ଜାତୀୟ ପାୱାର ଲିଫ୍ଟିଂ ପ୍ରତିଯୋଗିତାରେ ସୁଜିତଙ୍କୁ ମିଳିଲା ବ୍ରୋଞ୍ଜ ମେଡାଲ
ବାଲେଶ୍ୱର, (ସରୋଜ ପଣ୍ଡା) :-କ୍ରୀଡା ଭିତିଭୂମୀ ଓ କ୍ରୀଡା ପ୍ରତିଭାର ବିକାଶ ନେଇ ସବୁଆଡେ ପ୍ରଚାର ହେଉଥିବା ବେଳେ ବ୍ୟକ୍ତିଗତ ଉଦ୍ୟମରେ କେହି ଜଣେ କ୍ରୀଡାବିତ ଜାତୀୟସ୍ତରର ପ୍ରତିଯୋଗିତାରେ ସଫଳ ହେଲେ ସ୍ଥାନୀୟ ଅଂଚଳର ଜନସାଧାରଣଙ୍କ ମନରେ ସ୍ୱତଃ ଖୁସି ଆଣିଦିଏ । ସେହିପରି ଜଣେ କ୍ରୀଡାବିତ ଜାତୀୟ ପାୱାର ଲିଫ୍ଟିଂ ପ୍ରତିଯୋଗିତାରେ ବ୍ରୋଞ୍ଜ ମେଡାଲ ପାଇ ବାଲେଶ୍ୱରବାସୀଙ୍କୁ ଗୌରବାନ୍ୱିତ କରିଛନ୍ତି । ଏହି ସଫଳତାର ଅଧିକାରୀ ହେଉଛନ୍ତି ବାଲେଶ୍ୱର ସହରର ମାନସିଂ ବଜାର ନିବାସୀ ସୁଜିତ କୁମାର ଗିରି । ସେ କେରଳର ଆଲାପୁଜା ଜିଲ୍ଲାରେ ଅନୁଷ୍ଠିତ ସର୍ବ ଭାରତୀୟ ପାୱାର ଲିଫ୍ଟିଂ ପ୍ରତିଯୋଗିତାର ମାଷ୍ଟର କ୍ୟାଟେଗୋରୀ ଅନ୍ତର୍ଗତ ୪୦-୫୦ କିଲୋଗ୍ରାମ ବର୍ଗରେ ଓଡିଶାରୁ ପ୍ରତିନିଧିତ୍ୱ କରି ମୋଟ ୩୩୫ କିଲୋଗ୍ରାମ ଓଜନ ଉଠାଇ ବ୍ରୋଞ୍ଜ ମେଡାଲ ପାଇଥିଲେ । ସେ ନିଜସ୍ୱ ପ୍ରଚେଷ୍ଟାରେ ଅଭ୍ୟାସ ଜାରି ରଖି ଜିଲ୍ଲାସ୍ତରରୁ ରାଜ୍ୟସ୍ତରକୁ ଓ ପରେ ଜାତୀୟସ୍ତରକୁ ମନୋନୀତ ହେବା ସହ ବିଭିନ୍ନ ସମୟରେ ସଫଳତା ପାଇଛନ୍ତି । ପୂର୍ବରୁ ସେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସର୍ବଦା ଗୋଲ୍ଡ ମେଡାଲ ପାଇଥିବା ବେଳେ ୨୦୧୮ ମସିହାରେ ରାଂଚି ଜାତୀୟ ପ୍ରତିଯୋଗିତାରେ ସିଲଭର, ମହାରାଷ୍ଟ୍ର ଓ ତାମିଲନାଡୁରେ ଆୟୋଜିତ ପ୍ରତିଯୋଗିତାରେ ବ୍ରୋଞ୍ଜ ମେଡାଲ ପାଇଥିଲେ । ସେ ତାଙ୍କର ପ୍ରାରମ୍ଭିକ ଅଭ୍ୟାସ ଗୋପାଳଗାଁର ବୀର ବଜରଙ୍ଗ ବାୟାମଗାରରେ ଜାରି ରଖିଥିବା ବେଳେ ପରେ କ୍ଲବର ସଭାପତି ବସନ୍ତ ମହାନ୍ତିଙ୍କ ସହାୟତାରେ ଓଟି ରୋଡ ସ୍ଥିର ହାଇଲ୍ୟାଣ୍ଡ ଜିମ୍ରେ ଅଧିକ ଅଭ୍ୟାସ କରିଥିଲେ । ତାଙ୍କର ଏହି ସଫଳତାର ଶ୍ରେୟ ନିଜ ପିତା ରମଣୀକାନ୍ତ ଗିରି ଓ ମାତା ଜୟଶ୍ରୀବାଳା ଗିରିଙ୍କ ସମେତ ପ୍ରଶିକ୍ଷକ ଓ ଶୁଭେଚ୍ଛୁମାନଙ୍କୁ ଦେଇଛନ୍ତି । ଆଗକୁ ଆର୍ନ୍ତଜାତିକସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ସହ ଦେଶ ପାଇଁ ସୁନାମ ଅର୍ଜନର ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ସୁଜିତ । ସୁଜିତ ଏହି ସଫଳତା ପାଇବା ପରେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଜିଲ୍ଲା ବଡି ବିଲଡିଂ ଆସୋସିଏସନର ସଭାପତି ବସନ୍ତ ମହାନ୍ତି ଓ ସମ୍ପାଦକ ତରୁଣ ଚାଟାର୍ଜୀ । ନିଜର ଅଧ୍ୟବ୍ୟସାୟ ଫଳରେ ସୁଜିତ ଏହି ସଫଳତା ପାଇଥିବା ବେଳେ ଏହା ଅଭ୍ୟାସରତ କ୍ରୀଡାବିତମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ସେମାନେ ଆଶାପ୍ରକାଶ କରିଛନ୍ତି । ତେବେ ଏହିଭଳି ଉଦୀୟମାନ କ୍ରୀଡାବିତମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ପାଇଁ ସରକାରୀ କିମ୍ବା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି ବୋଲି ସେମାନେ ମତ ଦେଇଛନ୍ତି ।


