ଜମିଜମା ବିବାଦକୁ ନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ : ୭ ଗୁରୁତର, ୧୫ ଆହତ
ମୋହନା, (ଅଂଶୁମାନ ପଣ୍ଡା) :-ଦିନକୁ ଦିନ ମୋହନା ବ୍ଲକରେ ଜମିଜମା ଓ ସରକାରୀ ଜାଗାକୁ ଜବରଦଖଲ କରିବାକୁ ନେଇ ବାଦ ବିବାଦ ଉପୁଜି ଗୋଷ୍ଠୀ ସଂଘର୍ଷର ରୂପ ଧାରଣ କରିବାରେ ଲାଗିଛି । ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ ସରକାରୀ ଜମି ଚିହ୍ନଟ ହୋଇପାରୁନି କି ବାଦ ବିବାଦର ସମାଧାନ ପାଇଁ ରାସ୍ତା ଫିଟି ପାରୁନି । ଫଳ ରେ ଅଞ୍ଚଳବାସୀଙ୍କ ମଧ୍ୟରେ ଉଗ୍ରରୂପ ଧାରଣ ହେବାରେ ଲାଗିଛି । ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ଅଧିନ ବାହାଡାପଦା(ଆଦିବାସୀ) ଓ ବାଘମାରୀ ପଞ୍ଚାୟତ ଅଧିନ ବିଜିପୁର (ଖ୍ରୀଷ୍ଟିଆନ ପାଣ) ଗ୍ରାମବାସୀଙ୍କ ମଧ୍ୟରେ ଜମିଜମା ବିବାଦକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ହୋଇ ଶେଷରେ ଧାରୁଆ ଅସ୍ତରେ ହଣାହଣି ପର୍ଯ୍ୟନ୍ତ କଥା ଯାଇଛି । ଯାହାଫଳରେ ଉଭୟ ଗୋଷ୍ଠୀଙ୍କ ସଂଘର୍ଷରେ ୨୨ଜଣ ଖଣ୍ଡିଆ ଖାବରା ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବାହାଡାପଦା ଗ୍ରାମର କନ୍ଧୁଣି ମହାଙ୍କୁଡ (୫୫), ଶ୍ରୀମତୀ ଗୌଡ(୪୨), ତାରିଣୀ ଦଳେଇ(୪୫) ଗୁରୁତର ଆହତ ହୋଇଥିବା ବେଳେ ବିଜିପୁର ଗ୍ରାମର ଜିବୀନା ବୀର (୫୦) ଓ ଅନୁରି ଲିମା (୪୮) ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି । ଗୁରୁତର ଆହତ ମାନଙ୍କର ମୁଣ୍ଡ, ଛାତି ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଉଭୟ ଗୋଷ୍ଠୀର ୧୭ ଜଣ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଉଲ୍ଲାସ ରାଉତ,ଡା.ଜୟଜ୍ୟୋତି ବିଶ୍ଵାଳ, ଡା.ଏନ.ଜୟପ୍ରକାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଚିକିସ୍ଥିତ ହେଉଛନ୍ତି । ଫାର୍ମାଶିଷ୍ଟ ରଘୁ ନାଥ ବେହେରା ,ଷ୍ଟାପନର୍ସ ଓ କର୍ମଚାରୀ ଉପସ୍ଥିତ ରହି ଚିକିତ୍ସାରେ ସହଯୋଗ କରୁଛନ୍ତି । ସୂଚନା ଯୋଗ୍ୟ, ବାଘମାରୀ ପଞ୍ଚାୟତ ଅଧିନ ଶିକୁଳିପଦର ଗାଁର ଖ୍ରୀଷ୍ଟିଆନ ସାହି ମଧ୍ୟରେ ଗତ କିଛି ବର୍ଷ ପୂର୍ବେ ଗଣ୍ଡଗୋଳ ହେବାରୁ ଗୋଟିଏ ସାହିର ଲୋକମାନେ ବାହାଡାପଦା ଗ୍ରାମ ଲୋକଙ୍କ ଜାଗା (ବିଜିପୁର ) ଠାରେ ଘର କରି ରହିବା ପାଇଁ ଅନୁରୋଧ କରିବାରୁ ଗ୍ରାମବାସୀ କିଛି ଜାଗା ସେମାନଙ୍କୁ ଦେଇଥିଲେ । କିନ୍ତୁ ପ୍ରତ୍ୟେକ ବର୍ଷ ବାହାଡାପଦା ଲୋକଙ୍କ ଜମି ବିଜିପୁରର ଖ୍ରୀଷ୍ଟିଆନ ଲୋକେ ଅଧିକ ଜମି ଅକ୍ତିଆର କରିବାରେ ଲାଗିଲେ । ଏ ସଂପର୍କରେ ବାହାଡ଼ାପଦା ଗ୍ରାମବାସୀ ପୂର୍ବରୁ ତହସିଲଦାରଙ୍କୁ ଓ ଥାନାକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇନଥିବା କହିଛନ୍ତି । ପ୍ରକାଶ ଥାଉ କି , ରବିବାର ପୂର୍ବାହ୍ନରେ ବାହାଡ଼ାପଦା ଗ୍ରାମର କିଛି ଆଦିବାସୀ ଲୋକ ନିଜ ଜମିକୁ ଚାଷ କରିବା ପାଇଁ ଯାଇଥିବା ବେଳେ ବିଜିପୁର ଗାଁର ପାଣଖ୍ରୀଷ୍ଟିଆନ ଲୋକେ ସେମାନଙ୍କ ଉପରେ ଅସ୍ତ୍ରରେ ଆତର୍କିତ ଭାବେ ଆକ୍ରମଣ କରିଥିଲେ। ଯାହାଫଳରେ ଉଭୟ ଗୋଷ୍ଠୀର ବହୁ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ, ଏଡିପିଓ ଦିଲ୍ଲୀପ କୁମାର ନାୟକ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି I