ଜମି ବିବାଦକୁ କେନ୍ଦ୍ର କରି ୨ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା, ପୋଲିସ ଉପସ୍ଥିତିରେ ଭଙ୍ଗାରୁଜା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଜମି ବିବାଦକୁ କେନ୍ଦ୍ର କରି ଦୁଇ ଗ୍ରାମ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଉପସ୍ଥିତିରେ ଅଣଆଦିବାସୀଙ୍କ ଘର ଭଙ୍ଗାରୁଜା କରିଛନ୍ତି ଶତାଧିକ ଆଦିବାସୀ । ଘଟଣାଟି ଗତକାଲି ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଡମ୍ବଗୁଡା ଗ୍ରାମରେ । ଡମ୍ବଗୁଡା ଗ୍ରମ ନିକଟରେ ଥିବା ୪ ଏକରରୁ ଅଧିକ ଜଙ୍ଗଲ ଜମିରେ ବାଲିପଙ୍କ ଗ୍ରାମର ଅଣଆଦିବାସୀମାନେ ଗତ କିଛି ମାସ ହେବ ଚାଳଛପର ଘର କରି ବସବାସ କରି ଆସୁଛନ୍ତି । ହେଲେ ଏହି ଜମିକୁ ବାଘମାରି ପଞ୍ଚାୟତ ଅନ୍ତର୍ଗତ ନୀଳକୁଟି ଗ୍ରାମର ଆଦିବାସୀମାନେ ପୂର୍ବରୁ ଚାଷ କରି ଆସୁଥିବା ଦାବି କରି ଏହି ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ରହି ଆସିଛି । ଆଦିବାସୀଙ୍କ ଜଙ୍ଗଲ ଜମିକୁ ଦଳିତମାନେ ଜବରଦଖଲ କରିଥିବା ପ୍ରତିବାଦରେ ନୀଳକୁଟି ଗ୍ରାମକୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆଦିବାସୀମାନେ ଆସି ପହଞ୍ଚିଥିଲେ । କୌଣସି ପ୍ରକାର ହିଂସାର ଆଶଙ୍କା କରି ନୀଳକୁଟି ଗ୍ରାମର ଆଦିବାସୀମାନେ ମୋହନା ତହସିଲଦାର ଓ ପୋଲିସକୁ ଜଣାଇଥିଲେ । ମୋହନା ଅତିରିକ୍ତ ତହସିଲଦାର ଆଶିଷକୁମାର ପ୍ରଧାନ ଓ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ନିରଞ୍ଜନ ପାଣିଗ୍ରାହୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ବିବାଦୀୟ ଜମିକୁ ଛାଡିବାକୁ ନାରାଜ ଥିଲେ ବାଲିପଙ୍କ ଗ୍ରାମବାସୀ । ଅତିରିକ୍ତ ତହସିଲଦାର ଘଟଣାସ୍ଥଳରୁ ଚାଲିଯିବା ପରେ ଚନ୍ଦ୍ରଗିରି ଫାଣ୍ଡି ପୁଲିସ ବାଲିପଙ୍କ ଲୋକଙ୍କୁ ବୁଝାଇଥିଲେ । ପୁନର୍ବାର ଉତ୍ତେଜିତ ଶତାଧିକ ଆଦିବାସୀ ଏକତ୍ରିତ ହୋଇ ବାଲିପଙ୍କ ନିକଟରେ ପହହଞ୍ôଚ ନୂତନ ବସ୍ତିରେ ଥିବା ଚାଳ ଛପର ଘରକୁ ଭଙ୍ଗାରୁଜା କରିବା ସହ ଆସବାବପତ୍ର ଫୋପାଡି ଦେଇଛନ୍ତି । ପୋଲିସର ଉପସ୍ଥିତିରେ ପୋଲିସ ଏଥିରୁ ନିବୃତ୍ତ ରହିବା ପାଇଁ ଆଦିବାସୀମାନଙ୍କୁ ଯେତେ ବୁଝାଇଲେ ସୁଦ୍ଧା ସେମାନେ କର୍ଣ୍ଣପାତ କରିନଥିଲେ । ଯଦ୍ୱାରା ଚାଳ ଛପର ଘର ଗୁଡିକୁ ଭାଙ୍ଗି ଚୁରମାର ହୋଇଯାଇଥିଲା । ଘଟଣାସ୍ଥଳରେ ଆଜି ମଧ୍ୟ ଚାପା ଉତ୍ତେଜନା ଲାଗି ରହିଛି । ଘଟଣାକୁ ନେଇ ମୋହନା ଥାନାରେ ୧୫୨/୨୧ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ ଜଣାଇଛନ୍ତି ।


