ଜଳେଶ୍ୱରର ପ୍ରସ୍ତାବିତ ଇନଡୋର ଷ୍ଟାଡିୟମ୍ ସ୍ଥାନାନ୍ତରିତ ପାଇଁ ଉଠିଲା ଦାବି
ବାଲେଶ୍ୱର, (ସରୋଜ ପଣ୍ଡା) :-ଜଳେଶ୍ୱର ପୌରପାଳିକାରେ ଶାନ୍ତିଆ ମୌଜାର ଖାତା ନମ୍ବର ୯୩୮ରେ ଥିବା ୪. ୨୮ ଏକର ଗୋଚର ଜମିରେ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡ଼ିୟମ୍ ନିର୍ମାଣ ପାଇଁ ରାଜ୍ୟସରକାର ଅନୁମୋଦନ କରିଛନ୍ତି । ଏ ନେଇ ଯୋଜନା ପ୍ରସ୍ତୁତ ହେଉ ହେଉ ସ୍ଥାନୀୟ ବାସିନ୍ଦାମାନେ ଏହାର ସ୍ଥାନାନ୍ତରଣ ପାଇଁ ଦାବି ସହ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ୫୦ବର୍ଷ ଧରି ଶାନ୍ତିଆ ଠାରେ ଥିବା ସମ୍ପୃକ୍ତ ଗୋଚର ଜମିର ଉନ୍ନତିକରଣ ସହ ନେତାଜୀ ଷ୍ଟାଡ଼ିୟମ ନାମରେ ଜଳେଶ୍ୱରବାସୀ ବ୍ୟବହାର କରିଆସୁଛନ୍ତି । ସହର ମଧ୍ୟ ସ୍ଥଳରେ ଏକ ଉତମ ସ୍ଥାନ ହୋଇଥିବାରୁ ସେଠାରେ ବିଭିନ୍ନ ସମୟରେ ରାଜନୈତିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ସେହିପରି ସ୍ଥାନୀୟ ଅଂଚଳର ବରିଷ୍ଠ ନାଗରିକମାନେ ପ୍ରତ୍ୟେହ ପ୍ରାତଃ ଭ୍ରମଣ ସହିତ ଆଖ ପାଖର ସ୍କୁଲ ଓ କଲେଜ ପିଲା ସେଠାରେ କ୍ରୀଡା ଅଭ୍ୟାସ କରିଥାଆନ୍ତି । ବିଦ୍ୟାଳୟ ମାନଙ୍କର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ଉତ୍ସବ, ସାଧାରଣତନ୍ତ୍ର ଓ ସ୍ୱାଧିନତା ଦିବସ ପାଳନ ଏବଂ ବହୁ ସାମାଜିକ ସଙ୍ଗଠନ ଦ୍ୱାରା ସାଂସ୍କୃତିକ ଓ ବାର୍ଷିକ ଉତ୍ସବ ସହିତ ବିଶେଷ କାର୍ଯ୍ୟକ୍ରମରେ ହେଲିକେପ୍ଟର ମଧ୍ୟ ସେହି ପଡିଆରେ ଅବତରଣ କରିଥାଏ । ତେବେ ସମ୍ପୃକ୍ତ ପଡିଆ ମଝାମଝିରେ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡ଼ିୟମ୍ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହେଉଥିବାରୁ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ଇନଡୋର ଷ୍ଟାଡ଼ିୟମ୍ଟିକୁ ପଡ଼ିଆର ପଶ୍ଚିମ ପାର୍ଶ୍ୱକୁ ସ୍ଥାନାନ୍ତର କରିବା ପାଇଁ ସେମାନେ ଦାବି ଜଣାଇଛନ୍ତି । ଫଳରେ ଇନ୍ଡୋର ଷ୍ଟାଡ଼ିୟମ୍ ନିର୍ମାଣ ସହ ନେତାଜୀ ଷ୍ଟାଡ଼ିୟମ ମଧ୍ୟ ଅକ୍ଷୂର୍ଣ୍ଣ ରହିପାରିବ ବୋଲି ସେମାନେ ଯୁକ୍ତି ଦର୍ଶାଇଛନ୍ତି । ଏ ସମ୍ପର୍କରେ ଜଳେଶ୍ୱରର ବିଜେପି ନେତା ଅରୁଣ ବେଜଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ପତ୍ର ପ୍ରଦାନ ବେଳେ ସୀତାରାମ ସେନାପତି, କାର୍ତିକ ଚନ୍ଦ୍ର ଗିରି, ନଗେନ୍ଦ୍ର କର, ଅଶ୍ୱିନୀ କୁମାର ଜେନା, ସଞ୍ଜୟ କୁମାର ରଣା, ଦେବଯାନୀ ଅଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ ।