଓ କାମ୍ବୋଡ଼ିଆ ଇତ୍ୟାଦିରେ ଗଣେଶ ମଧ୍ୟ ପୂଜିତ ହୁଅନ୍ତି । ମହାରାଷ୍ଟ୍ରରେ ଗଣେଶ ପୂଜାକୁ ଜାତୀୟ ପର୍ବରୂପେ ୧୮୯୩ ମସିହାରୁ ପାଳିତ ହୋଇ ଆସୁଅଛି । ଏପ୍ରଥାଟିକୁ ଲୋକମାନ୍ୟ ତିଳକ ପ୍ରଚଳନ କରାଇଥିଲେ । ତାଙ୍କ ଲକ୍ଷ୍ୟ ଥିଲା ଯେ ଏହା ଲୋକମାନଙ୍କ ହୃଦୟରେ ଏକତା ଓ ଭାତୃଭାବ ସୃଷ୍ଟି କରିବ । ଭାରତର ହିନ୍ଦୁସଂସ୍କୃତିରେ ସିଦ୍ଧିଲାଭ ଓ ବିଘ୍ନ ନାଶନ ବା ସଂକଟମୋଚନ ନିମନ୍ତେ ବୈଦିକ ଯୁଗରୁ ଶ୍ରୀ ଗଣେଶ ଅଗ୍ରପୂଜ୍ୟ ଗଣଦେବତା ରୂପେ ସେ ପୂଜା ପାଇଆସୁଛନ୍ତି । ସେ ଶିବ ଓ ପାର୍ବତୀଙ୍କର ପୁତ୍ର ହେଲେ ହେଁ, ସେ ପ୍ରକୃତରେ ପାର୍ବତୀଙ୍କର ସାନସପୁତ୍ର । ଏଣୁ ତାଙ୍କୁ ଅଜନ୍ମାବୋଲି କୁହାଯାଏ । ତାଙ୍କ ଜନ୍ମତିଥି, ଭାଦ୍ରଶୁକ୍ଲ ଚତୁର୍ଥୀ ଅଟେ । ସେ ସମସ୍ତ ମଙ୍ଗଳ କାର୍ଯ୍ୟରେ ପ୍ରଥମେ ପୂଜା ପାଆନ୍ତି । ‘ଗଣେଶ’ ଶବ୍ଦଟି ‘ଗଣ’ ଯୁକ୍ତ ‘ଇଶ’ରୁ ସୃଷ୍ଟି । ଅଥବା ‘ଗଣପତି’ ଶବ୍ଦଟି ‘ଗଣ’ ଯୁକ୍ତି ‘ପତି’ରୁ ସୃଷ୍ଟି । ଉଭୟଙ୍କ ଅର୍ଥ ଏକା । ଗଣ କହିଲେ ଲୋକମାନଙ୍କୁ ବୁଝାଏ; ଏଣୁ ଗଣନାଥ, ଗଣେଶ ବା ଗଣପତି ଏଇ ଅର୍ଥରେ ଠିକ୍ । ଏହିଗଣ ଦେବତା ଓଡ଼ିଆ ହିନ୍ଦୁ ପରିବାରରେ ମାଙ୍ଗଳିକ ବା ଶୁଭକାମରେ ପ୍ରଥମେ ଆସନ ଗ୍ରହଣ କରନ୍ତି । ତା’ପରେ ଅନ୍ୟାନ୍ୟ ପୂଜନ ବା କାର୍ଯ୍ୟକ୍ରମ । ଓଡ଼ିଶାରେ ସେ ବହୁଳ ଭାବରେ ପୂଜିତ ଦେବତା । ତାଙ୍କୁ ନେଇ ମେଳା, ମହୋତ୍ସବ, ପୂଜା ପାର୍ବଣ ଅନୁଷ୍ଠିତ ହୁଏ । ମହାରାଷ୍ଟ୍ର ଭାରତ ଏବଂ ବିଶ୍ୱରରେ ଗଣେଶ ପୂଜାରେ ପ୍ରଥମ । ମହାରାଷ୍ଟ୍ରକୁ ଛାଡ଼ିଦେଲେ ଓଡ଼ିଶାର ଜଟଣୀ ଗଣପର୍ବ ହିସାବରେ ଗଣେଶପୂଜା ଓଡ଼ିଶାରେ ପ୍ରଥମ ଏବଂ ଭାରତରେ ଦ୍ୱିତୀୟ । ଅର୍ଥାତ୍ ସମଗ୍ର ପୃଥିବୀରେ ବର୍ତ୍ତମାନ ଏହା ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଦୀର୍ଘ ସତୁରୀ ବର୍ଷ ଧରି ଏଠାରେ ଆଖି ଦୃଶିଆ ଭାବେ ଗଣେଶ ପୂଜା ପାଳିତ ହୁଏ । ଏହା ଅର୍ଥ ନୁହେଁ ଯେ ଏହା ଆଗରୁ ଏଠି ପାଳିତ ହେଉନଥିଲା । ତେବେ ଏତେ ବିସ୍ତାର ଓ ଆକର୍ଷଣୀୟ ଭାବେ ନୁହେଁ । ଏମିତି କହିଲେ ଏହା ଜଗନ୍ନାଥ ମନ୍ଦିରର ଗଣେଶ ପୂଜନପରି ବହୁ ପୁରାତନ । ଆଧୁନିକ ଗଣେଶ ପୂଜା ସର୍ବପ୍ରଥମେ ୧୯୪୩ ମସିହାରେ ରାଜାବଜାର ଜଟଣୀରେ ଆରମ୍ଭ କରନ୍ତି ଶ୍ରୀ ଦୀନବନ୍ଧୁ କବିରାଜ; ଗୋଟିଏ ଛୋଟିଆ ଜାଗାରେ, ବାଉଁଶ ପାଲତଳେ । ଏହି ଗଣେଶଙ୍କ ନାମ ରଖାଯାଇଥିଲା ‘ଦୀନାଗଣେଶ’ । ତାଙ୍କ ସହିତ ସାମିଲଥିଲେ ଶ୍ରୀ ସୋମନାଥ ଖୁଣ୍ଟିଆ, ରବି ମିଶ୍ର, ଉତ୍ତମ ସାହୁ, ଶ୍ରୀ ମିଶ୍ରିମଲ ଏବଂ ଗୋବିନ୍ଦ ସାହୁ ପ୍ରମୁଖ । ଗଣେଶଙ୍କର ପ୍ରିୟଲଡ଼ୁ ଏଠି ପୂଜା ଦିନତକ ଭୋଗ ହୁଏ ଏବଂ ଏହାର ଅଂଶୀଦାର ପ୍ରତିଟି ଘରେ ପ୍ରତିଦିନ ପହଞ୍ଚାଇ ଦିଆଯାଏ । ଏବେ ବି ଏ ପ୍ରଥା ଅଛି । ଏହାପରେ ୧୯୪୬ରେ ବ୍ରଜସାହୁଙ୍କର ମାନସିକ ଗଣେଶ ପୂଜା ହୁଅନ୍ତି କୁଦିଆରୀ ବଜାରରେ, ୧୯୫୫େ. ଗୋଲେଇ ମାର୍କେଟ / ରେଲୱେ ମାର୍କେଟ ବ୍ୟବସାୟୀ ସଂଘ ଆରମ୍ଭ କରନ୍ତି ତୃତୀୟ ଗଣେଶ ପୂଜନ, ୧୯୬୦ ମସିହାରେ ପୂର୍ଣ୍ଣରାମଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୁଏ ମହୁଲଗୁଡ଼ିଆ ଛକ ବୁଢ଼ାଗଣେଶ; ୧୯୬୫ରେ ହରିଭାଇନା ଛକ, ରାମଚନ୍ଦ୍ରପୁରରେ ଆରମ୍ଭ ହୁଏ ଗଣେଶ ପୂଜା; ଏହାର ନେତୃତ୍ୱ ନେଇଥିଲେ, ସର୍ବଶ୍ରୀ ବନମାଳୀ ଶତପଥି, ବଟ ମହାପାତ୍ର, ହରିବନ୍ଧୁ ଦାଶ ଯାହାଙ୍କ ନାମରେ ହରିଭାଇନା ଛକ, ଗଦାଧର ମହାନ୍ତି ଏବଂ ରାଜକିଶୋର ଶତପଥି ଓଗେର । ଏଠାରେ ଆରମ୍ଭରୁ ଏଯାବତ୍ ଗଣେଶ ପୂଜା ସମୟରେ ରାତିରେ ପାଲା ପରିବେଷଣ ହୁଏ । ଏହାପରେ .. ୧୯୭୦ରେ ସୀତାରାମ ଛକ, ଯାହାର ନେତୃତ୍ୱ ନିଅନ୍ତି ଶ୍ରୀ ପୂର୍ଣ୍ଣରାମ, ଚାନ୍ଦୁ ଦାଦା, ସୀତାରାମ ଅଗ୍ରଓ୍ୟାଲା ଯାହାଙ୍କ ନାମରେ ଏଛକ ନାମିତ, ପାତିଆ ସାହେବ, କେଳୁଚରଣ ମହାପାତ୍ର ଏବଂ ନୀଳକଣ୍ଠ ପାତ୍ର ପ୍ରମୁଖ । ଏହି କ୍ରମରେ କ୍ରମଶଃ, ବଡ଼ବଜାର, ମାଛମାର୍କେଟ, ଏକ ନମ୍ବର ପ୍ଲାଟଫର୍ମ, ଥାନାଛକ, ସର୍ଦ୍ଦାର ପଟେଲ ମାର୍ଗ… ଏମିତି ବର୍ଦ୍ଧିତକ୍ରମେ ଏବେ ଜଟଣୀର ଗଳିକନ୍ଦିର ଗଣେଶ ମିଶି ପ୍ରାୟ ଶତାଧିକ । ପ୍ରତିବର୍ଷ ସଂଖ୍ୟା ବଢ଼ୁଛି । ପ୍ରଥମେ ପ୍ରଥମେ ମୂର୍ତ୍ତିଗୁଡ଼ିକ ବିଶେଷ ଆକୃତିର ନଥିଲେ । ଗଣେଶ ମଞ୍ଚଗୁଡ଼ିକ ସାଧାସିଧା ଥିଲା ଓ ବାଉଁଶ ପାଲଦ୍ୱାରା ଆବଦ୍ଧ ଥିଲା, ପୂଜା ଓ ମେଳଣ ବେଳେ ଗ୍ୟାସବତୀ ବା ପେଟ୍ରୋମାକ୍ସ ଜଳୁଥିଲା । ଗଣେଶ ବିସର୍ଜନ ବେଳେ ଗଣେଶଙ୍କୁ ଦୋଳରେ ଲଦି କାନ୍ଧରେ ବୋହି ନେଉଥିଲେ । ଗୋଲେଇ ମାର୍କେଟ ଠାରେ ଗଣେଶ ମେଳଣ ହୋଇ ବାଣ, ବାଜା ଓ ରୋଷଣୀରେ ହାଟବଜାର ପୋଖରୀରେ ବିସର୍ଜନ ହେଉଥିଲେ । ଏବେ ମେଳଣ ନାହିଁ କି ହାଟବଜାର ପୋଖରୀରେ ବିସର୍ଜନ ନାହିଁ । ତେବେ ଗୋଟିଏ ମେଢ଼ ପରେ ଆଉ ଗୋଟିଏ ମେଢ଼ ପୋଲିସ ନିର୍ଦ୍ଧାରିତ ପଥରେ ଅଥବା ମ୍ୟୁନିିସ୍ପାଲଟି ନିଷ୍ପତିରେ ଶୋଭାଯାତ୍ରା ଓ ବିସର୍ଜନ ଚାଲିଛି । ଆଗେ ତିନି ଚାରିଦିନ ଗଣେଶ ପୂଜା ହେଉଥିଲା । ସେଠି ଭଜନ ସମାରୋହ ଓ ଯାତ୍ରାମାନ ହେଉଥିଲା । ତାକୁ ନେଇ ଛୋଟ ଛୋଟ ଦୋକାନ ଗଢ଼ି ଉଠୁଥିଲା । ଲୋକେ ଗଣେଶ ପୂଜା ଉପଭୋଗରେ ରାତି ପୁହାଇ ଦେଉଥିଲେ । ଏ ଭିତରେ ବହୁ ପରିବର୍ତ୍ତନ ହୋଇଗଲାଣି । ବିଜ୍ଞାନର ଅଗ୍ରଗତି କ୍ରମେ ଲୋକଙ୍କର ରୁଚିର ପରିବର୍ତ୍ତନ ଘଟିଛି । ବିଦ୍ୟୁତ୍ ଓ କାରିଗରୀ ବିଦ୍ୟାର ଆଧୁନିକତାର ଚାକଚକ୍ୟର ସବୁକିଛି ଝଲସିଉଠୁଛି । ଏବେ ତୋରଣଗୁଡ଼ିକ ଆକାଶ ଛୁଉଁଛି । ଭାରତର ସୁନାମଧନ୍ୟ ତୋରଣ ନିର୍ମାତାଙ୍କର ପୂଜାର ମାସ ମାସ ଆଗରୁ ଏଠି ରହଣି ଜମୁଛି । ବିଭିନ୍ନ ଢ଼ଙ୍ଗର ତୋରଣ ଯେମିତି ତାଜମହଲ, କୋଣାର୍କ, ପିରାମିଡ଼, ଲାଲକିଲ୍ଲା, କୁତବମିନାର, ଜଗନ୍ନାଥ ମନ୍ଦିର ଇତ୍ୟାଦି ଆକୃତିର ତହିଁକି ଆଲୋକ ସଜ୍ଜାର ଚମତ୍କାରିତା, ରାସ୍ତାର ଦୁଇ ପାଶ୍ୱର୍ର ଛାତ ଉପରେ ବା ରାସ୍ତା ଦାଢ଼ରେ ବିଭିନ୍ନ ପ୍ରକାର ଜୀବ, ଜନ୍ତୁ, ଗଛପତ୍ର, କଳା କୁଶଳର କାର୍ଯ୍ୟକୁଶଳରେ ବିଦ୍ୟୁତ୍ ରଙ୍ଗିନ୍ ଆଲୋକର ଆକର୍ଷଣ: ବିରାଟକାୟ ଭିନ୍ନାକୃତି ଗଣେଶମାନଙ୍କର ସମାବେଶ, ପୂଜାରେ ମନମୁଗ୍ଧ ପରିସର; ସଂଧ୍ୟାର ରୂପ ସୌଷ୍ଠବ ପରିବେଶ ବେଶ ଚିତ୍ତାକର୍ଷକ । ସମଗ୍ର ସହରଟି ଓ ରାସ୍ତାକଡ଼ ଭରପୁର: ଯାତ୍ରା ଦଳଙ୍କ ମନମୁଗ୍ଧକାରୀ ପରିବେଷଣ, ସର୍କସ, ନାଚ, ସୁଆଙ୍ଗ, ମୀନାବଜାର, ଯାଦୁଘର, ସମସ୍ତ ପ୍ରକାର ଦୋକାନ ବଜାରରେ ଖୁନ୍ଦିଖାନ୍ଦିରେ ବ୍ୟବସାୟର ମହଲ, ବିଭିନ୍ନ ପ୍ରକାର ଖାଦ୍ୟ, ମିଠା ଇତ୍ୟାଦିର ଭଣ୍ଡାରଘର ପାଲଟି ଯାଏ ସହର । ଭାଦ୍ରବ ଶୁକ୍ଲ ଚତୁର୍ଥୀ ଠାରୁ ଭାଦ୍ରବ ପୂର୍ଣ୍ଣିମାଯାଏଁ ରାସ, ରସ, ରଙ୍ଗ, ଆନନ୍ଦ, ପ୍ରମୋଦରେ ସମଗ୍ର ସହରଟି ହସିଉଠେ । ବିଭିନ୍ନ ଡାକବାଜି ଯନ୍ତ୍ରରେ କାନ ତାବ୍ଦା କରିଦିଏ ଏ ସହର । ପୂର୍ବେ ଗାଁ ଗହଳିରୁ ଶହଶହ ଲୋକ ଏ ପୂଜା ଦେଖିବାକୁ ଆସୁଥିଲେ, ତାପରେ ସୀମା ସରହଦ ଡ଼େଇଁ ହଜାର ହଜାର ହଜାର ଆସିଲେ, ଏବେ ଓଡ଼ିଶା ଓ ତା’ ଇଲାକା ଡେଇଁ ଏମିତିକି ବିଦେଶରୁ ଲକ୍ଷ ଲକ୍ଷ ଦର୍ଶକମାନଙ୍କର ସମାବେଶ । ଚମକି ଉଠୁଛି ସହର : ଗଣେଶ ଓ ସାଜ୍ଜସଜ୍ଜାର ସଂଦର୍ଶନରେ ମତୁଆଲା ପାଲଟି ଯାଉଛନ୍ତି ଦର୍ଶକମାନେ । ରଥଯାତ୍ରାରେ ପୁରୀର ପ୍ରତିଘରେ କୁଣିଆ ଭର୍ତ୍ତି ପରି, ଏଠି ସବୁରି ଘରେ ଅତିଥି ଅଭ୍ୟାଗତ ସାଙ୍ଗସାଥୀ ଭର୍ତ୍ତି । ସମଗ୍ର ସହର ଅସମ୍ଭାଳ । ଆଗରୁ ଏ ପୂଜାରେ ଶହଶହ ଟଙ୍କା ଖର୍ଚ୍ଚ ହେଉଥିଲା । ତା’ପରେ ହଜାର ହଜାର ଟଙ୍କା; ଏବେ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଏବଂ ଆଉ କେଇଦିନଠି ବଢ଼ିବଢ଼ି କୋଟି କୋଟିରେ ପହଞ୍ôଚବ । ସମସ୍ତ ଖର୍ଚ୍ଚ ସହରବାସୀଙ୍କ ଚାନ୍ଦା, ବ୍ୟବସାୟୀଙ୍କ ଦାନ ତଥା ବ୍ୟକ୍ତିବିଶେଷଙ୍କ ସହଯୋଗରୁ ଚାଲିଛି ବଢ଼ିବଢ଼ି ଏଯାବତ୍ । ଏକ ବିରାଟ ସାମାଜିକ ତଥା ଧାର୍ମିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ଏ ଗଣେଶ ପୂଜା । ଏତେବେଳେ ଜଟଣୀ ଏକ ବ୍ୟସ୍ତଜଗତ, ଅବର୍ଣ୍ଣନୀୟ ଅନୁଭୂତିର ସହର । ଆମେ ଜଟଣୀକୁ ନେଇ ଗର୍ବିତ । ଗର୍ବିତ ଓଡ଼ିଶା । ଭାଷା ନାହିଁ, ଗଣେଶ ପୂଜାର ବର୍ଣ୍ଣନାକୁ । ଅନ୍ତତଃ ପ୍ରତିଟି ହିନ୍ଦୁ ଓଡ଼ିଶା ଏବଂ ଓଡ଼ିଶାବାସୀ ଜାତିଧର୍ମ ନିର୍ବିଶେଷରେ ଏ ଉତ୍ସବକୁ ଥରଟିଏ ହେଲେ ଅଙ୍ଗେଲିଭା, ଅନୁଭୂତିରେ ନିଜକୁ କିଛି ସମୟ ପାଇଁ : ଅନ୍ତତଃ ଭୁଲିଯାଆନ୍ତୁ । ନମୋ ଗଣେଶ ବିଘ୍ନେଶ….
ବିପିନ ବିହାରୀ ମହାନ୍ତି
ଅଧ୍ୟକ୍ଷ ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ, ଦୂରଭାଷ : ୯୯୩୮୩୪୪୧୩୮