ଜଳସେଚନ ପାଇଁ ଦୁଇ ଗ୍ରାମ ମଧ୍ୟରେ ଗଣ୍ଡଗୋଳ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ଥାନା ଅନ୍ତର୍ଗତ ଚିଲିଖମା ଓ ଗୋଳାବନ୍ଧ ଗ୍ରାମ ମଧ୍ୟରେ ଜଳସେଚନ ପାଇଁ ଗତ ରାତିରେ ଗଣ୍ଡଗୋଳ ହୋଇ ବହୁବ୍ୟକ୍ତି ଆହତ ହୋଇଥିବା ବେଳେ ରବିବାର ଦିନ ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଉଦ୍ୟମ କ୍ରମେ ବୁଗୁଡା ଥାନା ପରିସରରେ ଦୁଇ ଗ୍ରାମ ମଧ୍ୟରେ ଶାନ୍ତି ରକ୍ଷା ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗୋଳାବନ୍ଧ ସରପଞ୍ଚ ଓ ଶଙ୍କୁରୁ ସରପଞ୍ଚଙ୍କ ପ୍ରତିନିଧିଙ୍କ ସମେତ ଦୁଇ ଗ୍ରାମର ମୁଖ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ। ସମାଧାନ ପାଇଁ ଉଭୟ ସରପଞ୍ଚ,କ୍ଷୁଦ୍ର ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ଓ ଉଭୟ ଗ୍ରାମର ଦୁଇଜଣ ଲେଖାଏଁ ବ୍ୟକ୍ତିଙ୍କୁ ନେଇ ଏକ କମିଟି ଗଠନ କରାଗଲା। ଏହି କମିଟି ଜାଉ ପାଣିଆ ଘାଇର କେନାଲ ପାଣିକୁ ଦୁଇ ଗ୍ରାମ କିପରି ଜଳସେଚନ ପାଇଁ ବ୍ୟବହାର କରିବେ ଠିକ କରିବେ। ଦୁଇଗ୍ରାମ ମଧ୍ୟରେ ଗଣ୍ଡଗୋଳର ମୁଖ୍ୟ କାରଣ ଥିଲା ଚିଲିଖମା ଗ୍ରାମରେ ଥିବା ଜାଉ ପାଣିଆ ଘାଇରୁ ବାହାରିଥିବା କେନାଲର ପାଣିରେ ଦୁଇଗ୍ରାମକୁ ହେଉଥିବା ଜଳ ସେଚନ ବ୍ୟବସ୍ଥାରୁ। ଏଥି ପୂର୍ବରୁ ଏହି କାରଣ ଯୋଗୁଁ ଦୁଇ ଗ୍ରାମ ମୁହାଁ ମୁଁହିଁ ହୋଇଥିବା ବେଳେ ଆଇଆଇସି ଶ୍ରୀ ବେହେରାଙ୍କ ଉଦ୍ୟମରେ ସମାଧାନ ବାହାର କରିବା ପାଇଁ ରବିବାର ଦିନ ବୈଠକ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା। ହେଲେ ଗତକାଲି ରାତିରେ ଏହା ଭିନ୍ନ ରୂପନେଇ ଉଭୟ ଗ୍ରାମ ମଧ୍ୟରେ ଗଣ୍ଡଗୋଳ ହୋଇ ଉଭୟ ଗ୍ରାମର ବହୁ ବ୍ୟକ୍ତି ଆହତ ହୋଇଥିଲେ। ଖବର ପାଇ ବୁଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜନାକୁ ଆୟତ୍ତ କରିଥିଲେ। ଏହି ଗଣ୍ଡଗୋଳରେ ଉଭୟ ଗ୍ରାମର ଆହତ ବ୍ୟକ୍ତିମାନେ ବୁଗୁଡା ଓ ମାଣିତରା ମେଡ଼ିକାଲରେ ଚିକିତ୍ସା ହୋଇଥିଲେ ମଧ୍ୟ ଆଜି ସନ୍ଧ୍ୟା ସୁଦ୍ଧା ଉଭୟ ପକ୍ଷରୁ କେହିମଧ୍ୟ ଏତଲା ଦେଇନଥିବା ଯୋଗୁଁ ଥାନାରେ ମାମଲା ରୁଜୁ ହୋଇନଥିବା ଆଇଆଇସି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ