ଜମିରେ ପଡିରହିଛି କଟାଧାନ ଅଦିନିଆ ବର୍ଷାର ଭୟ, ଚାଷୀ ମୁଣ୍ଡରେ ଚଡ଼କ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ପାଣିପାଗ ବିଭାଗର ପୂର୍ବାନୁମାନ ପ୍ରକାରେ ଗୁରୁବାର ଠାରୁ ୩ ଦିନ ଧରି ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଭଳି ସମୟରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକର କିଛି ଅଞ୍ଚଳରେ ଏବେ ବି ଚାଷୀ ମାନେ ଅମଳ ଧାନକୁ କାଟି ବିଲରେ ପକାଇଛନ୍ତି। ଯଦି ବି ଏଭଳି ସମୟରେ ବର୍ଷା ହୁଏ, ଅମଳ ଧାନ ନଷ୍ଟ ହେବା ଯଥେଷ୍ଟ ସମ୍ଭାବନା ରହିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି। ଚଳିତବର୍ଷ ବିଳମ୍ବରେ ମୈାସୁମୀ ଓଡିଶା ଛୁଇଁଥିଲା। ନଦୀ ନିକଟବର୍ତ୍ତୀ ଅଞ୍ଚଳର ଚାଷଜମି ଗୁଡିକରେ ଜଳସେଚନ ସୁବିଧା ରହିଥିବାରୁ ସଂପୃକ୍ତ ଅଞ୍ଚଳରେ ଭଲ ଚାଷ କରାଯାଇଥିବା ବେଳେ ଅନ୍ୟାନ ଅଞ୍ଚଳରେ କେନାଳ ଜଳ ଓ ପାଣିପମ୍ପ ସହାୟତାରେ ଚାଷୀ ତା’ର ଚାଷଜମିକୁ ପାଣିମଡାଇ କଷ୍ଟେମଷ୍ଟେ ଫସଲ ଅମଳ କରିପାରିଛି। ବିଳମ୍ବରେ ହେଲେବି ମୈାସୁମୀ ପ୍ରବେଶ ପରେ ଚାଷୀ ତାର ଚାଷ କାର୍ଯ୍ୟକୁ ଆଗେଇ ନେଇ ଭଲ ଫସଲ ଅମଳ କରିଛି। ହେଲେବି ଧାନ ଅମଳ ସମୟରେ ବର୍ଷା ଦାଉ ସାଧୁଛି। ଚଳିତ ମାସ ପ୍ରଥମ ସପ୍ତାହରେ ବି କୋହଲା ପବନ ସାଙ୍ଗକୁ ଝିପିଝିପି ବର୍ଷା ହୋଇଥିଲେ ମଧ୍ୟ ଚାଷୀ ଅମଳ ଫସଲକୁ ସୁରକ୍ଷିତ ରଖିବାପାଇଁ ଆପ୍ରାଣ ଉଦ୍ୟମ କରି ଫସଲ ବଞ୍ଚାଇବା ରେ ସକ୍ଷମ ହୋଇଥିଲା। ଚଳିତବର୍ଷ ହିଞ୍ଜିଳିକାଟୁ ବ୍ଳକର ୯୭୦୩ ହେକ୍ଟର ଜମିରେ ଧାନଚାଷ କରାଯାଇଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତ ଜମିରୁ ଚାଷୀ ଅମଳ ଧାନକୁ କାଟି ସାଇତି ରଖିଛି। ଅବଶିଷ୍ଟ ପ୍ରାୟ ୪୦ ପ୍ରତିଶତ ଜମିରେ ଚାଷୀ ତା’ର ଅମଳ ଧାନକୁ କାଟି ବିଲରେ ପକାଇଥିବା ଜଣାପଡିଛି। ଏଭଳି ସମୟରେ ବର୍ଷା ହେଲେ ଧାନ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଧାନ ଭିଜିଗଲେ ମଣ୍ଡିରେ ଧାନ ନିଆଯିବନି। ଚଳିତବର୍ଷ ପ୍ରଶାସନ ପକ୍ଷରୁ ମଣ୍ଡିରେ ଏଫ୍ ଏକ୍ୟୁ ମାନର ଧାନ ଗ୍ରହଣ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଭଳି ସ୍ଥିତିରେ ଯଦି ବର୍ଷା ହୁଏ, ତା’ହେଲେ ଚାଷୀ ତାର ବର୍ଷକର ହାତଭାଣ୍ଡି ହରାଇବ ବୋଲି ବହୁ ଚାଷୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ