ଜନରାଜ୍ୟ ଦିବସ (୨୬ ଜାନୁଆରୀ) ପୂର୍ବରୁ ଏଲିମେଣ୍ଟାରୀ ଶିକ୍ଷକମାନଙ୍କର ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ଆହ୍ୱାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ଏଲିମେଣ୍ଟାରୀ ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ଧନଞ୍ଜୟ ନାଏକଙ୍କ ଅଧ୍ୟକ୍ଷତାରେ ୟୁନିଟ-୯ସ୍ଥିତ ଶିକ୍ଷକ ମହାସଂଘ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ ଘଟିକାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ଓଡ଼ିଶା ମାଟିରୁ ଠିକା ଉଚ୍ଛେଦ ଘୋଷଣା ଦୀର୍ଘ ୧୫ ମାସ ବିତିଯାଇଥିଲେ ମଧ୍ୟ ଏଲିମେଣ୍ଟାରୀ ଶିକ୍ଷା ବିଭାଗରୁ ଠିକା ଉଚ୍ଛେଦ ତ ଦୂରର କଥା ବରଂ ଛଦ୍ମନାମ ସ୍କିମାଟିକ୍ ନାମରେ ମାସିକ ମାତ୍ର ଏଗାର ହଜାର ଟଙ୍କାରେ ବାଇଶି ହଜାର (୨୨୦୦୦) ଶିକ୍ଷକ ଏଲିମେଣ୍ଟାରୀ ବିଦ୍ୟାଳୟରେ ନିଯୁକ୍ତି କରି ପୁଣି ଶିକ୍ଷାର ମୂଳଦୂଆ (ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ) ଓଡ଼ିଶାର ଭବିଷ୍ୟତମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାର ପ୍ରହେଳିକା ଜନସାଧାରଣଙ୍କୁ ବୁଝିବାରେ ଅସୁବିଧା ନାହିଁ । ବିକାଶର ଡିଣ୍ଡିମ ପିଟୁଥିବା ଏବଂ ସାରା ରାଇଜରେ ଶିକ୍ଷାର ଉନ୍ନତି ପାଇଁ ବଡ଼ ବଡ଼ ହୋର୍ଡ଼ିଂ ଲଗାଇ ପୁରସ୍କାର ଘୋଷଣାର ଯୋଜନାକୁ ଜନତାଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରୁଥିବା ସରକାର ବୋଧହୁଏ ଭୁଲି ଯାଉଛନ୍ତି ଯେ, ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବାକୁ ହେଲେ ଏଲିମେଣ୍ଟାରୀ ଶିକ୍ଷା ଓ ଶିକ୍ଷକମାନଙ୍କର ଦୀର୍ଘଦିନର ସମସ୍ୟା ଦୂର କରିବା ବାଞ୍ଛନୀୟ । ସରକାର ମାଧ୍ୟମିକ ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଠିକା ଉଚ୍ଛେଦ ୨୦୨୨ ମସିହା ଅକ୍ଟୋବର ମାସରୁ କରିଥିବା ବେଳେ ଏଲିମେଣ୍ଟାରୀ ବିଦ୍ୟାଳୟରେ ଖଟିଥିବା ଏବଂ ଖଟୁଥିବା ଶିକ୍ଷକମାନଙ୍କର ଠିକା କାର୍ଯ୍ୟକାଳକୁ ଗଣନା କରିନାହାଁନ୍ତି । ଭାରତବର୍ଷର ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଏଲିମେଣ୍ଟାରୀ ଶିକ୍ଷକମାନଙ୍କୁ ସର୍ବନିମ୍ନ ଗ୍ରେଡ୍ ପେ ମାତ୍ର ୨୨୦୦/- ଟଙ୍କାରେ ରଖିଛନ୍ତି । ମାଧ୍ୟମିକ ବିଦ୍ୟାଳୟରେ ଜଣେ ଶିକ୍ଷକ ନିଯୁକ୍ତି ସମୟରେ ମାସିକ ଏକାବନ ହଜାର (୫୧୦୦୦/-) ତଥା ଦୈନିକ ୧୭୦୦/- ଟଙ୍କା ପାଉଥିବା ବେଳେ ପ୍ରାଥମିକ ବିଦ୍ୟାଳୟର ସ୍କିମାଟିକ ଶିକ୍ଷକ ପାଇଁ ମାସିକ ମାତ୍ର ଏଗାର ହଜାର (୧୧୦୦୦/-) ତଥା ଦୈନିକ ୩୭୦/- ଟଙ୍କା ବେତନ ବ୍ୟବସ୍ଥା କରିବା କେତେଦୂର ଯୁକ୍ତିଯୁକ୍ତ! ସେହିପରି କେବଳ ଏଲିମେଣ୍ଟାରୀ ଶିକ୍ଷକ ନୁହଁନ୍ତି, ସମସ୍ତ ସରକାରୀ କର୍ମଚାରୀ ନିଜର ଯୌବନ ଓ ଜୀବନକାଳ ସରକାରୀ ସେବାରେ ପ୍ରବୃତ୍ତ ହେଲା ପରେ ମଧ୍ୟ ପୁରୁଣା ପେନସନ ପାଇବାରୁ ବଞ୍ôଚତ ମାତ୍ର ଗୋଟିଏ ଦିନର ବିଧାନସଭା / ଲୋକସଭାର ସଦସ୍ୟ ପଦବୀ ମଣ୍ଡନ କରି ଜୀବନଯାକ ପୁରୁଣା ପେନସନ ପାଇବା ଗଣତାନ୍ତ୍ରିକ ରାଷ୍ଟ୍ରରେ ସମାନତା ଅଧିକାରର ପରିପନ୍ଥୀ ନୁହେଁ କି? ଜନସାଧାରଣ ବିଚାର କରନ୍ତୁ ।
ଆଗାମୀ ୭୫ତମ ଜନରାଜ୍ୟ ଦିବସ ପୂର୍ବରୁ ଓଡ଼ିଶାର ଏଲିମେଣ୍ଟାରୀ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କର ଠିକା କାର୍ଯ୍ୟକାଳକୁ ଗଣନା କରି ଗୋଟିଏ ଏଲିମେଣ୍ଟାରୀ କ୍ୟାଡ଼ରଭୁକ୍ତ କରି ନ୍ୟାଯ୍ୟ ଗ୍ରେଡ଼ ପେ ସହ ସ୍ଥାୟୀ ନିଯୁକ୍ତି ପ୍ରଦାନ ପୂର୍ବକ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ପ୍ରଦାନ କରିବାକୁ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ପ୍ରବୀଣ କୁମାର ଦାସ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ସଂଘ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ପାଇଁ ବାଧ୍ୟ ହେବ । ପରିଣାମସ୍ୱରୂପ ଆଗକୁ ବିଦ୍ୟାଳୟମାନଙ୍କରେ ହେବାକୁ ଥିବା ସମାପ୍ତି ସୂଚକ ଆକଳନରେ ବ୍ୟାଘାତ ସାଙ୍ଗକୁ ବିଦ୍ୟାଳୟ କାର୍ଯ୍ୟରେ ଯେକୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ, ସେଥିପାଇଁ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ । ଆଜିର ବୈଠକରେ ସଂଗଠନ ସମ୍ପାଦକ ସୁବ୍ରତ କୁମାର ବଡ଼ଜେନା, ଯୁଗ୍ମ ସମ୍ପାଦକ ପ୍ରିୟମ୍ବଦା ଆଚାର୍ଯ୍ୟ, ସଲିଳ କୁମାର ପଟ୍ଟନାୟକ, ଜିତେନ୍ଦ୍ର କୁମାର ନାୟକ, ବାସୁଦେବ ମଳିକ, ପ୍ରିୟତମା ଜେନା, ବିଜୟିନୀ ନନ୍ଦ, ମଙ୍ଗୁଳି ଚରଣ ପରିଡ଼ା, ନର୍ମଦା ରାଉତ, ଅରୁଣ କୁମାର ସୂତାର, ପ୍ରଶାନ୍ତ ନାୟକ, ରଶ୍ମିତା ମହାନ୍ତି, ଆଶାଲତା ପାଣ୍ଡବ, ପ୍ରଶାନ୍ତ ଚୌଧୁରୀ, କାହ୍ନୁଚରଣ ଦାସ, ବ୍ରହ୍ମାନନ୍ଦ ପରିଡ଼ା, ମନୋରଞ୍ଜନ ମହାରଣା, ଗୁରୁଚରଣ ଦଣ୍ଡପାଟ, ବାଇଧର ଦାସ, ଅସିତ କୁମାର ପଣ୍ଡା, କ୍ଷୀରୋଦ ଜେନା, ଅଖିଳ ମନ୍ତ୍ରୀ, ହେମନ୍ତ କୁମାର ସିଂ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ